କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ବଢ଼ିଚାଲିଛି ଅପରାଧ । ନିଇତି ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଅପରାଧ ଘଟଣା । କେଉଁଠି ବୋମା ଫୁଟିଲାଣି ତ କେଉଁଠି ବନ୍ଧୁକ ମୁନରେ ମିଳିଲାଣି ଧମକ। ଏସବୁ ଭିତରେ ଚୁପ୍ ବସିଛି କମିସନରେଟ ପୁଲିସ। ୭ ଜାନୁଆରି ୨୦୨୬ । ରାତି ପ୍ରାୟ ସାଢ଼େ ୯ଟା । କଳ୍ପନା ଛକ ନିକଟରେ ବସି ଖଟି କରୁଥିଲେ କିଛି ଯୁବକ । ଏହି ସମୟରେ ହଠାତ୍ ମାଡ଼ି ଆସିଥିଲେ ଅନ୍ୟ ଜଣେ ଯୁବକ । ତାଙ୍କ ହାତରେ ବୋମା ଥିବା ଦେଖି ଅନ୍ୟମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଧସ୍ତାଧସ୍ତି ବେଳେ ବୋମାଟି ସଂପୃକ୍ତ ଯୁବକଙ୍କ ହାତରେ ଫୁଟିଯାଇଥିଲା । ଭୟରେ ସମସ୍ତେ ଯୁଆଡ଼େ ପାରିଲେ ଦୌଡ଼ି ଚାଲିଯାଇଥିଲେ । ପରେ ପୁଲିସ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ନେଇଛି । ଘଟଣାରେ ଜଣକୁ ଅଟକ ରଖି ଖୋଳତାଡ଼ ଚଳାଇଛି ପୁଲିସ । ସୂଚନା ଅନୁଯାୟୀ ଚିନ୍ତାମଣିଶ୍ୱର ଅଞ୍ଚଳରେ କିଛି ଦିନ ହେଲା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପତିଆରା ବଢ଼ାଇବାକୁ ନେଇ ବିବାଦ ଆରମ୍ଭ ଲାଗି ରହିଥିଲା। ଏହାକୁ ନେଇ ଏ ଘଟଣା ଘଟିଥିବା କୁହାଯାଉଛି। 

Advertisment

ଅଧିକ ପଢ଼ନ୍ତୁ :  ଦିଲ୍ଲୀ ପ୍ରଦୂଷଣକୁ ନେଇ ସାରାଦେଶରେ ଚର୍ଚ୍ଚା ଭିତରେ ଓଡ଼ିଶାରୁ ଆସିଲା ସାଂଘାତିକ ଚିତ୍ର : ଚିନ୍ତାଜନକ ସ୍ଥିତିରେ ଭୁବନେଶ୍ବରର ବାୟୁ

 ଖାଲି ଏ ଗୋଟିଏ ଘଟଣା ନୁହେଁ, ଗତ କିଛି ଦିନ ହେଲା ଅଶାନ୍ତ ରହିଛି ରାଜଧାନୀ ଭୁବନେଶ୍ବର । ଗତକାଲି ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଜଣେ ଯୁବକ ହାତରେ ବନ୍ଧୁକ ଧରି ଖୁଲମଖୁଲା କାର୍‌ ଭିତରେ ଥିବା ଜଣେ ଯୁବତୀଙ୍କୁ ଧମକାଉଛନ୍ତି । ଏହା ପୂର୍ବରୁ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଗତ ଜାନୁଆରି ୧ରେ ଘଟଣାରେ ଗୁରୁତର ଥିବା ଯୁବକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ଅପରାଧ ସହ ଲୁଟପାଟ୍ ଏବଂ ଗଂଜେଇ ଚାଲାଣ ମଧ୍ୟ ବଢ଼ିଚାଲିଛି । ଗତ ୬ ତାରିଖ ରାତିରେ ଭୁବନେଶ୍ବର ଭରତପୁର ଅଞ୍ଚଳରେ ଏକ ଏଟିଏମରୁ ଲୁଟ୍‌ ଉଦ୍ୟମ କରିଥିଲେ ଲୁଟେରା । ଲୁଟରେ ବିଫଳ ହେବାରୁ ଦୁର୍ବୃତ୍ତ ଏଟିଏମ୍‌ ଭଙ୍ଗାରୁଜା କରିଥିଲେ । ସେହିପରି ଅନ୍ୟ ରାଜ୍ୟ ସମେତ ଓଡ଼ିଶାକୁ ଭୁବନେଶ୍ବର ବିମାନ ବନ୍ଦର ଦେଇ ଦାମୀ ସିଗାରେଟ୍‌, ମାରିଜୁଆନା ଏବଂ ନାନା ନିଶା ଦ୍ରବ୍ୟ ଚାଲାଣ ହେଉଛି ।