କନକ ବ୍ୟୁରୋ : ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ୍ ଏଣ୍ଡ ହୋସ୍ପିଟାଲ । ପ୍ରତିବର୍ଷ ଏକାଧିକ ଡାକ୍ତର ଜନ୍ମ ଦେଉଥିବା ମେଡିକାଲ କଲେଜ୍ ଏବେ ଜମିପଟା ବ୍ୟାଧିରେ ପୀଡ଼ିତ । ନିଜସ୍ଵ ନାଁରେ ଜମି ପଟା ନଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ମିଳୁନି ସବୁଜ ସଙ୍କେତ । ହୋଇପାରୁନି ଅଗ୍ନି ନିରାପତ୍ତା ବ୍ୟବସ୍ଥା। ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସ୍ଥାନାନ୍ତର ହୋଇପାରୁନାହିଁ ମେଡିକାଲ କଲେଜର ହସ୍ପିଟାଲ ।
ଗୋଟିଏ ପଟେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହଉ ଯାଉ । ବେଡ୍ ଅଭାବରୁ ଚଟାଣରେ ଗଡୁଛନ୍ତି । ଅନ୍ୟପଟେ ମେଡ଼ିକାଲ କଲେଜର ବଡ଼ବଡ଼ କୋଠା ଓ ବିଳାସପୂର୍ଣ୍ଣ ଭିତ୍ତିଭୂମି ମୂଲ୍ୟହୀନ ହୋଇପଡ଼ିଛି । ସ୍ୱାସ୍ଥ୍ୟ ଉପକରଣ ସବୁ ବନ୍ଦ ଘରେ ପରସ୍ପର ଠରାଠରି ହେଉଛନ୍ତି । ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ଦାବି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ଚତୁର୍ଥ ସରକାରୀ ମେଡ଼ିକାଲ କଲେଜ ଭାବେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ ସ୍ଥାପନ ହେଲା । ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ଠାରେ ୫୮ ଏକର ଜାଗାରେ ଠିଆ ହୋଇଛି । ୨୦୧୭ ସେପ୍ଟେମ୍ବର ୬ରେ ଏହାର ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତେବେଳେ କେବଳ ଛାତ୍ରଛାତ୍ରୀଙ୍କ ପଢ଼ିବା ଓ ରହିବା ବ୍ୟବସ୍ଥା ଥିଲା । ଅନ୍ୟସବୁ ନିର୍ମାଣାଧୀନ ଥିଲା । ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ମେଡିକାଲ କଲେଜକୁ ଯୋଡ଼ି ପାଠପଢ଼ା ଆରମ୍ଭ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଚାଲିଛି । ଏବେ ମେଡିକାଲ କଲେଜ ହସ୍ପିଟାଲ ପୂର୍ଣ୍ଣାଙ୍ଗ ରୂପ ନେଇସାରିଛି । ସ୍ୱତନ୍ତ୍ର ବିଭାଗ ସହ ଉଚ୍ଚକୋଟୀର ଆଇସିୟୁ ପ୍ରସ୍ତୁତ ହୋଇରହିଛି । ସମସ୍ତ ଭିତ୍ତିଭୂମି ରହିଛି। ହେଲେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏତେ ସବୁ ଥାଇ ମଧ୍ୟ ଲାଭନାହିଁ । ଡାକ୍ତରଖାନା ଠିଆ ହୋଇଥିବା ସ୍ଥାନଟି ଡାକ୍ତରଖାନା ନାଁରେ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ।
ଅଧିକ ପଢ଼ନ୍ତୁ : ମୟୂରଭଞ୍ଜ ଓ ଦେବଗଡ଼ର ସୁନା ଖଣି ନିଲାମ କରିପାରନ୍ତି ରାଜ୍ୟ ସରକାର, ନିଲାମ ନେଇ ଆସନ୍ତା ୩ ତାରିଖରେ ବୈଠକ
ଜଙ୍ଗଲ ଜମି ବିବାଦ ପାଇଁ ଅକାମି ହୋଇପଡ଼ିଛି। ମେଡିକାଲ କଲେଜ ପୁରା କ୍ୟାମ୍ପସର ପ୍ରାୟ ୨୪ ହେକ୍ଟର ଜଙ୍ଗଲ ଜମି ରହିଛି । ପୂର୍ବରୁ ସେଠାରେ ଟସର ଚାଷ କରାଯାଉଥିଲା । ୨୦୧୫ରେ ଜଙ୍ଗଲ ଆଇନର ଉଲ୍ଲଂଘନ କରି ଜମିକୁ କଲେଜକୁ ହସ୍ତାନ୍ତର କରାଯାଇଥିଲା। ସେଠାରେ ଥିବା ୫ଶହ ଗଛ କଟାଯାଇଥିଲା। ସେଥିପାଇଁ ତତ୍କାଳୀନ ଉପ-ଜିଲ୍ଲାପାଳ ଓ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ହୋଇଛି । ଆଉ ସେହି ବିବାଦ ତୁଟୁନଥିବାରୁ ଜାଗା ମେଡିକାଲ କଲେଜ ନାମରେ ହୋଇପାରୁନି । ମେଡିକାଲ କଲେଜ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ହୋଇପାରୁନାହିଁ । ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଭିଡ଼ ଲାଗୁଛି, ସେବା ଯୋଗାଇବାରେ ସମସ୍ୟା ହେଉଛି । ଏସଂପର୍କରେ ପ୍ରତିକ୍ରିୟା ରଖି, ଅବ୍ୟବସ୍ଥା ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ପିଆର୍ଏମ୍ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ ।
ଅଧିକ ପଢ଼ନ୍ତୁ : ମୟୂରଭଞ୍ଜ ବିଭାଜନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ; ଜିଲ୍ଲାବାସୀଙ୍କ ମନରେ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ
ମେଡିକାଲ କଲେଜ ଓ ହସ୍ପିଟାଲ ଜଙ୍ଗଲ ଜମି ବିବାଦର ଆଇନଗତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଉଠାଇଥିବା ପ୍ରଶ୍ନର ବିଧିବଦ୍ଧ ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ଓଡ଼ିଶା ବନ ମୁଖ୍ୟାଳୟ ପକ୍ଷରୁ କେନ୍ଦ୍ର ମନ୍ତ୍ରଣାଳୟର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଯାଇଥିବା ରିପୋର୍ଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସ୍ପଷ୍ଟୀକରଣ ଦିଆଯାଇଛି ।
Follow Us