pant-jurel Photograph: (kanak news)
କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଓ୍ୱାନ୍ ଡେ’ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଶନିବାର ଅପରାହ୍ନରେ ବରୋଦାର ବିସିଏ ଷ୍ଟାଡିୟମରେ ନେଟ୍ ଅଭ୍ୟାସ ସମୟରେ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଆହତ ହୋଇଛନ୍ତି। ବ୍ୟାଟିଂ କରୁଥିବା ସମୟରେ ପନ୍ତ ହଠାତ୍ ତାଙ୍କ ପେଟର ଡାହାଣ ପାର୍ଶ୍ୱରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହାପରେ ତାଙ୍କୁ ତୁରନ୍ତ ପଡ଼ିଆରୁ ବାହାରକୁ ନିଆଯାଇଥିଲା।
ଏହାପରେ ରିଷଭ ପନ୍ତଙ୍କର ତୁରନ୍ତ MRI ସ୍କାନ ପାଇଁ ନିଆଯାଇଥିଲା। ବିସିସିଆଇର ଡାକ୍ତରୀ ଦଳ ଜଣେ ବିଶେଷଜ୍ଞଙ୍କ ସହିତ ତାଙ୍କର କ୍ଲିନିକାଲ୍ ଏବଂ ରେଡିଓଲୋଜିକାଲ୍ ରିପୋର୍ଟଗୁଡ଼ିକର ବିସ୍ତୃତ ବିଶ୍ଳେଷଣ କରିଥିଲେ। ଏହାପରେ ପନ୍ତଙ୍କୁ ଦିନିକିଆ ସିରିଜରୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ଦିଆଯାଇଛି। ଏବେ ରିଷଭ ପନ୍ତଙ୍କ ସ୍ଥାନରେ ସିଲେକ୍ସନ କମିଟି ଯୁବ ୱିକେଟକିପର ଧ୍ରୁବ ଜୁରେଲଙ୍କୁ ଦଳରେ ସ୍ଥାନ ଦେଇଛି। ବିସିସିଆଇ ଅନୁଯାୟୀ, ଜୁରେଲ ପୂର୍ବରୁ ଦଳରେ ଯୋଗ ଦେଇଛନ୍ତି ଏବଂ ସିରିଜ ପାଇଁ ଚୟନ ପାଇଁ ଉପଲବ୍ଧ ହେବେ। ୨୪ ବର୍ଷୀୟ ଜୁରେଲ ଭାରତୀୟ ଦଳ ପାଇଁ ନଅଟି ଟେଷ୍ଟ ଏବଂ ଚାରୋଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
ଆହୁରି ପଢ଼ନ୍ତୁ : ରାଉରକେଲା ବିମାନ ଦୁର୍ଘଟଣା; ଏୟାରଲିଫ୍ଟ ହେବେ ଦୁଇ ଆହତ
ଯଦିଓ ଧ୍ରୁବ ଜୁରେଲ ଏପର୍ଯ୍ୟନ୍ତ ତାଙ୍କର ଏକଦିବସୀୟ ଡେବ୍ୟୁ କରିନାହାଁନ୍ତି, ତଥାପି ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିବା ଓ୍ୱାନ୍ ଡେ’ ସିରିଜରେ ଭାରତୀୟ ଦଳର ଅଂଶ ଥିଲେ। ଜୁରେଲ ଟେଷ୍ଟ ମ୍ୟାଚ୍ରେ ୩୫.୩୦ ହାରରେ ୪୫୯ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।
Follow Us