କନକ ବ୍ୟୁରୋ : ଭେନେଜୁଏଲାରେ ନିକୋଲାସ ମାଦୁରୋଙ୍କୁ କ୍ଷମତାରୁ ହଟାଇବା ପରେ ଡୋନାଲ୍ଡ ଟ୍ରମ୍ପ ଏବେ କ୍ୟୁବା ଉପରେ ନଜର ରଖିଛନ୍ତି । ସେଠାକାର କମ୍ୟୁନିଷ୍ଟ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଆମେରିକା ପ୍ରଶାସନ ଗମ୍ଭୀରତାର ସହିତ ଅନେକ କଠୋର ବିକଳ୍ପ ଉପରେ ବିଚାର କରୁଛି । ଟ୍ରମ୍ପଙ୍କ ଦଳ ତେଲ ଆମଦାନି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରିବା ଭଳି ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରି କ୍ୟୁବାରେ ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଛି । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ୟୁବାର ଅର୍ଥନୀତି ଉପରେ ଚାପ ପକାଇବା ଓ ନେତୃତ୍ୱକୁ ପରିବର୍ତ୍ତନ କରିବା ।
ସମର୍ଥନ କରୁଛନ୍ତି ରୁବିଓ
ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ଭାବେ ସମର୍ଥନ କରୁଛନ୍ତି । ରୁବିଓ ଦୀର୍ଘ ଦିନ ଧରି କ୍ୟୁବା ସରକାରଙ୍କ ବିରୋଧରେ କଠୋର ନୀତି ତଥା ଆର୍ଥିକ ନିଷ୍ପତ୍ତି ପାଇଁ ସମର୍ଥନ କରିଆସୁଛନ୍ତି । ଜଣେ କ୍ୟୁବା-ଆମେରିକୀୟ ନାଗରିକ ଭାବରେ, ସେ କ୍ୟୁବା ବିରୋଧରେ ଅତ୍ୟନ୍ତ କଠୋର ମନୋଭାବ ପୋଷଣ କରୁଛନ୍ତି ଓ ଏହାକୁ ଆବଶ୍ୟକ ବୋଲି ଭାବୁଛନ୍ତି ।
ତେଲ ବନ୍ଦ ଧମକ
ରିପୋର୍ଟ ଅନୁସାରେ ଟ୍ରମ୍ପ ପ୍ରଶାସନ କ୍ୟୁବାରେ ଶାସନ ପରିବର୍ତ୍ତ କରିବା ପାଇଁ ତୈଳ ଆମଦାନି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇପାରେ । ଭେନେଜୁଏଲାରୁ କ୍ୟୁବାକୁ ତେଲ ଓ ଟଙ୍କା ଯୋଗାଣ ବନ୍ଦ କରିବାକୁ ଧମକ ପୂର୍ବରୁ ଆମେରିକା ଦେଇସାରିଛି । ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ କ୍ୟୁବାର ର୍ବଳ ଅର୍ଥନୀତି ପାଇଁ ଏହା ବିନାଶକାରୀ ହେବ ।
ଅଧିକ ପଢ଼ନ୍ତୁ---ଦିନକ ପରେ ସାଧାରଣତନ୍ତ୍ର ଦିବସ : ଦିଲ୍ଲୀର କର୍ତ୍ତ୍ୟବପଥରେ ଯବାନଙ୍କ ଫୁଲ୍ ଡ୍ରେସ ରିହରସାଲ
ଚୀନ୍-ରୁଷ ସହିତ ବଢୁଥିବା ସମ୍ପର୍କ
କ୍ୟୁବା ପ୍ରତି ଟ୍ରମ୍ପଙ୍କ ଅସନ୍ତୋଷର ଏକ ପ୍ରମୁଖ କାରଣ ହେଉଛି କମ୍ୟୁନିଷ୍ଟ ସରକାର ଚୀନ୍ ଓ ରୁଷ ସହିତ ଘନିଷ୍ଠତା ବଢିବାରେ ଲାଗିଛି । ଆମେରିକା ଏହାକୁ ଏକ ପ୍ରମୁଖ ସୁରକ୍ଷା ଚ୍ୟାଲେଞ୍ଜ ଭାବରେ ଦେଖୁଛି । ଚୀନ୍-ରୁଷ ସହିତ କ୍ୟୁବାର ସମ୍ପର୍କ ଆମେରିକା ଗଳାର କଣ୍ଟା ସାଜିଛି ।
ଆର୍ଥିକ ସ୍ଥିତି ସଙ୍କଟ ଜନକ
କ୍ୟୁବାର ବର୍ତ୍ତମାନର ଆର୍ଥିକ ପରିସ୍ଥିତି ଭୟଙ୍କର ରହିଛି । ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲଙ୍କ କ୍ଷମତା ଦୁର୍ବଳ ହେବାରେ ଲାଗିଛି । ତୈଳ ଯୋଗାଣ ବନ୍ଦ କରିବା ଦ୍ୱାରା ଏକ ମାନବିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି ।
ତେଲ ପାଇଁ ମେକ୍ସିକୋ ମୁହାଁ
ଆମେରିକାର ପ୍ରତିବନ୍ଧକ ପରେ, କ୍ୟୁବା ସାହାଯ୍ୟ ଆଶା କରି ନିଜର ତୈଳ ଆବଶ୍ୟକତା ପାଇଁ ମେକ୍ସିକୋ ଆଡକୁ ମୁହାଁଇଛି । ବିଶେଷଜ୍ଞମାନଙ୍କ ଅନୁସାରେ ମେକ୍ସିକୋରୁ ମିଳୁଥିବା ତେଲ କ୍ୟୁବାର ବିଶାଳ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ହେବ ନାହିଁ । ଏହି ଅଭାବ ଯୋଗୁ କ୍ୟୁବା ବିଦ୍ୟୁତ୍ ଓ ପରିବହନ ବ୍ୟବସ୍ଥା ବଜାୟ ରଖିବାରେ ଅସୁବିଧାର ସମ୍ମୁଖୀନ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/24/donald-trump-2026-01-24-09-24-13.jpg)