କନକ ବ୍ୟୁରୋ: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ମଙ୍ଗଳବାର ଦିନ ଏକ ଚମକାଇଲା ଭଳି ଦାବି କରିଛି । IRGC ଅନୁଯାୟୀ, ଇରାନର ପାଲଟା ଜବାବ 'ଟ୍ରୁ ପ୍ରମିସ ୪' ଅପରେସନର ପ୍ରଥମ ଦୁଇ ଦିନ ମଧ୍ୟରେ ଆମେରିକୀୟ ସେନାକୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିଛି । ଏହି ଦୁଇ ଦିନ ମଧ୍ୟରେ ପ୍ରାୟ ୬୫୦ ରୁ ଅଧିକ ସୈନିକ ମୃତାହତ ହୋଇଥିବା ସେମାନେ କହିଛନ୍ତି ।
IRGC ପ୍ରବକ୍ତା ବ୍ରିଗେଡିୟର ଜେନେରାଲ ଅଲି ମହମ୍ମଦ ନୈନି ସୂଚନା ଦେଇଛନ୍ତି ଯେ, ଇରାନର ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ ଯୋଗୁଁ ପାରସ୍ୟ ଉପସାଗରରେ ଥିବା ଆମେରିକୀୟ ବେସ୍ ଏବଂ ଯୁଦ୍ଧ ଜାହାଜ ଗୁଡ଼ିକୁ ଟାର୍ଗେଟ କରାଯାଇଛି । ଏହି ଆକ୍ରମଣର ଭୟରେ ଆମେରିକାର ବିମାନବାହୀ ପୋତ USS ଆବ୍ରାହମ ଲିଙ୍କନକୁ ଇରାନ ଉପକୂଳରୁ ପଛକୁ ହଟିବାକୁ ପଡ଼ିଛି ।
ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ଯେ, ଇରାନ ସେନା ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ବହୁଳ ଭାବେ କ୍ଷତିଗ୍ରସ୍ତ କରିଛି । ଜେନେରାଲ ନୈନି କହିଛନ୍ତି, "ଯୁଦ୍ଧର ପ୍ରଥମ ଦୁଇ ଦିନ ମଧ୍ୟରେ ହିଁ ୬୫୦ ଆମେରିକୀୟ ସୈନିକ ପ୍ରାଣ ହରାଇଛନ୍ତି କିମ୍ବା ଗୁରୁତର ଆହତ ହୋଇଛନ୍ତି ।" ସେ ଏହା ମଧ୍ୟ ଜୋର ଦେଇ କହିଛନ୍ତି ଯେ, ଆମେରିକା ଏହି ମୃତାହତଙ୍କ ସଂଖ୍ୟାକୁ ଲୁଚାଇବାକୁ କିମ୍ବା ଅସ୍ୱୀକାର କରିବାକୁ ଚେଷ୍ଟା କରୁଛି, କିନ୍ତୁ ଇରାନର ଗୁପ୍ତଚର ସଂସ୍ଥା ଏବଂ ଯୁଦ୍ଧକ୍ଷେତ୍ରର ରିପୋର୍ଟରୁ ଏହି ପରିସଂଖ୍ୟାନର ସତ୍ୟତା ନିଶ୍ଚିତ ହୋଇଛି ।
ଅଧିକ ପଢ଼ନ୍ତୁ : ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲ ମିସାଇଲ ମାଡ଼ ! ଇରାନ ରାଷ୍ଟ୍ରଦୂତଙ୍କ ବଡ଼ ଦାବି
ଇରାନର ମିସାଇଲ ଏବଂ ଡ୍ରୋନ୍ ଗୁଡ଼ିକ ବାହାରିନସ୍ଥିତ ଆମେରିକୀୟ ନୌସେନାର Fifth Fleet ମୁଖ୍ୟାଳୟ ଉପରେ ବାରମ୍ବାର ଆକ୍ରମଣ କରିଛି । ଦାବି ଅନୁଯାୟୀ, ବାହାରିନରେ ଥିବା ଏହି ପ୍ରମୁଖ ସାମରିକ ଘାଟିକୁ ଟାର୍ଗେଟ କରାଯିବା ଫଳରେ ପ୍ରାୟ ୧୬୦ ଜଣ ଆମେରିକୀୟ ସୈନ୍ୟ ମୃତାହତ ହୋଇଛନ୍ତି । ଏହା ବ୍ୟତୀତ, ଇରାନ ନୌସେନାର ମିସାଇଲ ମାଡ଼ରେ ଆମେରିକୀୟ ନୌସେନାର 'MST' କମ୍ବାଟ୍ ସପୋର୍ଟ ସିପ୍ ମଧ୍ୟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
IRGC ପ୍ରବକ୍ତା ଏକ ବଡ଼ ଖୁଲାସା କରି କହିଛନ୍ତି ଯେ, ଇରାନର ନୌସେନା ଚାବାହାର ଉପକୂଳଠାରୁ ପ୍ରାୟ ୨୫୦ ରୁ ୩୦୦ କିଲୋମିଟର ଦୂରରେ ମୁତୟନ ଥିବା ଆମେରିକୀୟ ବିମାନବାହୀ ପୋତ USS ଆବ୍ରାହମ ଲିଙ୍କନ ଉପରକୁ ଚାରୋଟି କ୍ରୁଜ୍ ମିସାଇଲ୍ ମାଡ଼ କରିଛି । ଏହି ଭୟଙ୍କର ଆକ୍ରମଣ ପରେ, ଉକ୍ତ ଯୁଦ୍ଧ ଜାହାଜଟି ନିଜକୁ ରକ୍ଷା କରିବା ପାଇଁ ଦକ୍ଷିଣ-ପୂର୍ବ ଭାରତ ମହାସାଗର ଆଡ଼କୁ ପଳାୟନ କରିଥିବା ଦାବି କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅପରେସନ 'ଟ୍ରୁ ପ୍ରମିସ ୪'ରେ ଇରାନ ନିଜର ସମସ୍ତ ସାମରିକ ଶକ୍ତିର ପ୍ରୟୋଗ କରୁଛି । ବର୍ତ୍ତମାନ ମଧ୍ୟପ୍ରାଚ୍ୟର ଏହି ଉତ୍ତେଜନା ଏକ ଅପ୍ରତ୍ୟାଶିତ ସ୍ତରରେ ପହଞ୍ଚିଛି, ଯାହା ଫଳରେ ସାରା ବିଶ୍ୱର ସୁରକ୍ଷା ପ୍ରତି ଏକ ଗମ୍ଭୀର ବିପଦ ସୃଷ୍ଟି ହୋଇଛି ।
Follow Us