କନକ ବ୍ୟୁରୋ : ଆମେରିକାର ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର କରୁଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ପାକିସ୍ତାନୀ ନାଗରିକଙ୍କ ବିରୋଧରେ ନ୍ୟୁୟର୍କର ବ୍ରୁକଲିନ୍ କୋର୍ଟରେ ଏହି ସପ୍ତାହରେ ଏକ ମକଦମା ଆରମ୍ଭ ହୋଇଛି । ଏହି ମାମଲାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଏକ ସମ୍ଭାବ୍ୟ ଟାର୍ଗେଟ ଭାବରେ ନାମିତ କରାଯାଇଛି । ଅଭିଯୁକ୍ତ ଆସିଫ୍ ମର୍ଚାଣ୍ଟ ବର୍ତ୍ତମାନ ବ୍ରୁକଲିନ୍ ଫେଡେରାଲ୍ କୋର୍ଟରେ ଜୁରିଙ୍କ ସମ୍ମୁଖରେ ହାଜର ହେଉଛନ୍ତି। ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଆଜୀବନ ଜେଲଦଣ୍ଡ ହୋଇପାରେ ।

Advertisment

ଆମେରିକୀୟ ପବ୍ଲିକ ପ୍ରସିକ୍ୟୁଟରଙ୍କ ଅନୁଯାୟୀ, ଆସିଫ୍ ମର୍ଚାଣ୍ଟ ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାରେ ପହଞ୍ଚିଥିଲେ। ସେହି ସମୟରେ ଦେଶର ରାଜନୈତିକ ପାଣିପାଗ ବହୁତ ଉତ୍ତେଜନାପୂର୍ଣ୍ଣ ଥିଲା। ଅଭିଯୋଗ କରାଯାଇଛି ଯେ ଏହି ସମୟ ମଧ୍ୟରେ ସେ ଆମେରିକାରେ ଏକ ହତ୍ୟା ଷଡ଼ଯନ୍ତ୍ର କରିବାକୁ ଯୋଜନା କରିଥିଲେ। ଏପ୍ରିଲ ୨୦୨୪ରେ ଆମେରିକାରେ ପହଞ୍ଚିବା ପରେ, ମର୍ଚାଣ୍ଟ ଜଣେ ପେଶାଦାର ହତ୍ୟାକାରୀ ବା ସୁପାରି କିଲର୍ କୁ ଭେଟିଥିଲେ, କିନ୍ତୁ ବାସ୍ତବରେ ଉକ୍ତ ବ୍ୟକ୍ତି ଜଣକ ଏଫବିଆଇ(ଫେଡରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍)ର ଗୁପ୍ତଚର ଥିଲେ। ଏଫବିଆଇକୁ ଏ ସଂକ୍ରାନ୍ତରେ ଖବର ମିଳିବା ପରେ ଏକ ଷ୍ଟିଙ୍ଗ୍ ଅପରେସନ୍ ଜରିଆରେ ମର୍ଚାଣ୍ଟକୁ ଗିରଫ କରାଯାଇଥିଲା ।

ଇରାନ ସହ ସମ୍ପର୍କରେ ଥିଲେ

୨୦୨୦ ମସିହାରେ ଆମେରିକା ପକ୍ଷରୁ ହୋଇଥିବା ଡ୍ରୋନ ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ଚାହୁଥିବା ଆମେରିକାର ଅଧିକାରୀମାନେ ଦୀର୍ଘ ଦିନ ଧରି ସନ୍ଦେହ କରିଆସୁଛନ୍ତି, ଯେଉଁ ଆକ୍ରମଣରେ ଇରାନୀ ସାମରିକ କମାଣ୍ଡର କାସେମ ସୋଲେମାନୀଙ୍କୁ ହତ୍ୟା କରାଯାଇଥିଲା। ଏହି ଆକ୍ରମଣ ଟ୍ରମ୍ପଙ୍କ ରାଷ୍ଟ୍ରପତିତ୍ୱ ସମୟରେ ହୋଇଥିଲା। ପୁରୁଣା କୋର୍ଟ ଡକ୍ୟୁମେଣ୍ଟ ଅନୁଯାୟୀ, ମର୍ଚାଣ୍ଟ ଆମେରିକା ଆସିବା ପୂର୍ବରୁ ଇରାନରେ ରହୁଥିଲେ ଏବଂ ସୋଲେମାନୀଙ୍କ ମୃତ୍ୟୁକୁ ନେଇ ଆମେରିକୀୟ ନେତାମାନଙ୍କ ଉପରେ କ୍ରୋଧିତ ଥିଲେ। ତଥାପି, ଇରାନ ଏପରି କୌଣସି ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତିକୁ ଲଗାତାର ଅସ୍ୱୀକାର କରିଆସିଛି ।