କନକ ବ୍ୟୁରୋ : ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭାରତ ପ୍ରତ୍ୟର୍ପଣ ନକଲେ ବି ଦୁଇଦେଶର ବୃହତ୍ତର ସମ୍ପର୍କ ଖରାପ ହେବନାହିଁ। ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି-ବିଏନପିର ବରିଷ୍ଠ ନେତା ଏହା କହିଛନ୍ତି। ଆସନ୍ତାକାଲି ବିଏନପି ଅଧ୍ୟକ୍ଷ ତାରିକ ରହମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ।
୨୦୨୪ରେ କ୍ଷମତାଚ୍ୟୁତ ହେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଚାଲିଆସିଛନ୍ତି। ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ବାରମ୍ବାର ଦାବି କରିଆସୁଥିଲେ। ହସିନାଙ୍କ ରାଜନୈତିକ ଦଳ ଆୱାମୀ ଲିଗର କିଛି ନେତାଙ୍କୁ ମଧ୍ୟ ପ୍ରତ୍ୟର୍ପଣ ପାଇଁ ଦାବି କରାଯାଇଥିଲା। ତେବେ ଏସମ୍ପର୍କରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି- ବିଏନପିର ସାଧାରଣ ସମ୍ପାଦକ ମୀର୍ଜା ଫଖରୁଲ ଇସଲାମ ଆଲମଗିର୍ କହିଛନ୍ତି, ଭାରତ ସହିତ ବଂଲାଦେଶର ସମ୍ପର୍କରେ ଏହି ଏକମାତ୍ର ପ୍ରସଙ୍ଗ ବାଧକ ହେବନାହିଁ। ବାଂଲାଦେଶର ସ୍ୱାର୍ଥ ପାଇଁ ବିଭିନ୍ନ ପ୍ରକଳ୍ପକୁ ଆଗକୁ ନିଆଯିବ। ବିକାଶରେ ଭାରତର ସହଭାଗୀତାକୁ ଆଗକୁ ନିଆଯିବ। ମୀର୍ଜା ଫଖରୁଲ ଇସଲାମ ଆଲମଗିର୍ କହିଛନ୍ତି, ହସିନାଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ନେଇ ବହୁ ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ବାଂଲାଦେଶର ଲୋକ ଚାହୁଛନ୍ତି। ତେବେ ହସିନାଙ୍କୁ ଭାରତ ପ୍ରତ୍ୟର୍ପଣ ନକଲେ ମଧ୍ୟ ଦୁଇଦେଶ ମଧ୍ୟରେ ବାଣିଜ୍ୟ ଓ ଅନ୍ୟ ସମ୍ପର୍କକୁ ଆଗକୁ ନିଆଯିବ।
ଅଧିକ ପଢ଼ନ୍ତୁ : ଅନ୍ଧାର ହୋଇଯିବ ବାଂଲାଦେଶ, ଶୀଘ୍ର ବକେୟା ଟଙ୍କା ପୈଠ କରିବାକୁ ଆଦାନୀ ଗ୍ରୁପ୍ ର ଚେତାବନୀ
ଭାରତ- ବାଂଲାଦେଶ ବୃହତ୍ତର ସମ୍ପର୍କ ବାଧାପ୍ରାପ୍ତ ହେବନାହିଁ ବୋଲି ମୀର୍ଜା ଫଖରୁଲ ଇସଲାମ ଆଲମଗିର୍ କହିଛନ୍ତି । ଭାରତ ସହିତ ବାଂଲାଦେଶ ଆଗାମୀ ଦିନରେ ଭଲ ସମ୍ପର୍କ ରଖିବାକୁ ଚାହୁଖିବା ପୂର୍ବରୁ ସଂକେତ ମିଳିସାରିଛି। ମଧ୍ୟବର୍ତ୍ତୀ ସରକାର ସମୟରେ ବାଂଲାଦେଶରେ ବହୁ ହିନ୍ଦୁଙ୍କୁ ହତ୍ୟା ପରେ ଭାରତ କଡ଼ା ଆଭିମୁଖ୍ୟ ଦେଖାଇଥିଲା। ଏହାସତ୍ତ୍ୱେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଆସନ୍ତାକାଲି ତାରିକ ରହମାନଙ୍କ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରିତ କରାଯାଇଛି। କିନ୍ତୁ କାର୍ୟ୍ୟବ୍ୟସ୍ତତା ଯୋଗୁ ମୋଦୀଙ୍କ ବଦଳରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଯୋଗଦେବେ।
Follow Us