କନକବ୍ୟୁରୋ : ଦିଲ୍ଳୀ ପ୍ରଦୂଷଣକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଛି ସାଂଘାତିକ ଚିତ୍ର ।  ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପି ଯାଇଛି ଓଡ଼ିଶାର ୩ ସହର । ବାଲେଶ୍ବର, ତାଳଚେରର ସ୍ଥିତି ଅତି ଖରାପ ସ୍ତରରେ ପହଞ୍ଚିଥିବା ବେଳେ ତାଲିକାରେ ଯୋଡି ହୋଇଛି ବାରିପଦା ।  ରାଜଧାନୀ ଭୁବନେଶ୍ବରର ପ୍ରଦୂଷଣ ବି ଚିନ୍ତାଜନକ ।  ତଥାପି ପରିବେଶ ବିଭାଗର ନିଦ ଭାଙ୍ଗୁନି ।  

Advertisment

ବର୍ଷ ଆରମ୍ଭରୁ ସୃଷ୍ଟି ହୋଇପାରେ ଲଘୁଚାପ : ଧାନ ଅମଳ ବେଳେ ବଢ଼ିଲା ଭୟ

ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀବାସୀ ଆକ୍ତାମାକ୍ତା ହେବା ଖବର ଆପଣମାନେ ଟିଭିରେ ଦେଖିଥିବେ ।  କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇ ଦେଇଛି ଓଡ଼ିଶା । ଗୁରୁବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶର ୫ ପ୍ରଦୂଷିତ ସହର ଭିତରେ ରହିଥିଲା ରାଜ୍ୟର ୩ ସହର ବାଲେଶ୍ବର, ତାଳଚେର ଓ ବାରିପଦା ।  ବାୟୁ ପ୍ରଦୂଷଣ ତାଲିକାରେ ୩୩୬ AQI ସହ ବାଲେଶ୍ବର ଦେଶର ସବୁଠୁ ପ୍ରଦୂଷିତ ସହର ପାଲଟିଛି  ।   ୩୨୪ AQI ସହ ଦେଶରେ ଦ୍ୱିତୀୟ ସ୍ଥାନରେ ତାଳଚେର। ସେହିପରି ୩୦୪ AQI ସହ ବାରିପଦା ଦେଶର ପଞ୍ଚମ ପ୍ରଦୂଷିତ ସହର  ।  ଦେଶର ଅନ୍ୟ ଦୁଇ ପ୍ରଦୂଷିତ ସହର ହେଉଛି କୋଲକାତାର ହଳଦିଆ ଓ ପଞ୍ଜାବର ରୂପନଗର।  ଅନ୍ୟପଟେ ଆଜି ଦିଲ୍ଲୀର AQI ରହିଛି ୨୧୮ ।

ରାଜଧାନୀ ଭୁବନେଶ୍ବରର ବାୟୁର ମାନ ବି ଭଲ ନାହିଁ । ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଯେଉଁ ଚିତ୍ର ଆସୁଛି, ତାହା ବେଶ୍ ଚିନ୍ତାଜନକ। ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI 'ଅତି ଖରାପ' ଶ୍ରେଣୀକୁ ଛୁଇଁଛି ।  ଗତକାଲି ମାଷ୍ଟରକ୍ୟାଣ୍ଟିନ, ଲିଙ୍ଗରାଜ ମନ୍ଦିର, କଳିଙ୍ଗ ହସ୍ପିଟାଲର ଆଖପାଖ ଅଂଚଳରେ ୩୦୦ ଟପିଥିଲା AQ I। ଓଡ଼ିଶା ଭଳି ରାଜ୍ୟର ବାୟୁ ଏତେ ବିଷାକ୍ତ ହେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍।  ପରିବେଶ ମନ୍ତ୍ରୀ କହିଛନ୍ତି, ପ୍ରଦୂଷଣ ନେଇ ସଚେତନ ଅଛନ୍ତି ସରକାର। ଏହାକୁ ରୋକିବାକୁ ସମସ୍ତଙ୍କ ସହଭାଗିତାର ଆବଶ୍ୟକତା ଅଛି । 

ଓଡ଼ିଶା ଭଳି କମ୍ ଶିଳ୍ପ ଥିବା ରାଜ୍ୟର ବାୟୁ ପ୍ରଦୂଷଣ ବଢ଼ିବା, ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।  ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନନେଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ଆଶଙ୍କା ରହିଛି ।