NAVEEN PATNAIK Photograph: (KANAK NEWS)
କନକ ବ୍ୟୁରୋ: ଦିନ ଥିଲା ବିଜେଡିରେ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ୁଥିଲା। ଦଳର ନିଷ୍ପତ୍ତିକୁ ଯିଏ ଚ୍ୟାଲେଞ୍ଜ କରୁଥିଲା, ସେ ତଳିତଳାନ୍ତ ହେଉଥିଲା। ଏବେ ସ୍ଥିତି ବଦଳିଯାଇଛି। ଯିଏ ଯାହା ପାରୁଛି କହୁଛନ୍ତି। କହୁ କହୁ ଏମିତି କିଛି କହି ଦେଉଛନ୍ତି ଯେ ଦଳ ଓ ସଭାପତି ଉଭୟଙ୍କ ପାଇଁ ତାହା ଚ୍ୟାଲେଞ୍ଜ ସଦୃଶ ହୋଇଯାଉଛି। ଏସବୁ ସତ୍ତ୍ବେ ସଭାପତି ନବୀନ ପଟ୍ଟନାୟକଙ୍କ ରହସ୍ୟଜନକ ନିରବତା ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଦେଇଛି। ନବୀନ କାହାରିକୁ ଚୁପ୍ ରହିବାକୁ ତାଗିଦ୍ କରୁନାହାନ୍ତି। ଅସନ୍ତୁଷ୍ଟ ନେତାଙ୍କୁ ପାଖକୁ ଡାକି ବୁଝାଇବାକୁ ବି ଉଚିତ ମଣୁନାହାନ୍ତି। କ୍ଷମତା ଫଁ ନଥିବାରୁ ନବୀନ ଅସହାୟ ହୋଇଯାଇଛନ୍ତି ନା ଜାଣି ନିରବ ରହିଛନ୍ତି, ତାହା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରତିଷ୍ଠା ଦିବସରେ ବଦ୍ରି ପାତ୍ର ଓ ପ୍ରଭାତ ବିଶ୍ବାଳଙ୍କ ବୟାନକୁ ବିଚାରକୁ ନେଲେ ଏହା ସ୍ପଷ୍ଟ ଯେ ସେମାନେ ସିଧାସଳଖ ନବୀନଙ୍କ ନିଷ୍ପତ୍ତିକୁ ହିଁ ଚ୍ୟାଲେଞ୍ଜ କରିଛନ୍ତି। ୨୦୨୪ ପରାଜୟ ପାଇଁ ଭିକେ ପାଣ୍ଡିଆନ ଓ ବବି ଦାସଙ୍କୁ ଦାୟୀ କରିଛନ୍ତି ବଦ୍ରି। କିନ୍ତୁ ରାଜନୈତିକ ମହଲରେ କହିବା କଥା ଏହି ଦୁଇ ଜଣଙ୍କୁ ଦଳର ପରିଚାଳନା ଦାୟିତ୍ବ ଦେଇଥିଲେ ନିଜେ ନବୀନ। ପାଣ୍ଡିଆନ ନିଜର ବିଶ୍ବସ୍ତଙ୍କୁ ଧରି ନିର୍ବାଚନର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଥିଲେ ଓ ତାହାକୁ କାର୍ଯ୍ୟକାରୀ କରାଇବାର ଦାୟିତ୍ବ ନେଇଥିଲେ ପ୍ରଣବ ପ୍ରକାଶ। ଏସବୁରେ ନବୀନଙ୍କ ସ୍ବୀକୃତି ଥିଲା। ଓଲଟା ଏହା ବିରୋଧରେ ଯିଏ ଅଭିଯୋଗ କରୁଥିଲେ, ତାଙ୍କୁ ନବୀନ ନିଜେ ଦଳରୁ ବିଦା କରୁଥିଲେ। ତେଣୁ ପାଣ୍ଡିଆନ ଓ ପ୍ରଣବଙ୍କ ପାଇଁ ଯଦି ବିଜେଡି ହାରିଲା, ତେବେ ସେମାନଙ୍କୁ ସର୍ବେସର୍ବା କରାଇଥିବା ନବୀନ କିପରି ସେହି ଦୋଷରୁ ବାଦ୍ ପଡ଼ିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ବି ଦଳର ସଭାପତି ନବୀନ ଅଛନ୍ତି, ବିରୋଧୀ ଦଳ ନେତା ବି। ଯଦି ଦଳ ଠିକ୍ ଭାବେ ପରିଚାଳିତ ହେଉ ନାହିଁ, ତେବେ ସେଥିପାଇଁ ନବୀନ ମଧ୍ୟ ଦାୟୀ।
ସେହିପରି ପ୍ରଭାତ ବିଶ୍ବାଳ ମଧ୍ୟ ନବୀନଙ୍କ ନେତୃତ୍ବ ପ୍ରତି ଅଙ୍ଗୁଠି ଉଠାଇଛନ୍ତି। ପାଣ୍ଡିଆନ ଦମ୍ପତିଙ୍କ ସପକ୍ଷରେ ଓକିଲାତି କରିବାକୁ ଯାଇ ପ୍ରଭାତ ଦଳର ଅଡ଼ୁଆ ବଢ଼ାଇଛନ୍ତି। ୨୦୧୯ରେ ବିଜେଡିର ବିଜୟ ପଛରେ ପାଣ୍ଡିଆନ ଓ ତାଙ୍କ ଟିମ୍ର ବିଶେଷ ଅବଦାନ ଥିଲା ବୋଲି କହିଛନ୍ତି। ପରୋକ୍ଷରେ ସ୍ପଷ୍ଟ କରିଛନ୍ତି ଯେ ୨୦୧୯ରେ ପାଣ୍ଡିଆନ ସରକାରୀ ଚାକିରିରେ ଥାଇ ମଧ୍ୟ ବିଜେଡିର ଏଜେଣ୍ଟ ପରି କାମ କରୁଥିଲେ। ନବୀନ ନୁହେଁ, ସରକାରୀ ଅଧିକାରୀ ପାଣ୍ଡିଆନଙ୍କ ଗୋଟି ଚାଳନା ହିଁ ବିଜେଡିକୁ ବିଜୟ ଦେଇଥିଲା। ଏହାଦ୍ବାରା ସେ ନବୀନଙ୍କ ଦୁର୍ବଳତାର ଆଉ ଏକ ଉଦାହରଣ ଆଗକୁ ଆଣିଛନ୍ତି।
ଆହୁରି ପଢ଼ନ୍ତୁ : ଦେଶର ଏହି ରାଜ୍ୟ, କୋଟିପତିଙ୍କ ସ୍ଥାନ
ସେହିପରି ବର୍ତ୍ତମାନ ଦଳର ଛାମୁଆ ନେତା ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସେ ଖୋଲା ବିରୋଧ କରିଛନ୍ତି। ଏମାନେ ଦାୟିତ୍ବରୁ ଓହରିଯିବାକୁ ସେ ଆହ୍ବାନ ଦେଇଛନ୍ତି। ତେବେ ଏହି ପାଞ୍ଚ ଜଣଙ୍କୁ ନିଜେ ନବୀନ ଦାୟିତ୍ବ ବାଣ୍ଟିଛନ୍ତି। ତେଣୁ ଏମାନଙ୍କୁ ହଟାଇବା ପାଇଁ ନବୀନଙ୍କ ନିକଟରେ ଦାବି ନକରି ଖୋଲା ମଞ୍ଚରେ କହିବା ଅର୍ଥ ନବୀନଙ୍କ ପାଖରେ ପ୍ରବେଶ କରିବା ଏବେ ବି ନେତାମାନଙ୍କ ପାଇଁ କଷ୍ଟକର ବ୍ୟାପାର ବୋଲି ବୁଝିବାକୁ ହେବ।
ଅନ୍ୟପଟେ ଦେବାଶିଷ ସାମନ୍ତରାୟ ମଧ୍ୟ ଖୋଲାଖୋଲି ଭାବେ ଦଳର ପରିଚାଳନାକୁ ନେଇ ବାରମ୍ବାର ଅସନ୍ତୋଷ ଜାହିର କରୁଛନ୍ତି। ଶଙ୍ଖ ଭବନରେ ବାହାରେ ଏକାଠି ହେବାକୁ ନବୀନ ବାରଣ କରିଥିବା ସତ୍ତ୍ବେ ଚନ୍ଦକାରେ ଦଳୀୟ ନେତାଙ୍କ ଭୋଜି ହେଲା। ଯଦି ବରିଷ୍ଠ ନେତା ଏକାଠି ହୋଟେଲରେ ଜଳଖିଆ କରିବା ନବୀନଙ୍କ ନାପସନ୍ଦ ହେଲା, ତେବେ ବଣଭୋଜି କିପରି ପସନ୍ଦ ହେଲା, ତାହା ରହସ୍ୟାବୃତ ହୋଇ ରହିଗଲା।
ଆହୁରି ପଢ଼ନ୍ତୁ : ଟ୍ରମ୍ପଙ୍କୁ ଭେଟିଲେ ଜେଲେନସ୍କି, ପୁଟିନ ଦେଲ ଚେତାବନୀ
ସେପଟେ ସୁଜାତା କାର୍ତ୍ତିକେୟନଙ୍କ ବିଜେଡିରେ ଯୋଗଦାନ ନେଇ ଦଳ ଭିତରେ ଚାପା ଗୁଞ୍ଜରଣ ଚାଲିଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ତର୍କବିତର୍କ ଚାଲିଛି। ସୁଜାତା ସତରେ ଆସୁଛନ୍ତି କି ନାହିଁ, ତାହା ସ୍ପଷ୍ଟ ନୁହେଁ। ଏ ନେଇ ନବୀନ ନିବାସ ପକ୍ଷରୁ କେବେ କିଛି ଇସାରା ଦିଆଯାଇ ନାହିଁ। ଦଳର ଆଭ୍ୟନ୍ତରୀଣ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇ ନାହିଁ। କିନ୍ତୁ ସୁଜାତାଙ୍କୁ ନେଇ ବୟାନବାଜି ଜୋର୍ଦାର ଚାଲିଛି। ସୁଜାତାଙ୍କୁ ନେତୃତ୍ବକୁ ଗ୍ରହଣ କରାଯିବନି ବୋଲି ବଦ୍ରି ପାତ୍ର ଖୋଲାଖୋଲି କହିଲେଣି। ଅନ୍ୟପଟେ ସୁଜାତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ସିଧାସଳଖ ଦାବି କରିଛନ୍ତି ପ୍ରଭାତ ବିଶ୍ବାଳ। ସୁଜାତାଙ୍କୁ ନେତୃତ୍ବକୁ ସମର୍ଥନ କରାଯିବ ବୋଲି କିଛି ଯୁବ ନେତା ସାମାଜିକ ଗଣମାଧ୍ୟମରେ ମତ ରଖୁଛନ୍ତି। ଦଳର ବହୁ ବରିଷ୍ଠ ନେତା ଏହି ପ୍ରସଙ୍ଗରେ ଚୁପ୍ଚାପ୍ ବାସ୍ତବ ସ୍ଥିତି ପରଖୁଛନ୍ତି। ସୁଜାତାଙ୍କୁ ନେଇ ଦଳ ବସ୍ତୁତଃ ଭାଗ ଭାଗ ହୋଇଗଲାଣି। ହେଲେ ଏହି ପ୍ରସଙ୍ଗରେ ସୁଜାତା ନିଜ ଆଡ଼ୁ କୌଣସି ସ୍ପଷ୍ଟୀକରଣ ଏଯାଏଁ ଦେଉ ନାହାନ୍ତି। ସେହିପରି ସଭାପତି ନବୀନ ପଟ୍ଟନାୟକ ବି ନିଜର ମତ ରଖୁନାହାନ୍ତି। ଯାହାକୁ ନେଇ ଚର୍ଚ୍ଚା ବଢ଼ିଛି ।
Follow Us