କନକ ବ୍ୟୁରୋ : ୯ ହଜାର ଏକର ଜମିରେ ବିଡ଼ିଏର ଟାଉନ ପ୍ଲାନିଂ । ଭୁବନେଶ୍ୱର ଗୋହିରିଆ ଛକ ନିକଟରେ ଚାଲିଛି ବିଡିଏର ଏହି ଟାଉନ ପ୍ଲାନିଂ । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପ୍ଲାନିଂ ସାଇଟକୁ ଯାଇ ସମୀକ୍ଷା କରିଛନ୍ତି । ୪ଟି ଯାକ ଟିପି ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛନ୍ତି । ଟିପି- ୧ ରେ ସହଜପୁର, ନରୋଗଦା, ଶିଯିପୁଟ, ପାଇକରାପୁର, ଟିପି ୨ ରେ  ବିଜିପୁର, ତମାଣ୍ଡୋ, ଟିପି-୩ ରେ ପାଇକରାପୁର, ନୂଆଗାଁ , ଟିପି-୪ ରେ ଶ୍ୟାମସୁନ୍ଦରପୁର ରହିଛି । ସମୁଦାୟ ଜମିର ୬୦ ପ୍ରତିଶତ ଜମି ମୂଳ ମାଲିକଙ୍କୁ ଫେରାଇବ ବିଡ଼ିଏ ।

Advertisment

ଅବଶିଷ୍ଟ ୪୦ ପ୍ରତିଶତ ଜମିରେ ବିଡ଼ିଏ ରାସ୍ତା, ଡ୍ରେନ, ସ୍ୱେରେଜ ଇତ୍ୟାଦି ତିଆରି କରିବ । ପୁରୀରେ ମଧ୍ୟ ଆରମ୍ଭ ହେବ ଟିପି ସ୍କିମ ବା ଟାଉନ ପ୍ଲାନିଂ ସ୍କିମ । ପୁରୀ କର୍ପୋରେସନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହି ଅନୁସାରେ ଏହାର କଳେବର ବଢାଇବାକୁ ଯୋଜନା ଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଜମି ଜବରଦଖଲ ଉଛେଦ ସରଳିକରଣ କରାଯିବ । ଲୋକମାନେ ସୁବିଧାରେ କିଭଳି ଘର ପାଇପାରିବେ ସେ ନେଇ ବ୍ୟବସ୍ଥା କରାଯିବ ।

ଅଧିକ ପଢ଼ନ୍ତୁ : ବଦଳିଲା ରାଜଭବନର ନାଁ; ଏଣିକି ଭୁବନେଶ୍ୱର ଓ ପୁରୀ ରାଜଭବନ ନାଁ ହେବ ଲୋକଭବନ

ସେପଟେ ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ୱରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିବା ପରେ ସରକାରଙ୍କ ପକ୍ଷରୁ ଆଉ ୨ ନୂଆ ତହସିଲ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକ‌ା‌ଶ ପରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି । ପୂର୍ବରୁ ଥିବା ୨୮ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ସର୍କଲକୁ ୩ଟି ତହସିଲ ଅଫିସ୍‌ ଅଧୀନରେ ଭାଗ ଭାଗ କରିବା ପାଇଁ ନୀଳ ନକ୍ସା ପ୍ରସ୍ତୁତ ହୋଇଛି ।

ଏବେ ଉପକଣ୍ଠରେ ଜମି କିଣାବିକା ଅଧିକ ହେଉଛି । ସହର ଖଣ୍ଡଗିରି ଓ ରସୁଲଗଡ଼ ଦିଗରେ ବଢୁଛି । ତେଣୁ ଏହି ୨ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କର ଜମି କିଣାବିକା, ମାଲିକାନା ହସ୍ତାନ୍ତର, ପଟ୍ଟା ପ୍ରସ୍ତୁତି, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସମସ୍ୟା ହେଲେ କଳ୍ପନା ସ୍ଥିତ କାର୍ଯ୍ୟାଳୟକୁ ଦୌଡ଼ିବାକୁ ହେଉଛି । ସେଥିପାଇଁ ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ତହସିଲ ଅଧୀନରେ ସୁନ୍ଦରପଦା, ଭୁବନେଶ୍ୱର, ଇତିପୁର, ଧଉଳି ଓ ଶିଶୁପାଳ ଭଳି ୯ଟି ଆର୍‌ଆଇ ସର୍କଲ ରହିବାକୁ ଯୋଜନା ହୋଇଛି । ସେହିଭଳି  ନୂଆ ଖୋଲା ହେବାକୁ ଥିବା ରସୁଲଗଡ଼ ଅଞ୍ଚଳରେ ଗାଡ଼କଣ, ବାସୁଆଘାଇ, ଲକ୍ଷ୍ମୀସାଗର, ଗଡ଼ଗୋବିନ୍ଦପ୍ରସାଦ, ପାଣ୍ଡରାକୁ ମିଶାଇ ୯ଟି ଆର୍‌ଆଇ ସର୍କଲ ରହିବ । ଖଣ୍ଡଗିରିରେ ହେବାକୁ ଥିବା ଆର୍‌ଆଇ ସର୍କଲରେ ପାଇକରାପୁର, ପାତ୍ରପଡ଼ା, ଜାଗମରା, ତମାଣ୍ଡୋ, ଘାଟିକିଆ ସମେତ ୧୦ଟି ସର୍କଲ ରହିବ । ଏହା ସରକାରୀ ଅନୁମୋଦନ ପାଇବା ପରେ ନୂଆ ତହସିଲ ଅଞ୍ଚଳକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।