Photograph: (Kanak news)
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଓ ୩୨ ଖଣ୍ଡ କାଟି ପୋତିବା ଘଟଣାରେ ଆତ୍ମସମର୍ପଣ କଲେ ପଳାତକ ଡେପୁଟି ରେଞ୍ଜର୍ । ଦୀର୍ଘ ଦେଢ଼ ମାସ ଫେରାର ହୋଇ ରହିବା ପରେ ତୁମୁଡିବନ୍ଧ କୋର୍ଟ ଜେଏମଏଫସିଙ୍କ ନିକଟରେ ହାଜର ହୋଇଛନ୍ତି ନିଲମ୍ୱିତ ଡେପୁଟି ରେଞ୍ଜର୍ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ବିନୟ ବିଶି । ହାଜର ହେବାର ୪୮ ଘଣ୍ଟା ଭିତରେ ସମସ୍ତ ଦସ୍ତାବିଜ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ନିର୍ଦ୍ଦେଶକୁ ଆଧାର କରି ଡେପୁଟି ରେଞ୍ଜର ବାଲିଗୁଡା ଡିଏଫଓଙ୍କ ନିକଟକୁ ଆସି ସାକ୍ଷାତ କରିବା ସହ ତଦନ୍ତକାରୀ ଅଧିକାରୀ ମନୋରଞ୍ଜନ ବାଗଙ୍କ ନିକଟରେ ହାଜର ହୋଇ ସବିଶେଷ ତଥ୍ୟ ଉପସ୍ଥାପନ କରି ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ କହିଥିଲେ ।
ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ ୬ଜଣ ଶିକାରୀ, ଡେପୁଟି ରେଞ୍ଜରଙ୍କ ଡ୍ରାଇଭର, ଜେସିବି ଅପେରେଟର ସମେତ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ହାତୀ ମୃତ୍ୟୁ ପରେ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରି ହାତୀ ମୃତ ଶରୀରକୁ ୩୨ଖଣ୍ଡ କରି ମାଟି ତଳେ ପୋତିଦିଆଯାଇଥିଲା । ଏହି ଘଟଣାରେ ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଥିଲା । ଏହାସହ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଡେପୁଟି ରେଞ୍ଜରଙ୍କ ବିରୋଧରେ ତଦନ୍ତ ଚାଲିଥିଲା । ଏନେଇ ବିନୟ ବିଶିଙ୍କ ପରିବାରଙ୍କୁ ମଧ୍ୟ ବାରମ୍ବାର ଅବଗତ କରାଯାଇଥିଲା । ତଥାପି ତଦନ୍ତରେ ସହଯୋଗ କରୁନଥିଲେ ।
ଅଧିକ ପଢନ୍ତୁ : ଦନ୍ତା ହାତୀ ଆତଙ୍କରେ କଣାସ , ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ
ତେଣୁ ବିଭାଗ ପକ୍ଷରୁ ପଳାତକ ଘୋଷଣା ପରେ ସୋମବାର ଜେଏମଏଫସିଙ୍କ ନିକଟରେ ହାଜର ହୋଇଥିଲେ । ସେପଟେ ଦୁଇ ମାସର ବ୍ୟବଧାନ ପରେ ପୁଣି ଚମ୍ପୁଆ ମୁହାଁ ହାତୀପଲ । ସୋମବାର ରାତିରେ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଅତିକ୍ରମ କରି ସଦର ରେଞ୍ଜରୁ ୧୮ ଟିକିଆ ହାତୀପଲ କାଳିକାପ୍ରସାଦ ପଞ୍ଚାୟତର କୃଷ୍ଣପୁର ଜଙ୍ଗଲରେ ପ୍ରବେଶ କରିଛନ୍ତି । ଦୁଇ ମାସ ତଳେ ପାଟଣା ରେଞ୍ଜ ମଧ୍ୟ ଦେଇ ସଦର ରେଞ୍ଜକୁ ଚାଲି ଯାଇଥିଲେ ହାତୀପଲ । ତେବେ ଗତ ରାତିରେ ପୁଣି ଚମ୍ପୁଆ ବ୍ଲକର ଇଚିଣ୍ଡି ଗ୍ରାମ ଦେଇ କୃଷ୍ଣପୁର ଜଙ୍ଗଲକୁ ଆସିଛନ୍ତି ଏହି ହାତୀପଲ । ଫଳରେ ଇଚିଣ୍ଡା, ସୋଲଗୋଡା, ଚଉଠିଆ କୃଷ୍ଣପୁରରେ ବ୍ୟାପକ ପନିପରିବା ନଷ୍ଟ କରିଛନ୍ତି ହାତୀପଲ । ହାତୀପଲଙ୍କ ଉପରେ ବନ ବିଭାଗ ନଜର ରଖିଛି । ଅନ୍ୟପଟେ ହାତୀପଲଙ୍କୁ ନେଇ ଆଖପାଖ ଗ୍ରାମବାସୀ ଆତଙ୍କିତ ହେଇପଡ଼ିଛନ୍ତି ।
Follow Us