ଶ୍ରୀମନ୍ଦିରର ପ୍ରଥମ ନିର୍ମାତା ଥିଲେ ‘ପଲ୍ଲ’! ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ନୃସିଂହ ମନ୍ଦିରରେ ପୂଜା ପାଉଥିଲେ ମହାପ୍ରଭୁ

Advertisment

ଶ୍ରୀମନ୍ଦିର ନିର୍ମାଣ ଗଙ୍ଗବଂଶୀ ସମ୍ରାଟ ଗଙ୍ଗେଶ୍ୱର ଅର୍ଥାତ ଅନନ୍ତବର୍ମନ ଚୋଡ଼ଗଙ୍ଗଙ୍କ ଦ୍ୱାରା ସମ୍ଭବପର ହୋଇପାରିଥିଲା ସତ, କିନ୍ତୁ ନୂତନ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ କର୍ମକାର କୁଳର ଶିଳ୍ପୀ ‘ପଲ୍ଲ’।

ଶ୍ରୀମନ୍ଦିର ନିର୍ମାଣ ଗଙ୍ଗବଂଶୀ ସମ୍ରାଟ ଗଙ୍ଗେଶ୍ୱର ଅର୍ଥାତ ଅନନ୍ତବର୍ମନ ଚୋଡ଼ଗଙ୍ଗଙ୍କ ଦ୍ୱାରା ସମ୍ଭବପର ହୋଇପାରିଥିଲା ସତ, କିନ୍ତୁ ନୂତନ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ କର୍ମକାର କୁଳର ଶିଳ୍ପୀ ‘ପଲ୍ଲ’।

puri

puri Photograph: (kanak news)

କନକ ବ୍ୟୁରୋ: ଭବ୍ୟ ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ମଧ୍ୟ ପୂଜା ପାଉଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ନୁହେଁ, ବରଂ ମୁକ୍ତିମଣ୍ଡପ ସଂଲଗ୍ନ ନୃସିଂହ ମନ୍ଦିରରେ ବିରାଜିତ ଥିଲେ। ବର୍ତ୍ତମାନର ବିଶାଳ ଶ୍ରୀମନ୍ଦିର ନିର୍ମାଣ ଗଙ୍ଗବଂଶୀ ସମ୍ରାଟ ଗଙ୍ଗେଶ୍ୱର ଅର୍ଥାତ ଅନନ୍ତବର୍ମନ ଚୋଡ଼ଗଙ୍ଗଙ୍କ ଦ୍ୱାରା ସମ୍ଭବପର ହୋଇପାରିଥିଲା ସତ, କିନ୍ତୁ ନୂତନ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ କର୍ମକାର କୁଳର ଶିଳ୍ପୀ ‘ପଲ୍ଲ’। ଐତିହ୍ୟ ଗବେଷକ ଦୀପକ କୁମାର ନାୟକ ଏହି ଗବେଷଣାତ୍ମକ ତଥ୍ୟ ଉନ୍ମୋଚନ କରିଛନ୍ତି।

ନୃସିଂହ ମନ୍ଦିରରେ ସଂସ୍କୃତ ଭାଷା ଓ ନାଗରୀ ଲିପିରେ ଖୋଦିତ ୫ ଧାଡ଼ି ଅଭିଲେଖରୁ ଶ୍ରୀମନ୍ଦିରର ଆଦ୍ୟ ନିର୍ମାତା ‘ପଲ୍ଲ’ଙ୍କ ସମ୍ପର୍କିତ ତଥ୍ୟ ଉନ୍ମୋଚନ କରିଛନ୍ତି। ଶ୍ରୀ ନାୟକ କହିଛନ୍ତି, ୧୧୯୮ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶୀୟ ସମ୍ରାଟ ତୃତୀୟ ରାଜରାଜଙ୍କ ଦ୍ବାରା ପୁରୀର ଚନ୍ଦନପୁର ନିକଟବର୍ତ୍ତୀ ଦାସଗୋବା ଗ୍ରାମରୁ ଆବିଷ୍କୃତ ତାମ୍ରଶାସନରୁ ସମ୍ରାଟ ଗଙ୍ଗେଶ୍ବର ଅର୍ଥାତ ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବଙ୍କ ଦ୍ବାରା ଶ୍ରୀମନ୍ଦିର ନିର୍ମାଣ ସମ୍ଭବ ହୋଇପାରିଥିଲା ବୋଲି ସିଦ୍ଧ ହେଲା। ଏହା ପୂର୍ବରୁ ମାଦଳାପାଞ୍ଜି ଓ ଜନଶ୍ରୁତି ଆଧାରରେ ଅନଙ୍ଗଭୀମ ଦେବ ମନ୍ଦିରର ନିର୍ମାତା ଥିଲେ ବୋଲି କୁହାଯାଉଥିଲା। ମାତ୍ର ୧୯୮୯ ମସିହାରେ ଏଏସ୍ଆ‌ଇ (ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା) ପକ୍ଷରୁ ମୁକ୍ତିମଣ୍ଡପ ସଂଲଗ୍ନ ପ୍ରାଚୀନ ନୃସିଂହ ମନ୍ଦିରରୁ ଚୂନ ଛଡ଼ା ହେଉଥିବା ବେଳେ ପ୍ରାଚୀନ ଅଭିଲେଖ ନଜରକୁ ଆସିଥିଲା। ବିଶିଷ୍ଟ ଐତିହାସିକ ତଥା ଲିପିତତ୍ତ୍ୱବିତ୍‌ ସ୍ୱର୍ଗତ ସତ୍ୟନାରାୟଣ ରାଜଗୁରୁ ସେହି ଅଭିଲେଖଗୁଡ଼ିକର ଇଷ୍ଟାମ୍ପେଜ (ଛାପ) ସଂଗ୍ରହ କରି ପାଠୋଦ୍ଧାର କରିଥିଲେ। ପାଠୋଦ୍ଧାର ପରେ ତାଙ୍କ ଦ୍ବାରା ରଚିତ ‘ଇନ୍ସକ୍ରିପସନ୍‌ ଅଫ ଦି ଟେମ୍ପୁଲ ଅଫ ପୁରୀ ଆଣ୍ଡ ଅରିଜିନ୍‌ ଅଫ ଶ୍ରୀପୁରୁଷୋତ୍ତମ ଜଗନ୍ନାଥ’ ପୁସ୍ତକରେ ଶ୍ରୀମନ୍ଦିର ପୂର୍ବରୁ ନୃସିଂହ ମନ୍ଦିରରେ ଶ୍ରୀଜଗନ୍ନାଥ ଉପାସିତ ହେଉଥିବା କଥା ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ : କଳାହାଣ୍ଡି ଜିଲ୍ଲା କୋକସରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ

ଏହି ଅଭିଲେଖ ଗବେଷଣା କରିବା ବେଳେ ଗୁରୁତ୍ୱପୂର୍ଣ୍ଣ ଶିଳାଲେଖ ଶ୍ରୀ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶ୍ରୀ ନାୟକ କହିଛନ୍ତି, ନୃସିଂହ ମନ୍ଦିରରେ ସଂସ୍କୃତ ଭାଷା ଓ ନାଗରୀ ଲିପିରେ ଖୋଦିତ ୫ ଧାଡ଼ି ଅଭିଲେଖରୁ ଶ୍ରୀମନ୍ଦିର ନିର୍ମାଣ କରିଥିବା ଶିଳ୍ପୀଙ୍କ ନାମ ଜଣାପଡୁଛି। ଅଭିଲେଖର ପ୍ରଥମ ଓ ଦ୍ୱିତୀୟ ଧାଡ଼ିରେ ଲିଖିତ ‘ନବପୁରୁଷୋତ୍ତମଃନିଳୟସ୍ୟ କରମକର କୁଳପୁତ୍ର ପଲ୍ଲ..’ ପଂକ୍ତିରୁ ପ୍ରତୀତ ହେଉଛି, କର୍ମକାର କୁଳରେ ଜନ୍ମିତ ‘ପଲ୍ଲ’ ନାମକ ବ୍ୟକ୍ତି ମହାପ୍ରଭୁଙ୍କ ନୂତନ ମନ୍ଦିରର ନିର୍ମାତା ଥିଲେ। ଅଭିଲେଖଟିରେ ବର୍ଷ ବା ସମୟ ଉଲ୍ଲେଖ ହୋଇନଥିଲେ ମଧ୍ୟ ଶ୍ରୀରାଜଗୁରୁ ଲିପିତତ୍ତ୍ୱ ଦୃଷ୍ଟିରେ ଏହାକୁ ଦ୍ୱାଦଶ ଶତାବ୍ଦୀର ବୋଲି ମତ ଦେଇଛନ୍ତି। ଶିଳ୍ପୀ ପଲ୍ଲ ଏକ ଅଖଣ୍ଡ ଦୀପ ଜାଳିବା ପାଇଁ ୫ଟି ବଡ଼ ପାତ୍ର ଭର୍ତ୍ତି ତୈଳ ଓ ୭୦ ପୁଟି ଧାନ ଦାନର ବ୍ୟବସ୍ଥା କରିଥିଲେ। ଦେବଶିଳ୍ପୀ ବିଶ୍ୱକର୍ମାଙ୍କଠାରୁ ସୃଷ୍ଟ ଶିଳ୍ପୀମାନେ କର୍ମକାର ବଂଶର ବୋଲି ବିଶ୍ୱାସ କରାଯାଏ। ପଲ୍ଲ ସେହି କୁଳର ପୁତ୍ର ହୋଇଥିବାରୁ ତାଙ୍କୁ ଭବ୍ୟ ନୂତନ ମନ୍ଦିର ଗଢ଼ିବାକୁ ଦାୟିତ୍ୱ ଦିଆଯାଇଥିଲା ବୋଲି ସେ କହିଛନ୍ତି।  

କଲେଜ ପାଠ୍ୟକ୍ରମରେ ତାମ୍ରଶାସନ ଆଧାରରେ ଚୋଡ଼ଗଙ୍ଗଙ୍କୁ ଶ୍ରୀମନ୍ଦିରର ନିର୍ମାତା ବୋଲି ଦର୍ଶାଯାଇଛି। ଏହା ଗ୍ରହଣୀୟ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀରାଜଗୁରୁଙ୍କ ଦ୍ୱାରା ପଠିତ ଶିଳାଲେଖ ମୁତାବକ, ଶିଳ୍ପୀ ‘ପଲ୍ଲ’ଙ୍କ ନାମ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏଥିପାଇଁ ସ୍ବର୍ଗତ ରାଜଗୁରୁଙ୍କ ପରବର୍ତ୍ତୀ ପିଢ଼ିର ଐତିହାସିକ ଓ ଲିପିତତ୍ତ୍ୱବିତ୍‌ମାନେ ଉତ୍ତରଦାୟୀ। ତେଣୁ ପାଠ୍ୟ ପୁସ୍ତକରେ ଚୋଡ଼ଗଙ୍ଗଦେବଙ୍କ ନାଁ’ ସହ ଶିଳ୍ପୀ ‘ପଲ୍ଲ’ଙ୍କ ନାମ ମଧ୍ୟ ଯୋଡ଼ି ଦିଆଯାଉ। ଏହାଦ୍ୱାରା ଭବ୍ୟ ମନ୍ଦିରକୁ ନିର୍ମାଣ କରିଥିବା ଏହି ମହାନ ଶିଳ୍ପୀଙ୍କ ନାମ ଲୋକମୁଖରେ ଜୀବିତ ହୋଇ ରହିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe