କନକ ବ୍ୟୁରୋ: ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ଲିଗ୍ ବିଗ୍ ବାସ୍ ଲିଗ (ବିବିଏଲ) କ୍ରିକେଟକୁ ନେଇ ନିଜର ଅଭିନବ ପ୍ରୟୋଗକୁ ନେଇ ପରିଚିତ । ଆଜି ଆମେ ଆଇପିଏଲରେ ଯେଉଁ ଇମ୍ପାକ୍ଟ ପ୍ଲେୟର ବ୍ୟବସ୍ଥା ଦେଖୁଛେ, ତାହା ପ୍ରଥମେ ବିବିଏଲରେ ଏକ୍ସ-ଫାକ୍ଟର ନାମରେ ଆରମ୍ଭ ହୋଇଥିଲା । ଏବେ ବିବିଏଲ ଏକ ନୂଆ ପ୍ରୟୋଗ ଆରମ୍ଭ କରିବାକୁ ଯାଉଛି । ତାହା ହେଉଛି ଡେଜିଗନେଟେଡ୍ ବ୍ୟାଟର (ଡିବି) ଓ ଡେଜିଗନେଟେଡ୍ ଫିଲ୍ଡର (ଡିଏଫ) ବ୍ୟବସ୍ଥା । ଏହାକୁ ୨୦୨୬-୨୭ ସିଜିନରୁ ଆରମ୍ଭ କରାଯିବ । ଏହି ନୂଆ ନିୟମ କ୍ରିକେଟର ରୋମାଞ୍ଚ ବଢାଇବାରେ ସହାୟକ ହେବା ଆଶା କରାଯାଉଛି ।
ଏହା ବି ପଢ଼ନ୍ତୁ: ଅର୍ଶଦୀପଙ୍କୁ କାହିଁକି ବସାଇଛ ? ପ୍ରଶ୍ନ କଲେ ଅଶ୍ୱିନ
ଯଦି କୌଣସି ଦଳ ଡେଜିଗନେଟେଡ୍ ବ୍ୟାଟର ଓ ଡେଜିଗନେଟେଡ୍ ଫିଲ୍ଡର ଚୟନ କରନ୍ତି ତେବେ ସେ ଟସ୍ ସମୟରେ ତାହାକୁ ଘୋଷଣା କରିବେ । ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ହିଁ ଏମାନଙ୍କୁ ଚୟନ କରାଯିବ । ଜଣେ ଡେଜିଗନେଟେଡ୍ ବ୍ୟାଟର କେବଳ ବ୍ୟାଟିଂ କରିପାରିବେ । ସେହିପରି ଜଣେ ଡେଜିଗନେଟେଡ୍ ଫିଲ୍ଡର କେବଳ ଫିଲ୍ଡିଂ କିମ୍ବା ଓ୍ବିକେଟ ରକ୍ଷଣ କରିପାରିବେ । କିନ୍ତୁ ସେ ବୋଲିଂ କରିପାରିବେ ନାହିଁ । ତେବେ ଏହା ବର୍ତ୍ତମାନ ଆଇପିଏଲରେ ଚଳିତ ଇମ୍ପାକ୍ଟ ପ୍ଲେୟର ଠାରୁ ଟିକିଏ ଅଲଗା । ଇମ୍ପାକ୍ଟ ପ୍ଲେୟର ୧୨ ଜଣ ଖେଳାଳିଙ୍କ ମଧ୍ୟରୁ ବଛାଯାଏ, କିନ୍ତୁ ଡେଜିଗନେଟେଡ୍ ବ୍ୟାଟର ଓ ଫିଲ୍ଡର ୧୧ ଜଣ ମଧ୍ୟରୁ ହିଁ ବଛାଯାଏ । ଏଣୁ ଟିମର ସନ୍ତୁଳନ ବିଗିଡ଼ିବାର ସମ୍ଭାବନା ନାହିଁ । ଏହି ନୂଆ ନିୟମର ଲକ୍ଷ୍ୟ ହେଉଛି ସିନିୟର ବିସ୍ଫୋରକ ବ୍ୟାଟ୍ସମ୍ୟାନମାନଙ୍କୁ ଅଧିକ ଦିନ ଖେଳିବାର ସୁଯୋଗ ଦେବା ।
Follow Us