କନକ ବ୍ୟୁରୋ :ଅଷ୍ଟ୍ରେଲିଆର ସିଡନୀ ସହରରେ ରବିବାର ସନ୍ଧ୍ୟାରେ ବଡ଼ ଅଘଟଣ ଘଟିଛି । ଏଠାରେ ଥିବା ସମୁଦ୍ର ପାଖରେ ୟୁହୁଦୀମାନେ ପର୍ବ ପାଳନ କରୁଥିବା ବେଳେ ଅଚାନକ କିଛି ଲୋକ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଫଳରେ ଘଟଣା ସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣା ଘଟିବା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଶହ ଶହ ଲୋକ ଜୀବନ ବଞ୍ଚାଇବାକୁ ଚଢ଼ାଭିଡ଼ା ହୋଇ ବାହାରକୁ ବାହାରି ଆସୁଥିବାର ଦେଖିବାକୁ ମିଳିଛି । ଏହି ଘଟଣା ୟୁହୁଦୀ ପର୍ବ ହନୁକ୍କା ପାଳନ ବେଳେ ଘଟିଛି । ଏଠାରେ ୨ ହଜାରରୁ ଅଧିକ ଲୋକ ଠୁଳ ହୋଇଥିଲେ । 

Advertisment

ଅଧିକ ପଢ଼ନ୍ତୁ:ବିଳିବିଳେଇଲେଣି ଟ୍ରମ୍ପ : ଚୀନ୍ ଉପରେ ଟାରିଫ୍ ମାଡ଼, ଅଷ୍ଟ୍ରେଲିଆ ଉପରେ ରାଗ

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ନ୍ୟୁ ସାଉଥ୍ ୱେଲସ ଆମ୍ବୁଲାନ୍ସ ସେବାକୁ ସ୍ଥାନୀୟ ସମୟ ୬.୪୫ ବେଳେ ବୋଡି ବେଳାରେ କିଛି ଲୋକଙ୍କ ଉପରେ ଗୁଳି ଚାଳନା ହୋଇଥିବା ଖବର ଆସିଥିଲା । ଆମ୍ବୁଲାନ୍ସ କର୍ମଚାରୀଙ୍କ କହିବା ମୁତାବକ କିଛି ଲୋକଙ୍କୁ ଘଟଣା ସ୍ଥଳରେ ଚିକିତ୍ସା କରାଯାଇଥିଲା ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ବୋଡି ବେଳାରେ ଗୋଟିଏ ପରେ ଗୋଟିଏ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଲା । ପରେ ଜଣାପଡ଼ିଲା କି, ସେଠାରେ ଚାଲିଥିବା ୟୁହୁଦୀମାନଙ୍କ ପର୍ବରେ କେହି ଗୁଳି ଚଳାଉଛି । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲ୍ୱନୀଜଙ୍କ କାର୍ଯ୍ୟାଳୟ ତରଫରୁ ଘଟଣାକୁ ପ୍ରତିକ୍ରିୟା ଆସିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି କି, ଘଟଣା ବାବଦରେ ଅବଗତ ରହିଛି  କାର୍ଯ୍ୟାଳୟ । ଏବେ ଘଟଣାର ଯାଂଚ କରୁଛି ପୁଲିସ ।