କନକ ବ୍ୟୁରୋ : ଅନ୍ଧାରରେ ଭୋଗରାଇର ପର୍ଯ୍ୟଟନ ବଳୟ । ଦିନ ହେଲେ ଲୋକାରଣ୍ୟ ଆଉ ସଞ୍ଜ ହେଲେ ଜନ ଶୂନ୍ୟ । ପାଣିରେ ପଡ଼ିଲା ପର୍ଯ୍ୟଟନ ବିଭାଗର ୭ କୋଟି ୧୦ ଲକ୍ଷ ଟଙ୍କାର ଆଲୋକୀକରଣ ଯୋଜନା । ବର୍ଷ ୩ ଟା ନ ଯାଉଣୁ ୩ ଟି ପର୍ଯ୍ୟଟନ ସ୍ଥଳୀ ଏବେ କିଟିକିଟି ଅନ୍ଧାର । ଗୋଟେ ପଟେ ୧୫୦ରୁ ଊର୍ଦ୍ଧ୍ବ ଲାଇଟ୍‌ ଅଚଳ ହୋଇ ପଡ଼ିଥିବା ବେଳେ ଆଉ ଗୋଟେ ପଟେ ବନ ବିଭାଗ ଓ ପର୍ଯ୍ୟଟନ ବିଭାଗର ସମନ୍ୱୟ ଅଭାବରୁ ଜଳିପାରୁନି ୨୦୬ ଟି ଲାଇଟ ଖୁଣ୍ଟ । ଅନ୍ଧାରକାରମୟ ପାଲଟିଛି ଭୋଗରାଇର ପର୍ଯ୍ୟଟନ ବଳୟ କୁହାଯାଉଥିବା ତାଳସାରି, ଚନ୍ଦନେଶ୍ବର ଓ ଉଦୟପୁର ଭଳି ୩ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । 

Advertisment

ତ୍ରିଭୁଜ ଭଳି ସଜେଇ ହୋଇଥିବା ଏହି ୩ଟି ପର୍ଯ୍ୟଟନ ସ୍ଥଳୀକୁ ଆଲୋକୀକରଣ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟଟନ ବିଭାଗରୁ ୨୦୨୧ ଫେବ୍ରୁଆରି ୧୧ ତାରିଖରେ ୭ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଯାହାର କାର୍ଯ୍ୟଭାର ଦିଲ୍ଲୀର ଘରୋଇ ସଂସ୍ଥା NBCC କୁ ଦିଆଯାଇଥିଲା । ଆଉ ଏହାକୁ ସାରିବା ପାଇଁ ଉକ୍ତ ସଂସ୍ଥା ଗୋଟିଏ ବର୍ଷ ସମୟ ନେଇ କାର୍ଯ୍ୟ ଶେଷ କରିଦେଇ ଜିଲ୍ଲା ପ୍ରଶାସନ ହାତକୁ ଟେକି ଦେଇଥିଲା । ଯେଉଁଥିରେ ମୋଟ ୩୮୪ ଟି ଲାଇଟ ଖୁଣ୍ଟ ଲଗାଯାଇଥିଲା । କହିବାକୁ ଗଲେ ଚନ୍ଦନେଶ୍ବରରୁ ସାହାବାଜିପୁର ମଧ୍ୟରେ ୧୬୩ଟି, ସାହାବାଜିପୁରରୁ ଉଦୟପୁର ୬୩ଟି ଏବଂ ତାଳସାରିରୁ ଚନ୍ଦନେଶ୍ବର ୧୫୮ଟି ଲାଇଟ ଖୁଣ୍ଟ ପୋତା ଯାଇଥିଲା । 

ଅଧିକ ପଢ଼ନ୍ତୁ---ଓଡ଼ିଶା ବିକାଶ ପାଇଁ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍ , ପୂରଣ ହେବ ୬୫ ହଜାର ସରକାରୀ ପଦବୀ

ତେବେ ଉଦଘାଟନ ଦିନରୁ କେତେକ ଖୁଣ୍ଟରେ ଲାଇଟ ଅଚଳ ହୋଇ ପଡ଼ିଥିବା ବେଳେ ଏବେ ସମୁଦାୟ ଖୁଣ୍ଟରୁ ୧୫୦ରୁ ଅଧିକ ଖୁଣ୍ଟରେ ଲାଇଟ ଅଚଳ ହୋଇ ପଡ଼ିରହିଛି । ଖାଲି ସେତିକି ନୁହେଁ ପାଖାପାଖି ୩୦ ଖୁଣ୍ଟରୁ ଲାଇଟ ଚୋରି ହୋଇଯାଇଥିବା ବେଳେ ଏଯାବତ ତାହା ଲାଗି ପାରିନାହିଁ । ତେବେ ସେତେବେଳର ଜିଲ୍ଲାପାଳ ତରବରିଆ ଭାବେ ଏହାର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ପଞ୍ଚାୟତକୁ ଦାୟିତ୍ୱ ଦେଇଥିବା ବେଳେ ତାହା ପଂଚାୟତ ପାଇଁ ସମ୍ଭାଳିବା ସମ୍ଭବପର ନଥିଲା ବୋଲି ପଂଚାୟତ ପ୍ରତିନିଧି ମାନେ କହିଛନ୍ତି । 

ଅନ୍ୟପଟେ ଉଦୟପୁର ବେଳାଭୂମିରୁ ତାଳସାରି ବେଳାଭୂମି ପର୍ଯ୍ୟନ୍ତ ମେରାଇନ ଡ୍ରାଇଭରେ ଆଲୋକୀ କରଣ ପାଇଁ ଆଉ ଏକ ଯୋଜନାରେ ୨୦୬ ଟି ଆଲୁଅ ଲଗାଯିବା ପାଇଁ ବ୍ୟବସ୍ଥା ରହିଥିଲା । ଉଭୟ ବନ ବିଭାଗ ଓ ପର୍ଯ୍ୟଟନ ବିଭାଗର ବାଦ ବିବାଦ ପାଇଁ ଏହି କାମ ବି ଅଟକି ରହିଛି । ଏହା ପରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୨୦୨୫ ମେ’ ୨ରେ ତାଳସାରୀ ଉଦୟପୁର ଗସ୍ତରେ ଆସିଥିବା ବେଳେ ଏହି ସମସ୍ୟାକୁ ଦୂର କରି ଲାଇଟ ଖୁଣ୍ଟ ପୋତିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୨୦୬ ଟି ଲାଇଟ ଖୁଣ୍ଟ ଲଗା ଯାଇଥିଲା । ମାତ୍ର ଉଭୟ ବିଭାଗର ସମନ୍ୱୟ ଅଭାବ ଯୋଗୁ ଆଜି ପର୍ଯ୍ୟନ୍ତ ଏହି ଲାଇଟ ଜଳି ପାରୁନି । ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । 

ତେବେ ଉଦୟପୁର ସୀମାକୁ ଲାଗି ରହିଥ‌ିବା ପଶ୍ଚିମବଙ୍ଗ ଦୀଘାର ବେଳାଭୂମି ଆଲୋକ ମାଳାରେ ଝଲସି ଉଠୁଥିବା ବେଳେ ଭୋଗରାଇର ଏହି ୩ ପର୍ଯ୍ୟଟନ ସ୍ଥଳୀ ଏବେ ଅନ୍ଧକାରମୟ ହୋଇ ପଡ଼ିରହିଛି । ଯେଉଁଥି ପାଇଁ ଆସୁଥିବା ପର୍ଯ୍ୟଟକ ଓଡ଼ିଶାରେ ନୁହେଁ ବରଂ ଦୀଘାରେ ରହି ପଶ୍ଚିମବଙ୍ଗର ରାଜସ୍ୱ ବୃଦ୍ଧି କରୁଛନ୍ତି । ଏହାକୁ ନେଇ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଏ ବାବଦରେ ସେ ଜିଲ୍ଲାପାଳଙ୍କ ସହ କଥାହୋଇ ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି ।