କନକ ବ୍ୟୁରୋ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ପରାଜୟ ସହ ଅଭିଯାନ ଶେଷ କରିଛି । ଘରୋଇ ଦଳ ବିପକ୍ଷ ପ୍ରଥମେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ଭାରତ ଅଭିଯାନ ଆରମ୍ଭ କରିଥିଲା । ହେଲେ ପରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ହାରିବା ସହ ଏକମାତ୍ର ଦିବା-ରାତ୍ର ଟେଷ୍ଟ୍ରେ ବି ପରାଜୟର ମୁହଁ ଦେଖିଥିଲା ଭାରତ । ଫଳରେ ଭାରତ ଏହି ମଲ୍ଟି ଫର୍ମାଟ୍ ଶୃଙ୍ଖଳାରେ ୪-୧୨ରେ ପଛରେ ପଡ଼ିଯାଇଛି । ଅନ୍ୟପକ୍ଷରେ ଭାରତ ବିପକ୍ଷ ଟେଷ୍ଟ୍କୁ ୧୦ ୱିକେଟ୍ରେ ଜିତି ଅଷ୍ଟ୍ରେଲିଆ ଦଳ ଅଧିନାୟିକା ଅଲିସା ହିଲିଙ୍କୁ ସମ୍ମାନର ସହ ବିଦାୟ ଦେଇଛି ।
ଏହା ବି ପଢ଼ନ୍ତୁ: ୩୩ ଆଇସିସି ପ୍ରତିଯୋଗିତା ଖେଳି ଭାରତ ଜିତିଛି ୭ ଟ୍ରଫି
ୱାକାରେ ରବିବାର ତୃତୀୟ ଦିନରେ ଗତକାଲିର ସ୍କୋର୍ ୧୦୫/୬ରୁ ଖେଳ ଆରମ୍ଭ କରିଥିବା ଭାରତ ଏଥିରେ ଆଉ ମାତ୍ର ୪୪ ରନ୍ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍ ହରାଇ ୧୪୯ ରନ୍ କରିପାରିଥିଲା । ଏହି ମ୍ୟାଚ୍ ୩ ଦିନରେ ଶେଷ ହୋଇଥିଲେ ମଧ୍ୟ ତିନି ନମ୍ବରରେ ବ୍ୟାଟିଂ ଆସିଥିବା ପ୍ରତୀକା ରାୱଲ (୬୩ ରନ୍) ଏକାକୀ ଲଢ଼ି ଭାରତକୁ ପାଳି ପରାଜୟରୁ ରକ୍ଷା କରିଥିଲେ । ସେ ଓ ସ୍ନେହ ରାଣା (୩୦) ସପ୍ତମ ୱିକେଟ୍ରେ ୫୦ ରନ୍ର ଭଗୀଦାର ଗଢ଼ିଥିଲେ । ଅନ୍ୟପକ୍ଷରେ ପ୍ରଥମ ପାଳିରେ ମହତ୍ବପୂର୍ଣ୍ଣ ୧୨୫ ରନ୍ର ଅଗ୍ରଣୀ ପାଇଥିବା ଘରୋଇ ଦଳ ସମ୍ମୁଖରେ ୨୫ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଏହାକୁ ଘରୋଇ ଦଳ ୪.୩ ଓଭରରେ କୌଣସି ୱିକେଟ୍ ନ ହରାଇ ହାସଲ କରି ନେଇଥିଲା । ଜର୍ଜିଆ ଭୋଲ୍ ୧୮* ଓ ଫୋଏବ ଲିଚ୍ଫିଲ୍ଡ ୧୧* ଅପରାଜିତ ରହିଥିଲେ । ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଅନ୍ନାବେଲ ସଦରଲାଣ୍ଡ (୪/୪୬, ୧୨୯ ରନ୍, ୨/୧୫) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
Follow Us