Tere nam Photograph: (KanakNews)
କନକ ବ୍ୟୁରୋ :୨୦୦୦ ରୁ ୨୦୧୫ ର ସମୟ ବଲିଉଡ୍ ପାଇଁ ରୋମାଣ୍ଟିକ ଯୁଗ ଆଣିଦେଇଥିଲା କହିଲେ କିଛି ଭୁଲ୍ ହେବନି । କୁଛ୍ କୁଛ୍ ହୋତା ହେ ଠାରୁ ଆରମ୍ଭ କରି ବିବାହ ଭଳି ପାରିବାରିକ ଏବଂ ରୋମାଣ୍ଟିକ ସିନେମା ଦେଖିବାକୁ ହଲରେ ସିନେପ୍ରେମୀଙ୍କ ଖଚାଖଚ ଭିଡ଼ ଲାଗି ରହୁଥିଲା । ବର୍ତ୍ତମାନ ସମୟରେ ଦର୍ଶକ ଥ୍ରିଲର୍ , ଆକ୍ସନ,ଫ୍ୟାଶନ,ହରର ଏବଂ କମରସିଆଲ୍ ସିନେମାକୁ ପସନ୍ଦ କରୁଥିବା ବେଳେ ସେତେବେଳର କଥା ହିଁ କିଛି ଅଲଗା ଥିଲା । ତେବେ ସେହି ସମୟକୁ ପୁଣି ଥରେ ଫେରାଇ ଆଣିବା ପାଇଁ ଯୋଜନା କରୁଛି ପିଭିଆର୍ ସିନେମା । ଫେବୃଆରି ୧୪ ଅର୍ଥାତ ଭାଲେଣ୍ଟାଇନ୍ ଡେ’କୁ ଆଖି ଆଗରେ ରଖି ପିଭିଆର୍ ପୁଣି ରୋମାଣ୍ଟିକ ଏରାକୁ ଫେରିବାକୁ ଯୋଜନା କରୁଛି । ଶାହରୁଖ୍ ଏବଂ ଐଶ୍ବର୍ଯ୍ୟାଙ୍କ ଅଭିନିତ କଲ୍ଟ କ୍ଲାସିକ୍ ଦେବଦାସ , ସଲମାନ ଖାନଙ୍କ ଫିଲ୍ମ ତେରେନାମ୍ ଏବଂ ବିବେକ ଓବରୟଙ୍କର ୟୁବା ସିନେମା ପୁଣିଥରେ ରି-ରିଲିଜ୍ ହେବାକୁ ଯାଉଛି । ପ୍ରେମ ଦିବସ ଅବସରରେ ପ୍ରେମର ଅନେକ ରଙ୍ଗ ଉତ୍ସବ ପାଳନ କରି ଦର୍ଶକଙ୍କୁ ଏହି ରୋମାଣ୍ଟିକ କ୍ଲାସିକ୍ ଭେଟି ଦେବାକୁ ଯାଉଛି ପିଭିଆର ।
ଆଗକୁ ପଢ଼ନ୍ତୁ : ଅଭିନେତା ହେବ ତ ଏମିତି : ଭାବିଲେ ସମାଜର କଥା , ୪୦ କୋଟିକୁ ମାରିଲେ ଗୋଇଠା
ଦେବଦାସ ଫେବୃୟାରି ୬ ରେ ରି-ରିଲିଜ୍ ହେବାକୁ ଥିବା ବେଳେ ୟୁବା ୨୦ ଫେବୃୟାରି ଏବଂ ତେରେ ନାମ୍ ୨୭ ଫେବୃୟାରୀରେ ପ୍ରେକ୍ଷାଳୟକୁ ପୁନଃ ଆସିବାକୁ ଯାଉଛି । ତେବେ ପିଭିଆରର ଏହି ଘୋଷଣା ପରେ ସିନେପ୍ରେମୀ ପୁରୁଣା ସିନେମାକୁ ହଲରେ ଦେଖିବା ପାଇଁ ଉତ୍ସାହିତ ହୋଇ ପଡ଼ିଛନ୍ତି । ସଞ୍ଜୟ ଲିଲା ଭନ୍ସାଲିଙ୍କ ନିର୍ଦ୍ଦେଶିତ ସିନେମା ଦେବଦାସ ୨୦୦୨ ରେ ରିଲିଜ୍ ହୋଇଥିବା ବେଳେ ଶାହରୁଖ୍ ଖାନ୍ , ଐଶ୍ବର୍ଯ୍ୟା ରାୟ ବଚ୍ଚନ , ମାଧୁରି ଦିକ୍ଷିତ୍ ଏବଂ ଜ୍ୟାକି ଶ୍ରଫଙ୍କ ଦମଦାର ଅଭିନୟ ସମସ୍ତଙ୍କୁ ଭାରି ପସନ୍ଦ ଆସିଥିଲା । ସିନେମାର ଗୀତ ଯେତେ ଶ୍ରୁତିମଧୁର ଥିଲା ସିନେମାଟୋଗ୍ରାଫି , ସେଟ୍ ମଧ୍ୟ ସେତେ ଚିତ୍ତାକର୍ଷକ ଥିଲା । ଆଜି ବି ସଞ୍ଜୟ ଲିଲା ଭନ୍ସାଲିଙ୍କ ସିନେମାର ସର୍ବଶ୍ରେଷ୍ଠ କୃତି କଥା ପଡ଼ିଲେ ଦେବଦାସର ନାଁ ଆଗ ଆସେ । ରୋମାଣ୍ଟିକ କ୍ଲାସିକର ଚର୍ଚ୍ଚା ହେବ ଏବଂ ତେରେ ନାମ ସିନେମାର ନାଁ ଆସିବନି ଏ କେମିତି ସମ୍ଭବ ! ୨୦୦୩ ରେ ଦିଗଙ୍ଗତ ନିର୍ଦ୍ଦେଶକ ସତିଶ କୌଶିକଙ୍କ ଦ୍ବାରା ନିର୍ମିତ ତେରେ ନାମରେ ରାଧେ ଭୂମିକାରେ ସଲମାନ ଏବଂ ନିର୍ଜରା ଭୂମିକାରେ ଭୂମିକା ଚାୱଲା ନଜର ଆସିଥିଲେ । ଏହି ସିନେମାଟି ସାଉଥ୍ ଫିଲ୍ମ ସେତୁର ରିମେକ୍ ଥିଲେ ମଧ୍ୟ ଦର୍ଶକ ଏହାକୁ ଭାରି ପସନ୍ଦ କରିଥିଲେ । ଅନ୍ୟପଟେ ବିବେକ ଓବରୟଙ୍କ ସିନେମା ୟୁବାର କାହାଣୀ ଯୁବବର୍ଗ ଏବଂ ରାଜନୀତିକୁ ନେଇ ନିର୍ମିତ ହୋଇଥିଲା ।
ତେବେ କେବଳ ଏତିକି ନୁହେଁ ପୁରୁଣା ସିନେମାର ରି-ରିଲିଜ୍ ଦର୍ଶକଙ୍କୁ ପସନ୍ଦ ଆସୁଥିବାର ଦେଖି ୨୦୦୦ ମସିହାରେ ପରଦାକୁ ଆସିଥିବା ସୁପର୍-ଡୁପର୍ ହିଟ୍ ସିନେମା ୟେ ଦିଲ୍ ଆଶିକାନା ମଧ୍ୟ ନିର୍ମାତାଙ୍କ ଦ୍ବାରା ପୁନଃ ରିଲିଜ୍ ହେବ । ୨୪ ବର୍ଷ ପରେ ସିନେମାକୁ ସେତିକି ଭଲପାଇବା ମିଳିବ ବୋଲି ଆଶା ରଖିଛନ୍ତି ନିର୍ମାତା ।
Follow Us