କନକ ବ୍ୟୁରୋ : ବାଂଲାଦେଶରେ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ଆସିସାରିଛି । ଏବେ ଚଳିତମାସ ୧୭ ତାରିଖରେ ନୂଆ ସରକାର ଶପଥ ନେବାକୁ ଯାଉଛି । ଏହି ଶପଥଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ବାଂଲାଦେଶର ଅନ୍ତରୀଣ ସରକାର ୧୩ ଟି ଦେଶର ପ୍ରମୁଖଙ୍କୁ ଏହି ଶପତଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି । ଭାରତର ବିଦେଶ ମନ୍ତ୍ରଣାଳୟର ସୂଚାନ ମୁତାବକ ଏହି ଶପଥଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥାନରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ପ୍ରତିନିଧିତ୍ୱ କରିବେ ।
ବିଦେଶ ମନ୍ତ୍ରଣାଳୟର ସୂଚାନ ମୁତାବକ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଫେବୃଆରି ୧୭ ତାରିଖରେ ଢାକାରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଚେୟାରମ୍ୟାନ ତାରିକ୍ ରେହମାନ ନେତୃତ୍ୱରେ ଗଠନ ହେବାକୁ ଯାଉଥିବା ନୂଆ ସରକାରର ଶପଥଗ୍ରହଣ ଉତ୍ସବରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବେ । ସେପଟେ ତାରିଖ ରେହମାନଙ୍କ ପାର୍ଟିର ବିଜୟ ପରେ ଭାରତ ତରଫରୁ ସ୍ୱାଗତ କରାଯାଇଛି ।
ଅଧିକ ପଢ଼ନ୍ତୁ : ମହିଳା ଲିଗ୍ ଆରମ୍ଭ କରିବ ବାଂଲାଦେଶ
ନୂଆ ସରକାରର ଶପଥଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ ୧୩ ଦେଶରର ସରକାର ମୁଖ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଥିରେ ଚୀନ, ସାଉଦିଆରବ, ଭାରତ, ପାକିସ୍ତାନ, ତୁର୍କୀ, ସଂଯୁକ୍ତ ଆରବ ଏମିରେଟ୍, କତର, ମାଲେସିଆ, ବ୍ରୁନେଇ, ଶ୍ରୀଲଙ୍କା ନେପାଳ, ମାଲଦୀପ ଓ ଭୂଟାନ ସାମିଲ ଅଛି । ୧୭ ତାରିଖ ସକାଳେ ସଂସଦର ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ସନ୍ଧ୍ୟାରେ ନୂଆ କ୍ୟାବିନେଟ ଗଠନ ହୋଇ ଶପଥ ପାଠ ହେବ ।
Follow Us