Bombay-Ladoo Photograph: (KANAK NEWS)
କନକ ବ୍ୟୁରୋ : ଆପଣ ଯେତେବେଳେ କେଉଁ ମେଳା , ଯାନିଯାତ କିମ୍ବା ସପିଂ ମଲ୍ ବୁଲିବାକୁ ଯାଇଥିବେ ତା’ହେଲେ ସେଠାରେ ବାହାରେ ବିକ୍ରି ହେଉଥିବା କଟନ୍ କ୍ୟାଣ୍ଡି ଯାହାକୁ ବମ୍ବେ ଲଡୁ ବା ବୁଢ଼ିଆ ବାଲ୍ କୁହାଯାଏ ତାହା କେବେ ନା କେବେ ଖାଇଥିବେ । ଖାସ୍ କରି ଯଦି ସାଙ୍ଗରେ ଛୋଟ ପିଲା ଗଲେ ତା’ହେଲେ ଏହି ଗୋଲାପୀ ରଙ୍ଗର ମିଠେଇ ଖାଇବାକୁ ହିଁ ପଡ଼ିବ । ତେବେ ଛୋଟପିଲାଙ୍କୁ ଭାରି ପସନ୍ଦ ଏହି ବମ୍ବେ ଲଡୁ ସ୍ବାସ୍ଥ୍ୟ ପ୍ରତି କେତେ କ୍ଷତିକାରକ ଆପଣ ଜାଣିଛନ୍ତି କି ?
ତାମିଲନାଡୁ ସରକାର ଏହି କ୍ୟାଣ୍ଡିର ଉତ୍ପାଦନକୁ ବର୍ଷେ ତଳେ ହିଁ ବନ୍ଦ କରି ଦେଇଥିଲେ । ଯାହାର କାରଣ ଥିଲା ‘ରୋଡାମାଇନ୍ ବି’। ପିଲାଙ୍କ ମଧ୍ୟରେ ଅଧିକ ଖିଆ ଯାଉଥିବା ଏହି କଟନ୍ କ୍ୟାଣ୍ଡିରେ କିଛି ବିକ୍ରେତା ରୋଡାମାଇନ୍ ବି ଭଳି ହାନିକାରକ ରାସାୟନିକ ପଦାର୍ଥର ବ୍ୟବହାର କରୁଥିଲେ ବୋଲି ସୂଚନା ମିଳିଥିଲା । ଯାହା ଫଳରେ ପ୍ରଥମେ ପଣ୍ଡିଚେରୀ ଏବଂ ପରେ ତାମିଲନାଡୁରେ ଏହାର ଉତ୍ପାଦନକୁ ବନ୍ଦ କରାଗଲା । ତେବେ ରୋଡାମାଇନ୍ ବି'ର ବ୍ୟବହାର କ୍ୟାଣ୍ଡିର ରଙ୍ଗ ଗୋଲାପୀ କରେ ବୋଲି ସେତେବେଳେ କୁହାଯାଇଥିଲା । ଏହା ଏକପ୍ରକାର ରାସାୟନିକ ଯୌଗିକ ଯାହା ଚୁଟି କଲର୍ କରିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏଥିରେ ଥିବା ରାସାୟନିକ ପଦାର୍ଥ ପେଟକୁ ଗଲେ ନାନା ପ୍ରକାରର ରୋଗର ବାହକ ହେବା କାରଣରୁ ଦକ୍ଷିଣ ଭାରତର ଅନେକ ସ୍ଥାନରେ ଏହି କଟନ୍ କ୍ୟାଣ୍ଡିକୁ ବ୍ୟାନ୍ କରାଯାଇଛି । ଅଧ୍ୟୟନରୁ ଜଣାପଡ଼େ ଯେ ରୋଡାମାଇନ୍ ବିର ଅଧିକ ସେବନ କରିବା ଦ୍ବାରା କ୍ୟାନ୍ସର,ଲିଭର୍ ସମସ୍ୟା ଏବଂ ଶରୀରରେ ବିଷାକ୍ତ ପଦାର୍ଥର ମାତ୍ରା ବଢ଼ି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ରୂପ ନେଇଥାଏ ।
ଅଧିକ ପଢ଼ନ୍ତୁ---ସାବଧାନ୍ ! ଅତ୍ୟଧିକ ଚା’ ପିଇବା ହୋଇପାରେ ଘାତକ
ତାମିଲନାଡୁରେ କଟନ୍ କ୍ୟାଣ୍ଡିର ପ୍ରତିବନ୍ଧ ଖାସ୍ କରି ଛୋଟ ପିଲାଙ୍କ ପାଇଁ ଅଣାଗଲା । ଭାରତର ପ୍ରତି ଗଳିରେ ସହଜରେ ମିଳିଯାଉଥିବା ଏହି କ୍ୟାଣ୍ଡି ଦେହ ପାଇଁ କେତେ କ୍ଷତିକାରକ ଜାଣିବା ପରେ ବାପା,ମା’ମଧ୍ୟ ସଚେତନ ହେଉଛନ୍ତି । ବର୍ତ୍ତମାନ ଇନଷ୍ଟାରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ପ୍ରଫେସର ବି.ପି.ଏସ୍ ତ୍ୟାଗି ନାମକ ଜଣେ ଜଣାଶୁଣା ଡାକ୍ତର ଏହି କ୍ୟାଣ୍ଡିର ନକରାତ୍ମକ ପ୍ରଭାବ ଉପରେ ସଚେତନ କରାଉଥିବାର ନଜର ଆସିଛନ୍ତି । ଡାକ୍ତର ଭିଡିଓରେ କହୁଛନ୍ତି ଯେ କ୍ୟାଣ୍ଡିରେ ବ୍ୟବହୃତ ରଙ୍ଗ ପେଟକୁ ଯିବା ଫଳରେ ଏହା ମୂତ୍ର କିମ୍ବା ମଳ ଭାବରେ ବାହାରକୁ ବାହାରେ ନାହିଁ ବରଂ ଲିଭରରେ ଜମା ହୁଏ । ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଅନ୍ୟପଟେ ଏଥିରେ ଯେଉଁ ଜରିର କଭର୍ ଲଗାଯାଏ ବେଳେବେଳେ ବିକ୍ରେତା ମେସିନ୍ ବଦଳରେ ପାଟିରେ ପବନ ଭରିଥା’ନ୍ତି ଯାହାଦ୍ବାରା ସେମାନଙ୍କ ଶରୀରର ଯେଉଁ ସଂକ୍ରମଣ ରୋଗ ଥିବ ତାହା କ୍ୟାଣ୍ଡି ଖାଉଥିବା ଛୁଆଙ୍କ ଭିତରକୁ ପ୍ରବେଶ କରେ । ଏହାଦ୍ବାରା ଛୋଟ ଛୁଆଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଥାଏ । ଯେହେତୁ ଛୋଟ ପିଲାଙ୍କୁ ଏହି କ୍ୟାଣ୍ଡି ଖାଇବା ବହୁତ ପସନ୍ଦ ତେଣୁ ସେମାନଙ୍କ ଅଜାଣତରେ ହିଁ ଛାତିରେ ଇନଫେକ୍ସନ,ଟ୍ୟୁମର୍ କ୍ଲସେସ୍ ଭଳି ସଂକ୍ରମଣ ରୋଗ ବ୍ୟାପିଯାଏ । ତେବେ ସମୟ ପୂର୍ବରୁ ଏଥିପ୍ରତି ସତର୍କ ନହେଲେ ଜୀବନ ଚାଲିଯିବାର ଭୟ ମଧ୍ୟ ଲାଗିରୁହେ ।
Follow Us