କନକ ବ୍ୟୁରୋ : ୧୦ ବର୍ଷ ହେଲା ଗୋଟିଏ ଜାଗାରେ ବସିଛନ୍ତି ମାନସିକ ଅନଗ୍ରସର ଯୁବକ । ଦୀର୍ଘ ବର୍ଷ ହେଲା ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ବୃଦ୍ଧ ବାପାଙ୍କ କାନ୍ଧରେ ୩୨ ବର୍ଷୀୟ ଭେଣ୍ଡିଆ ପୁଅର ବୋଝ । ଭଙ୍ଗା ଦଦରା ଘରେ ବାପା ପୁଅ ଜୀବନ ବିତାଉଛନ୍ତି । ନା କୁଆଡ଼େ ଯାଆନ୍ତି, ନା କହା ସହ କଥା ହୁଅନ୍ତି। ଦୁନିଆ କ’ଣ ବୁଝିବାର ସାମର୍ଥ୍ୟ ନାହିଁ ତାଙ୍କ ପାଖରେ। କିଛି ପଚାରିଲେ ହୁଁ ପଦେ ବି କୁହନ୍ତିନି। ଇଚ୍ଛା ହେଲେ ଖାଆନ୍ତି, ନହେଲେ ନାହିଁ। ଏ ଯୁବକ ଜଣକ ହେଉଛନ୍ତି ଗଞ୍ଜାମ କହ୍ନେଇପୁର ପଞ୍ଚାୟତ ଠେକୁଆପଲ୍ଲୀ ଗାଁର ବାଦଲ ଦାସ। ବାଦଲ ଜନ୍ମରୁ ଏମିତି ନଥିଲେ। ମା’ଙ୍କ ମୃତ୍ୟୁ ପରେ ଧୀରେଧୀରେ ନିଜ ମାନସିକ ଭାରସାମ୍ୟ ହରାଇ ବସିଲେ। ଦୀର୍ଘ ୧୦ ବର୍ଷ ହେଲା ଗୋଟିଏ ଜାଗାରେ ବସିଛନ୍ତି। ଘରେ କବାଟ ନାହିଁ, ଟିଣ ଛପର କଣା ହୋଇ ପାଣି ଗଳୁଛି । କିନ୍ତୁ ବାଦଲ ସେମିତି ବସିରହିଛନ୍ତି। ପୁଅର ଚିକିତ୍ସା ପାଇଁ କିଛି ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ବାପା । 

Advertisment

ବାଦଲଙ୍କ ବାପା ଗୋଲେଖ ଦାସଙ୍କ ମୁଣ୍ଡ ବି ଠିକରେ କାମ କରୁନି। କାମ କରିବାକୁ ବଳ ପାଉନି। ଅନ୍ୟ ଦୁଇ ପୁଅ କେବେଠାରୁ ଘର ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ଏଇ ବୟସରେ ୩୨ ବର୍ଷୀୟ ଭେଣ୍ଡିଆ ପୁଅର ବୋଝ ମୁଣ୍ଡାଇଛନ୍ତି। ମୂଲ ଲାଗି ବାପା ପୁଅ ଚଳୁଛନ୍ତି। ପଡ଼ିଶା ଘର ଦାଦା ଖୁଡ଼ି କିଛି ଦିନ ବାଦଲଙ୍କ ଚିକିତ୍ସା କରାଇଥିଲେ, ତାପରେ ଆର୍ଥିକ ସଙ୍କଟ ପାଇଁ ଆଉ ସାହାଯ୍ୟ କରିପାରିଲେନି। ସରକାରୀ ସହାୟତା କହିଲେ, ବାପା-ପୁଅଙ୍କୁ ରାସନ କାର୍ଡରେ ୧୦ କେଜି ଚାଉଳ ମିଳୁଛି। ବାଦଲଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇବା ପାଇଁ ଲୋକେ ଅନୁରୋଧ କରିଛନ୍ତି । କୁହାଯାଏ ସମୟ ବଡ଼ ବଳବାନ। କେତେବେଳେ କାହାକୁ କେଉଁଠିକି ନିଏ କେହି କହିପାରିବନି। ଦିନେ ହସଖୁସିରେ ଜୀବନ ବିତାଉଥିବା ପିଲା ଆଜି ମାନସିକ ଅନଗ୍ରସର। ପୁଅର ଚିକିତ୍ସା ହେଲେ ସେ ଭଲ ହୋଇପାରିବ ବୋଲି ଆଶା ରଖିଛନ୍ତି ବାପା ।

ଅଧିକ ପଢ଼ନ୍ତୁ---ଖତ ଖାଉଛି ୨୦ ଲକ୍ଷର ପାର୍କ ; ବିଭାଗୀୟ ଅବହେଳାକୁ ଦାୟୀ କଲେ ସ୍ଥାନୀୟ ଲୋକେ