କନକ ବ୍ୟୁରୋ: ୭ ଫେବୃଆରୀରୁ ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬କୁ ନେଇ ଜାରି ରହିଥିବା ବିବାଦ ଥମିବାର ନାମ ନେଉନାହିଁ । ପ୍ରଥମେ ଭାରତ-ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖିବାକୁ ନେଇ ବିତର୍କ ଆରମ୍ଭ ହୋଇଥିଲା । ଏହା ପରେ ବାଂଲାଦେଶୀ ଦଳ ଭାରତରେ ନିଜର ମ୍ୟାଚ୍ ଖେଳିବାକୁ ମନା କରିଦେଇଛି ।
ଏଭଳି ପରିସ୍ଥିତିରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲର ଚିନ୍ତା ବଢିଯାଇଛି । ବାଂଲାଦେଶ କ୍ରିକେଟ୍ ବୋର୍ଡ ଆଇସିସି ସହିତ ବୈଠକରେ ଏକ ପ୍ରସ୍ତାବ ରଖିଥିଲା ଯେ ବାଂଲାଦେଶ ଏବଂ ଆୟର୍ଲାଣ୍ଡ ପରସ୍ପର ମଧ୍ୟରେ ଗ୍ରୁପ୍ ବଦଳାଇ ଦିଅନ୍ତୁ, ଯାହାଦ୍ୱାରା ବାଂଲାଦେଶର ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର ହୋଇଯିବ । ବୋର୍ଡର ଯୁକ୍ତି ଥିଲା ଯେ ଏହାଦ୍ୱାରା ଲଜିଷ୍ଟିକ୍ ପରିବର୍ତ୍ତନ ସର୍ବନିମ୍ନ ହେବ ।
ତେବେ କ୍ରିକେଟ୍ ଆୟର୍ଲାଣ୍ଡ ବାଂଲାଦେଶ ସହ ଗ୍ରୁପ୍ ବଦଳାଇବା ପ୍ରସ୍ତାବକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଦେଇଛି, ଯାହାଦ୍ୱାରା ବିସିବି ପାଇଁ ସ୍ଥିତି ଆହୁରି କଷ୍ଟକର ହୋଇପଡିଛି । କ୍ରିକେଟ୍ ଆୟର୍ଲାଣ୍ଡ ସ୍ପଷ୍ଟ କରିଛି ଯେ ସେମାନଙ୍କ ଦଳର କାର୍ଯ୍ୟସୂଚୀ ଯେପରି ଅଛି, ସେହିପରି ରହିବ । ଅର୍ଥାତ୍ ତାଙ୍କ ଦଳ ନିଜର ସମସ୍ତ ଗ୍ରୁପ୍-ଷ୍ଟେଜ୍ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋରେ ହିଁ ଖେଳିବ ।
କ୍ରିକେଟ୍ ଆୟର୍ଲାଣ୍ଡର ଜଣେ ଅଧିକାରୀ କହିଛନ୍ତି, 'ଆମକୁ ଆଇସିସିଠାରୁ ସ୍ପଷ୍ଟ ଆଶ୍ୱାସନା ମିଳିଛି ଯେ ଆମେ ମୂଳ କାର୍ଯ୍ୟସୂଚୀରୁ ହଟିବୁ ନାହିଁ । ଆମେ ନିଶ୍ଚିତ ଭାବରେ ଶ୍ରୀଲଙ୍କାରେ ହିଁ ଗ୍ରୁପ୍-ଷ୍ଟେଜ୍ ଖେଳିବୁ ।' ଏହି ବୟାନ ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡର ଆଶାକୁ ଶକ୍ତ ଝଟକା ଲାଗିଛି । ବାଂଲାଦେଶୀ ବୋର୍ଡ କ୍ରମାଗତ ଭାବରେ ଆଇସିସିକୁ ଅନୁରୋଧ କରୁଛି ଯେ ତାଙ୍କ ଦଳର ମ୍ୟାଚ୍ ଭାରତ ପରିବର୍ତ୍ତେ ଶ୍ରୀଲଙ୍କାରେ କରାଯାଉ ।
ଆହୁରି ପଢ଼ନ୍ତୁ... ଟ୍ୱେଣ୍ଟି-୨୦ ବିଶ୍ୱକପ୍: ଇଂଲଣ୍ଡର ପାକ୍ ବଂଶୋଦ୍ଭବଙ୍କୁ ମିଳିଲା ଭିସା
ବାଂଲାଦେଶ ସରକାର ଦଳ, ପ୍ରଶଂସକ, ଗଣମାଧ୍ୟମ ଏବଂ ସପୋର୍ଟ ଷ୍ଟାଫଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି କାରଣରୁ ବାଂଲାଦେଶୀ ବୋର୍ଡ ଆଇସିସି ନିକଟରେ ଦାବି କରିଛି ଯେ ବାଂଲାଦେଶର ମ୍ୟାଚ୍ ଶ୍ରୀଲଙ୍କାରେ କରାଯାଉ ଏବଂ ଆୟର୍ଲାଣ୍ଡ ସହିତ ଗ୍ରୁପ୍ ବଦଳାଇବା ଉପରେ ବିଚାର କରାଯାଉ । ବିସିବି ବିଶ୍ୱାସ କରେ ଯେ କେବଳ ଗ୍ରୁପ୍ ସ୍ୱାପ୍ ମାଧ୍ୟମରେ ହିଁ ଏହା ସମ୍ଭବ ହୋଇପାରିବ । କିନ୍ତୁ ଆୟର୍ଲାଣ୍ଡର ମନା କରିବା ପରେ ଏହି ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି।
ବର୍ତ୍ତମାନ ପରିସ୍ଥିତି ଏପରି ଯେ ବାଂଲାଦେଶୀ ଦଳ ଭାରତରେ ଖେଳିବାକୁ ରାଜି ହେଉନାହିଁ । ଅନ୍ୟପଟେ ଆଇସିସି ମଧ୍ୟ କାର୍ଯ୍ୟସୂଚୀ ବଦଳାଇବାକୁ ପ୍ରସ୍ତୁତ ଥିବା ଜଣାପଡୁନାହିଁ । ଏହା ସହିତ ଆୟର୍ଲାଣ୍ଡ ମଧ୍ୟ ଗ୍ରୁପ୍ ସ୍ୱାପ୍ ପାଇଁ ରାଜି ହେଉନାହିଁ। ଏହାଦ୍ୱାରା ଟୁର୍ଣ୍ଣାମେଣ୍ଟ ଉପରେ ଅନିଶ୍ଚିତତା ଆହୁରି ବଢିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ ଆଇସିସି ଅନ୍ୟ ବିକଳ୍ପ ଗୁଡିକ ଉପରେ ବିଚାର କରୁଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଧିକାରିକ ନିଷ୍ପତ୍ତି ନିଆଯାଇ ନାହିଁ ।
ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶକୁ ଗ୍ରୁପ୍-ସି'ରେ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନେପାଳ ଏବଂ ଇଟାଲୀ ସହିତ ରଖାଯାଇଛି । ବାଂଲାଦେଶକୁ ତିନୋଟି ମ୍ୟାଚ୍ କୋଲକାତାରେ ଏବଂ ଗୋଟିଏ ମ୍ୟାଚ୍ ମୁମ୍ବାଇରେ ଖେଳିବାର ଅଛି । ସେହିପରି ଆୟର୍ଲାଣ୍ଡ ଗ୍ରୁପ୍-ବି'ରେ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଜିମ୍ବାୱେ ଏବଂ ଓମାନ ସହିତ ଅଛି । ଆୟର୍ଲାଣ୍ଡର ତିନୋଟି ଯାକ ଗ୍ରୁପ୍ ମ୍ୟାଚ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/18/bangladesh-2026-01-18-18-02-09.jpg)