Sulia jatra Photograph: (kanak news)
କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ ସୁଲିଆ ଯାତ୍ରା । ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ସୁଲିଆ ବୁଢ଼ା ଯାତ୍ରାରେ ପୂଜା କରିବା ପାଇଁ ଉତ୍ସାହିତ ମୁଖ୍ୟ ଦେହେରୀ, ପୂଜକ । ଚଳିତ ବର୍ଷ ଠାରୁ ସୁଲିଆ ମହୋତ୍ସବର ମଧ୍ୟ ଆୟୋଜନ କରାଯାଉଛି । ଆସନ୍ତାକାଲିଠୁ ଆରମ୍ଭ ହେବ ବଲାଙ୍ଗୀରର ପ୍ରସିଦ୍ଧ ସୁଲିଆ ଯାତ୍ରା । ଏଥିପାଇଁ ଉତ୍ସବ ମୁଖରିତ ଦେଓଗାଁ କୁଲୁତାପଡ଼ା ପଞ୍ଚାୟତର କୁମୁରିଆ ଓ ଖଇରଗୁରା ଗାଁ । ସାନ ଖଳା ଓ ବଡ଼ ଖଳାରେ ବାଉଁଶ ବାଡ଼ ଦେଇ ବଳି ପଡ଼ିଆକୁ ପ୍ରସ୍ତୁତ କରୁଛନ୍ତି ଦେହେରି ପରିବାର ସଦସ୍ୟ । କିଏ ଶାବଳ ଧରି ଗାତ ଖୋଳୁଛି ତ’ ଆଉ କିଏ ଖୁଣ୍ଟ ପୋତୁଛି । ଆଉ କିଏ ଟାଙ୍ଗିଆ ଧରି ବାଉଁଶ କାଟୁଛି । ଘରେଘରେ କୁଣିଆ ବି ଭର୍ତ୍ତି । ଭୋଜି କରିବାକୁ ମହିଳା ପୁରୁଷ ଜଙ୍ଗଲରୁ କାଠ ସଂଗ୍ରହ କରି ଆଣୁଥିବାର ଚିତ୍ର ଦେଖିବାକୁ ମିଳିଛି ।
ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରୁ ହଜାର ସଂଖ୍ୟାରେ ଭକ୍ତ ଏହି ଯାତ୍ରା ଦେଖବାକୁ ଆସିଥାନ୍ତି । ଚଳିତ ବର୍ଷ ସୁଲିଆ ମହୋତ୍ସବ ଆୟୋଜନ କରାଯାଇଛି । ତେବେ ଏହି ଯାତ୍ରାରେ ଚାଲିଥିବା ବଳିପ୍ରଥାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁର ବିଭିନ୍ନ ଗୋଷ୍ଠୀଙ୍କୁ ଡାକି ଆଲୋଚନା କରାଯାଇଛି । ଖଇରଗୁରା ଗାଁରେ ସୁଲିଆଙ୍କର ଏକ ମନ୍ଦିର ନିର୍ମାଣ ନେଇ ପ୍ରଶାସନ ପକ୍ଷରୁ ମିଳିଥିବା ଦୀର୍ଘ ବର୍ଷର ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇପାରିନି । ଫଳରେ ଦେହେରୀ ମାନେ ନିଜ ନିଜ ଭିତରେ ଚାନ୍ଦା କରି ସୁଲିଆ ଭକ୍ତଙ୍କ ସହଯୋଗରେ ମନ୍ଦିର ତିଆରି କରୁଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ---ମନ ମୋହୁଛି ଯାଜପୁରର ବାରୁଣାବନ୍ତ ; ପର୍ଯ୍ୟଟନସ୍ଥଳୀକୁ ଜୀବନ୍ତ କରିଛନ୍ତି ସରପଞ୍ଚ
Follow Us