କନକ ବ୍ୟୁରୋ: ଆଇନଶୃଙ୍ଖଳାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ । ଗତକାଲିର ହତ୍ୟା ଘଟଣାକୁ ନେଇ ମୋହନ ସରକାରକୁ ବିରୋଧୀ ବିଜେଡି ଓ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି । ଏହାର ଜବାବ୍ ଦେଇଛନ୍ତି ବିଜେପି ବିଧାୟକ ବାବୁ ସିଂ । କହିଛନ୍ତି, ଗତକାଲି ଘଟଣା ଚିନ୍ତାଜନକ । ଛୋଟଛୋଟ କଥାରେ ଲୋକ ମାନସିକତା ହରାଉଛନ୍ତି । କିଛି ବଡ଼କଥାରୁ ନୁହେଁ ବରଂ ଯୁବକମାନେ ବିଭିନ୍ନ ଛୋଟଛୋଟ ଘଟଣାରେ ହତ୍ୟା କରୁଛନ୍ତି । ଆଇନଶୃଙ୍ଖଳା ହାତକୁ ନେଲେ ୨୪ ଘଣ୍ଟାରେ ଧରା ପଡ଼ୁଛନ୍ତି । ୧୦ ମାସର ସରକାରଙ୍କର ଲକ୍ଷ୍ୟ ଲୋକେ କିପରି ନ୍ୟାୟ ପାଇବେ। ବିରୋଧୀଙ୍କ ଅଭିଯୋଗ ନେଇ ଗୋଟିଏ କଥା ଯେ ବିଗତ ୧୪ ବର୍ଷରେ ସରକାରୀ ଦଳର ଲୋକମାନେ ଅପରାଧ ଘଟାଉଥିଲେ । ଏ ସରକାରରେ ସେପରି କୌଣସି ଘଟଣା ଘଟିବ ନାହିଁ।
ବିଜେପି ଏପରି ଘଟଣାରେ ସଂପୃକ୍ତି ନାହିଁ । ବିଜେପିର କୌଣସି କାର୍ଯ୍ୟକର୍ତ୍ତା ବି ଏହାପଛରେ ରହିବେ ନାହିଁ । ଯଦି ଥିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ । ବିଗତ ସରକାରରେ ଅପରାଧୀଙ୍କୁ ଧରିବାକୁ ସମୟ ଲାଗୁଥିଲା । ହେଲେ ଏହି ସରକାରରେ ୨୪ ଘଣ୍ଟାରେ ଅପରାଧୀ ଧରାପଡ଼ି କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଉଛି । କଂଗ୍ରେସକୁ ଟାର୍ଗେଟ୍ କରି ବାବୁ କହିଛନ୍ତି ତାଙ୍କ ସମୟରେ ଛବି ରାଣୀ, ଅଞ୍ଜନା ମିଶ୍ରଙ୍କ ପରି ନାରୀ ନିର୍ଯାତନା ଘଟୁଥିଲା । ଏପରି କାଣ୍ଡ କରି ନିର୍ଭୟରେ ଅପରାଧୀ ବୁଲୁଥିଲେ । କଂଗ୍ରେସ ସେମାନଙ୍କ ପଛରେ ରହୁଥିଲା । ବିଜେଡି ସମୟରେ ପରୀ, ନବ ଦାସ ହତ୍ୟା ଘଟିଲା, ଏଥିରେ ବିଜେଡି ନେତା ପଛରେ ଥିଲେ । ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସରେ ଏ ସରକାର ଆସିଛି । ତେଣୁ ସେମାନେ ସମାଲୋଚନା କରିବା ପୂର୍ବରୁ ବାସ୍ତବବାଦୀ ହୁଅନ୍ତୁ ବୋଲି ବାବୁ କହିଛନ୍ତି ।
ହୋଲିରେ ରାଜନୀତିରେ ହତ୍ୟା ଘଟଣା । ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିଥିଲେ ବିରୋଧୀ । ଉଭୟ କଂଗ୍ରେସ ଓ ବିଜେଡି ସରକାରଙ୍କୁ କଲେ ସମାଲୋଚନା । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ନୂଆ ସରକାର ଏହି ୮ ମାସରେ ଆଇନଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିଦେଇଛି । ହୋଲିରେ ହତ୍ୟାକାଣ୍ଡ ହେଉଛି । ଭୁବନେଶ୍ୱର ପରି ସିଟି ଯାହା ହାଏ ସିକ୍ୟୁରିଟିରେ ରହୁଛି ବୋଲି କୁହାଯାଏ, ସେଠି ବି ହତ୍ୟା ହେଲା । ମାଆମାନେ ଏଇଠି ଅସୁରକ୍ଷିତ, ଶିଶୁ ମାଆ ହେଉଛନ୍ତି । ସରକାର ନାରୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ସହ ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା ପାଇଁ ଗୃହରେ ପ୍ରତିଶୃତି ଦେବା ଦରକାର। ଏହା ନହେବା ଯାଏଁ କଂଗ୍ରେସର ପ୍ରତିବାଦ ଜାରି ରହିବ । ଆସନ୍ତାକାଲି ବିଧାନସଭାରେ କଂଗ୍ରେସ ଏ ପ୍ରସଙ୍ଗ ଉଠାଇବ ।
ସେପଟେ, ବିଜେଡି ନେତା ଅରୁଣ ସାହୁ କହିଛନ୍ତି, ସ୍ମାର୍ଟ ସିଟିରେ ସ୍ମାର୍ଟ ମର୍ଡର ହେଲା। ମହାନଗର ନିଗମରେ ହତ୍ୟା ହେଲା । ହୋଲି ପୂର୍ବରୁ ପୋଲିସ କହିଥିଲା ଆମେ ସଂପୂର୍ଣ୍ଣ ପ୍ରସ୍ତୁତି କରିଛୁ । ଯଦି ଏତେ ପ୍ରସ୍ତୁତି ଥିଲା ତାହାଲେ କେମିତି ହତ୍ୟା ହେଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ଖାଲି ଏତିକି ନୁହେଁ ବରଂ ଦିନଦ୍ବିପ୍ରହରରେ ଏମିତି ହେଲେ ଲୋକେ ସୁରକ୍ଷିତ ତ? ବୋଲି ପ୍ରଶ୍ନ କରିଛନ୍ତି ।