Photograph: (kanaknews)
କନକ ବ୍ୟୁରୋ : ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକ ମୃତ୍ୟୁ ମାମଲା । ଜିରୋ ଏଫଆଇଆର ରୁଜୁ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହାସହ ବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ କରିଛନ୍ତି ମମତା ବାନାର୍ଜି। ଯାହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମମତାଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ।
ଏହି ମାମଲାରେ ଜିରୋ ଏଫ୍ଆଇଆର୍ ରୁଜୁ କରିଛି ପଶ୍ଚିମବଙ୍ଗ ପୁଲିସ। ଆଜି ସମ୍ବଲପୁର ପହଞ୍ଚିବ ବେଙ୍ଗଲ୍ ପୁଲିସ ଟିମ୍। ସମ୍ବଲପୁରରେ ବଂଗାଳୀ ଶ୍ରମିକ ଜୁଏଲ୍ ରାଣା ଓରଫ ସେଖ୍ ହତ୍ୟା ମାମଲାରେ ଜାଂଗିପୁର ପୁଲିସ ଜିଲ୍ଲା ଅନ୍ତର୍ଗତ ସୁତି ଥାନାରେ ‘ଜିରୋ ଏଫ୍ଆଇଆର୍’ ରୁଜୁ କରିଛି ପଶ୍ଚିମବଙ୍ଗ ପୁଲିସ। ଏ ସଂକ୍ରାନ୍ତରେ ପଶ୍ଚିମବଂଗ ପୁଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।
ବିଏସଏଫରେ ନିଯୁକ୍ତି ସୁଯୋଗ : ଜାଣନ୍ତୁ ଆବେେଦନର ପ୍ରକ୍ରିୟା
ପଶ୍ଚିମବଙ୍ଗ ପୁଲିସ ଏଥିରେ ଦର୍ଶାଇଛି ଯେ ସମ୍ବଲପୁରରେ ଶ୍ରମିକ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ତଥାପି, ପଶ୍ଚିମବଙ୍ଗ ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ‘ଜିରୋ ଏଫ୍ଆଇଆର୍’ ରୁଜୁ କରାଯାଇ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ସମ୍ବଲୁପର ପଠାଯାଇଛି। ଜୁଏଲ୍ଙ୍କ ପରିବାରବର୍ଗକୁ ନ୍ୟାୟ ପ୍ରଦାନ ପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ। ସମ୍ବଲପୁରରୁ ଶବ ଆଣିବା ପାଇଁ ମଧ୍ୟ ପଶ୍ଚିମବଂଗ ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଥିବା ଏଥିରେ ସୂଚନା ଦିଆଯାଇଛି ।
କୌଣସି ଆପରାଧିକ ମାମଲାରେ ଯେ କୌଣସି ଥାନାରେ ‘ଜିରୋ ଏଫ୍ଆଇଆର୍’ ରୁଜୁ କରାଯାଇ ଯେଉଁ ଥାନା ଅଧୀନରେ ଘଟଣା ଘଟିଥିବ, ସେଠାକୁ ପଠାଇ ଦିଆଯାଇଥାଏ। ଜିରୋ ଏଫ୍ଆଇଆର୍ ରୁଜୁ ହେଲେ ଆପରାଧିକ ତଦନ୍ତ କରିବାକୁ ସଂପୃକ୍ତ ଥାନା ବାଧ୍ୟ ହୋଇଥାଏ। ଏହି କ୍ଷେତ୍ରରେ କିନ୍ତୁ ସ୍ଥିତି ଭିନ୍ନ ରହିଛି। ଜୁଏଲ୍ ରାଣା ହତ୍ୟା ଘଟଣାରେ ସମ୍ବଲପୁରର ଅଇଁଠାପାଲି ଥାନାରେ ହତ୍ୟା ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତମାନଙ୍କୁ ବି ଗିରଫ କରାସରିଛି। ଏଭଳି ସ୍ଥିତିରେ ପଶ୍ଚିମବଂଗ ସରକାର ଏହି ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ପୁଲିସ ଟିମ୍ ପଠାଇଥିବାରୁ ଆଗାମୀ ଦିନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ପଶ୍ଚିମବଙ୍ଗ ପୁଲିସ ଟିମ୍ ପହଂଚିବା ପରେ ସ୍ଥିତି କ’ଣ ହେଉଛି, ତାହା ସ୍ପଷ୍ଟ ହେବ।
Follow Us