କନକ ବ୍ୟୁରୋ :ସାରା ବିଶ୍ବକୁ ନାକେଦମ୍ କରିସାରିଲେଣି ଟ୍ରମ୍ପ । ଟ୍ରମ୍ପଙ୍କ ବାଚାଳାମୀ ପାଇଁ ଆମେରିକା ଠାରୁ ଗୋଟିଏ ପରେ ଗୋଟିଏ ଦେଶ ଦୂରକୁ ଯିବାରେ ଲାଗିଲେଣି । ତଥାବି ସୁଧୁରୁନାହାନ୍ତି ଟ୍ରମ୍ପ । ନୋବେଲ ଆଶା ଆଶାରେ ରହିଯିବା ପରେ ଟ୍ରମ୍ପ ଆହୁରି ବିଳିବିଳେଇବା ଆରମ୍ଭ କରିଦେଇଛନ୍ତି । କେବେ କେଉଁ ଦେଶ ଉପରେ ଟାରିଫ୍ ଉପରେ ଟାରିଫ୍ ଲଗାଉଛନ୍ତି ତ ଆଉ କେବେ ପ୍ରେସମିଟ୍ ମଝିରେ କେଉଁ ଦେଶର ରାଷ୍ଟ୍ରଦୂତଙ୍କୁ ଗାଳି କରୁଛନ୍ତି । ଏବେ ଆଉ ଏକ ବାଚାଳାମୀ ବି ଦେଖିବାକୁ ମିଳିଛି । ହ୍ବାଇଟ୍‌ ହାଉସରେ ବୁଲଡୋଜର୍ ଚଲେଇଛନ୍ତି ଟ୍ରମ୍ପ । 

Advertisment

ଚୀନକୁ ପୁଣି ଆମେରିକାର ଟାରିଫ୍ ଧମକ । ଶୁଳ୍କ ବୃଦ୍ଧି ନେଇ ଧମକ୍‌ ଦେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗକୁ କୋରିଆରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି । ଯଦି ଏହି ବୈଠକ ବିଫଳ ହୁଏ ତେବେ ଲାଗୁ ହେବ ବର୍ଦ୍ଧିତ ଟାରିଫ୍ । ଆମେରିକାର ଚୀନ ଉପରେ ୧୫୫ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ଯାଉଛି । ଏନେଇ ଟ୍ରମ୍ପ ପ୍ରଶାସନ ସୂଚନା ଦେଇଛି । ଚୀନ ଉପରେ ଏହି ନୂଆ ବର୍ଦ୍ଧିତ ଟାରିଫ୍ ଆସନ୍ତା ନଭେମ୍ବର ୧ରୁ ଲାଗୁ ହେବ । ହ୍ବାଇଟ୍  ହାଉସରେ ଏକ କାର୍ଯ୍ୟକ୍ରମ ସମୟରେ ଟ୍ରମ୍ପ କହିଛନ୍ତି, “ଚୀନ ଆମକୁ ବହୁତ ସମ୍ମାନ ଦେଉଛି । ସେମାନେ ଟାରିଫ୍ ଆକାରରେ ବିପୁଳ ଟଙ୍କା ଦେଉଛନ୍ତି । ସେମାନେ ୫୫% ଦେଉଛନ୍ତି, କିନ୍ତୁ ନଭେମ୍ବର ୧ ତାରିଖରୁ ୧୫୫% ହେବ, ଯଦି 'ଫେୟାର ଟ୍ରେଡ୍ ଡିଲ୍' ବିଫଳ ହୁଏ ।”ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ “ଉତ୍ସାହଜନକ” ଚୁକ୍ତି ହେବାରେ ଆଶାବାଦୀ ବୋଲି ଟ୍ରମ୍ପ କହିଛନ୍ତି । ଏଥିସହିତ ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, “ଆମେ ଅନ୍ୟ ଦେଶମାନଙ୍କ ସହିତ ଚୁକ୍ତି କରିଛୁ, ଯେଉଁମାନେ ପୂର୍ବରୁ ଆମକୁ ଲୁଟୁଥିଲେ । ତେବେ ଏନେଇ ଚୀନର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିପାରିନାହିଁ । କିନ୍ତୁ ପୂର୍ବରୁ ଚୀନ ଆମେରିକାର ଧମକକୁ ଖାତିକ କରିବୁନାହିଁ ବୋଲି ଏହାର ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଥିଲା । 

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ସ୍ଥିତି ନେଇ ରାଜ୍ୟ ସରକାର ପ୍ରସ୍ତୁତ : ରାଜସ୍ବ ମନ୍ତ୍ରୀ

ସେପଟେ ପ୍ରେସମିଟ୍ ମଝିରେ ରାଗିଗଲେ ଆମେରିକା ରାଷ୍ଟ୍ରପତି । ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତଙ୍କୁ ଦେଲେ ଗାଳି । ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ହ୍ବାଇଟହାଉସରେ ପ୍ରେସମିଟ ସମୟରେ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ କେଭିନ ରୁଡ୍‌ଙ୍କୁ ଟ୍ରମ୍ପ ଗାଳି ଦେଉଥିଲା ଦେଖିବାକୁ ମିଳିଛି । ଭିଡିଓରେ ଟ୍ରମ୍ପ ରୁଡ୍‌ଙ୍କୁ କହୁଛନ୍ତି, “ ମୁଁ ତୁମକୁ ପସନ୍ଦ କରେ ନାହିଁ ଓ ମୁଁ କେବେ ବି ସପନ୍ଦ କରିବି ନାହିଁ ” । ପାଖରେ ବସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ଏଭଳି ଆଚରଣ ଦେଖି ଚକିତ ହୋଇଯାଇଥିଲେ । ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିଜ୍‌ କହିଛନ୍ତି, “ଏହା ଅପ୍ରତ୍ୟାଶିତ ଥିଲା ।” ଏହି ଭିଡିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି, ଯାହା ମିଡିୟାରେ ବିସ୍ତୃତ ଚର୍ଚ୍ଚାର ବିଷୟ ହୋଇଛି ।

ଟାରିଫ୍ ନିଷ୍ପତ୍ତି ଏବଂ ଟ୍ରମ୍ପଙ୍କ ମନମାନିକୁ ନେଇ ଆମେରିକାରେ ଗୋଟିଏ ପଟେ ଲୋକଙ୍କ ମଧ୍ୟରେ ଆକ୍ରୋସ ବଢୁଥିବାବେଳେ ହ୍ୱାଇଟ୍‌ ହାଉସରେ ବୁଲଡୋଜର୍ ବୁଲିବା ଘଟଣା ସାମ୍ନାକୁ ଆସିଛି । ହ୍ୱାଇଟ୍‌ ହାଉସକୁ ସମ୍ପ୍ରସାରଣ କରିବାକୁ ଚାହୁଁଛନ୍ତି ଟ୍ରମ୍ପ । ହ୍ୱାଇଟ୍‌ହାଉସକୁ ଐତିହାସିକ ବନାଇବାକୁ ଚାହୁଁଛନ୍ତି ଟ୍ରମ୍ପ । ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସବୁଠୁ ବଡ଼ କଥା ହେଉଛି ଏହି ନିର୍ମାଣ କାର୍ଯ୍ୟ ପାଇଁ କୌଣସି ସରକାରୀ ଟଙ୍କା ଖର୍ଚ୍ଚ ହେବନି, ଘରୋଇ ପାଣ୍ଠିରୁ ଏହି ଟଙ୍କା ଖର୍ଚ୍ଚ କରି ହ୍ୱାଇଟ୍ ହାଉସ୍‌କୁ ଐତିହାତିକ ବନାଇବା ପାଇଁ ଚେଷ୍ଟା କରୁଛନ୍ତି ଟ୍ରମ୍ପ । ଯାହାକୁ ନେଇ ମଧ୍ୟ ଟ୍ରମ୍ପ ଚର୍ଚ୍ଚାକୁ ଆସିଛନ୍ତି ।