କନକ ବ୍ୟୁରୋ : 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନାରେ ବଡ଼ ପରିବର୍ତ୍ତନ ହୋଇଛି । ପ୍ରକଳ୍ପ ଚୟନରେ ଗ୍ରାମସଭାକୁ ଗୁରୁତ୍ୱ । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନାର ମାର୍ଗଦର୍ଶିକାରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି । ନାଗରିକମାନଙ୍କ ସକ୍ରିୟ ଅଂଶଗ୍ରହଣ, ପ୍ରକଳ୍ପ ଚୟନ ପ୍ରକ୍ରିୟାର ସରଳୀକରଣ ଏବଂ ଗୋଷ୍ଠୀ ପାଇଁ ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ନୂତନ ନିୟମ ଅନୁଯାୟୀ, ଗ୍ରାମସଭା ମାଧ୍ୟମରେ ସ୍ଥାନୀୟ ଆବଶ୍ୟକତାକୁ ଭିତ୍ତି କରି ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯିବ । ବ୍ଲକର ନୋଡାଲ ଅଫିସର ଏହି ତାଲିକାକୁ ତୁରନ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । 

Advertisment

ଏହାବ୍ୟତୀତ ଜିଲ୍ଲାପାଳ ପ୍ରତିବର୍ଷ ପଞ୍ଚାୟତିରାଜ ପ୍ରତିନିଧି, ନିର୍ବାଚିତ ପ୍ରତିନିଧି ଏବଂ ସାମାଜିକ କର୍ମୀଙ୍କଠାରୁ ମଧ୍ୟ ପ୍ରସ୍ତାବ ଆହ୍ୱାନ କରିବେ । ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଆବେଦନ କରିବାକୁ ପଡ଼ିବ । ପ୍ରକଳ୍ପଗୁଡ଼ିକର ଯାଞ୍ଚ ଓ ଚୂଡ଼ାନ୍ତ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ 'ଜିଲ୍ଲା ସ୍ତରୀୟ କମିଟି' ଗଠନ କରାଯାଇଛି । ଏହି କମିଟିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ  (CDO-cum-EO) ସଦସ୍ୟ ଆବାହକ ଭାବେ ରହିବେ । କମିଟି ଆର୍ଥିକ ଆବଣ୍ଟନ ଓ ସ୍ଥାନୀୟ ପ୍ରାଥମିକତାକୁ ଭିତ୍ତି କରି ପ୍ରକଳ୍ପଗୁଡ଼ିକୁ ଚୂଡ଼ାନ୍ତ କରିବ । 

ଅଧିକ ପଢ଼ନ୍ତୁ---ଓମ୍‌ସା ଆନ୍ଦୋଳନ ସ୍ଥଗିତ; ଦାବିକୁ ବିଚାରକୁ ନିଆଯିବ ବୋଲି କହିଲେ ମନ୍ତ୍ରୀ

ସଂଶୋଧିତ ମାର୍ଗଦର୍ଶିକାରେ ଏକ ନୂତନ ନିୟମ (Defect Liability Period) ଯୋଡ଼ାଯାଇଛି । ୧୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ସମସ୍ତ ପ୍ରକଳ୍ପ ପାଇଁ କାର୍ଯ୍ୟ ଶେଷ ହେବାର ୩ ବର୍ଷ ପର୍ଯ୍ୟନ୍ତ ନିର୍ମାଣକାରୀ ସଂସ୍ଥା ଦାୟୀ ରହିବେ । ଯଦି ଏହି ସମୟ ମଧ୍ୟରେ କୌଣସି ଯାନ୍ତ୍ରିକ ତ୍ରୁଟି ବା କ୍ଷତି ଦେଖାଯାଏ, ତେବେ କୌଣସି ଅତିରିକ୍ତ ସରକାରୀ ଖର୍ଚ୍ଚ ବିନା ନିର୍ମାଣକାରୀଙ୍କୁ ନିଜ ଖର୍ଚ୍ଚରେ ତାହା ମରାମତି କରିବାକୁ ପଡ଼ିବ । ଏହି ନୂତନ ନିୟମାବଳୀ ପ୍ରକାଶ ପାଇବା ଦିନଠାରୁ ତୁରନ୍ତ ଲାଗୁ ହେବ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।