ବିଲ୍ଡିଂ ନମ୍ବର ୧୭, ରୁମ ନମ୍ବର ୧୩… ଏଇଠି ଭାଇ , ଭଉଣୀ ମିଶି ରଚୁଥିଲେ ଷଡ଼ଯନ୍ତ୍ର

ଦିଲ୍ଲୀ ବିସ୍ଫୋରଣ ପରେ ଏବେ ପଦାକୁ ଆସୁଛି ଗୋଟେ ପରେ ଗୋଟେ ଚମକାଇଦେଲାଭଳି ତଥ୍ୟ । ଯାଞ୍ଚ ଏଜେନ୍ସି ହାତରେ ଏଭଳି ସୁରାକ୍ ଲାଗିଛି , ଯାହା ଡରାଉଛି । ସନ୍ଦିଗ୍ଧଙ୍କ ସମ୍ପର୍କୀୟଙ୍କୁ ଜେରା ପରେ ଏବେ ଦିଲ୍ଲୀ ବିସ୍ଫୋରଣର କେନ୍ଦ୍ର ପାଲଟିଛି ଫରିଦାବାଦର ଅଲ୍ ଫଲହ୍ ୟୁନିଭର୍ସିଟି ।

Dr-Shahin

କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ପରେ ଏବେ ପଦାକୁ ଆସୁଛି ଗୋଟେ ପରେ ଗୋଟେ ଚମକାଇଦେଲାଭଳି ତଥ୍ୟ । ଯାଞ୍ଚ ଏଜେନ୍ସି ହାତରେ ଏଭଳି ସୁରାକ୍ ଲାଗିଛି , ଯାହା ଡରାଉଛି । ସନ୍ଦିଗ୍ଧଙ୍କ ସମ୍ପର୍କୀୟଙ୍କୁ ଜେରା ପରେ ଏବେ ଦିଲ୍ଲୀ ବିସ୍ଫୋରଣର କେନ୍ଦ୍ର ପାଲଟିଛି ଫରିଦାବାଦର ଅଲ୍ ଫଲହ୍ ୟୁନିଭର୍ସିଟି । ଏଠି ଥିବା ୧୭ ନମ୍ବର ବିଲ୍ଡିଂର ୧୩ ନମ୍ବର ରୁମ୍, ଏଇଠି ଲେଖାଯାଇଥିଲା  ବିସ୍ଫୋରଣର ପୂରା ଜାତକ । 
 

ଷଡ଼ଯନ୍ତ୍ରର ଜାଲ ବୁଣିଥିଲେ ଡା. ଶାହିନ ଅନସାରୀ , ଯାହାଙ୍କ ଗିରଫଦାରୀ ଯାଞ୍ଚ ଏଜେନ୍ସି ଟିମକୁ ଚମକାଇଦେଇଥିଲା । ବିପୁଳ ବିସ୍ଫୋରକ ସହ ଧରାପଡ଼ିଥିଲେ ଶାହୀନ୍ । ଅବଶ୍ୟ ପ୍ରାରମ୍ଭିକ ଜେରାରେ କିଛି କହିନଥିଲେ ଶାହୀନ୍ କିନ୍ତୁ ଏବେ ଆଣ୍ଟି ଟେରୋରିଜିମ୍ ସ୍କ୍ବାଡ୍ (ଏଟିଏସ୍) ଏବଂ ଗୁଇନ୍ଦା ଏଜେନ୍ସିର ପଚରାଉଚରା ନୂଆ ନୂଆ ଗୁମର ଖୋଲିବାରେ ଲାଗିଛି । 

ଶାହୀନଙ୍କ ବାପା, ସଇଦ୍ ଅନସାରୀ, ଯିଏ ଖଣ୍ଡାରୀ ବାଜାରରେ ରୁହନ୍ତି ଏବଂ ବନବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ , କହିଛନ୍ତି, ଝିଅ ଶାହୀନ୍ ଦେଢ଼ବର୍ଷ ପୂର୍ବରୁ ପରିବାର ସହ ସମ୍ପର୍କ କାଟିସାରିଛି ତା’ ସହ କିଛି କଥାବାର୍ତ୍ତା ନାହିଁ । ଶାହିନଙ୍କ ମିଶାଇ ତାଙ୍କର ୩ ପୁଅ ଝିଅ । ଶାହୀନ୍ ଆଗରୁ ଖୁବ୍ ଶାନ୍ତ ଓ ସରଳ ସ୍ବଭାବର ଥିଲେ। ୨୦୧୩ରେ ସେ ହଠାତ୍ ମେଡିକାଲ କଲେଜରୁ ଚାକିରି ଛାଡ଼ିଦେଲେ। ଶାହୀନ୍  ଆଗରୁ GSVM  ମେଡିକାଲ କଲେଜରେ ଆସୋସିଏଟ୍ ପ୍ରଫେସର ଥିଲେ। ୨୦୧୩ରେ ସେ କାହାକୁ କିଛି ନଜଣାଇ ଚାକିରି ଛାଡ଼ିଦେଲେ । ପରେ ସେ ମହାରାଷ୍ଟ୍ର ଜାଫର ହାୟତଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୫ ମସିହାରେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ତୁଟିଯାଇଥିଲା । 

ଚାକିରି , ବିବାହ , ନିଖୋଜର କାହାଣୀ

୨୦୧୨ରେ ମେଡିକାଲ କଲେଜରୁ ଚାକିରି ଛାଡ଼ିବା ପରେ ଫରିଦାବାଦ ଚାଲିଯାଇଥିଲେ ଶାହୀନ୍  । ସେଠାରେ ଡାକ୍ତର ମୁଜାମ୍ମିଲଙ୍କ ସହ ତାଙ୍କର ଦେଖା ହୋଇଥିଲା ଏବଂ ତାଙ୍କ ସହଯୋଗରେ ଅଲଫଲାହ ୟୁନିଭର୍ସଟିରେ ଯୋଗ ଦେଇଥିଲେ । ଏହିଠାରୁ ହିଁ ଶାହୀନ୍ ଏଭଳି ଏକ ନେଟୱର୍କ ସହ ଯୋଡ଼ିହୋଇଥିଲେ ଯାହା ତାଙ୍କୁ ଆତଙ୍କବାଦ ଆଡ଼କୁ ନେଇଯାଇଥିଲା । ୧୭ ନମ୍ବର କୋଠରୀର ୧୩ ନମ୍ବର  ରୁମରୁ ମିଳିଥିବା ଡକ୍ୟୁମେଣ୍ଟ, ଡିଜିଟାଲ  ଓ ସିସିଟିଭି ଫୁଟେଜ୍ ଏବେ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି ।

ଦିଲ୍ଲୀ ବିସ୍ଫୋରଣର ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ: ଏପଟେ ତଦନ୍ତ ପାଇଁ ୧୦ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କଲା ଏନଆଇଏ

ଖାଲି ଶାହୀନ୍ ନୁହନ୍ତି ତାଙ୍କ ଭାଇ ପରଭେଜଙ୍କ ଉପରେ ବି ନଜର ରଖିଥିଲା ATS । ଲକ୍ଷ୍ନୌର IIM  ରୋଡ ସ୍ଥିତ ତାଙ୍କ ବାସଭବନରେ ତାଲା ପଡ଼ଇଥିବା ଦେଖି ଏହାକୁ ଭଙ୍ଗାଯାଇଥିଲା । ଏଠାରୁ ଲାପଟପ୍, ମୋବାଇଲ ଫୋନ୍, ପେନଡ୍ରାଇଭ୍,  ହାର୍ଡଡିସ୍କ ଆଦି ଜବତ ହୋଇଥିଲା । ପରଭେଜ ମଧ୍ୟ  ଉଚ୍ଚ ଶିକ୍ଷିତ । ସେ ଶାହିନଙ୍କ ସହ ଲଗାତାର ସମ୍ପର୍କରେ ରହୁଥିଲେ ଏବଂ ଆତଙ୍କୀ ଆକ୍ରମଣ ଯୋଜନା କରିଥିବା କୁହାଯାଉଛି ।

ଶାହୀନଙ୍କ ମୁଖ୍ୟ ସହଯୋଗୀ ଡାକ୍ତର ମୁଜାମ୍ମିଲଙ୍କ କାରୁ ମଧ୍ୟ AK-47 ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଦିଲ୍ଲୀ ଆକ୍ରମଣ ପୂର୍ବରୁ ଯେଉଁମାନଙ୍କୁ ସନ୍ଦିଗ୍ଧ ଭାବେ ଗିରଫ କରାଯାଇଥିଲା ସେ ସମସ୍ତେ ଉଚ୍ଚ ଶିକ୍ଷିତ । ଉଚ୍ଚ ଶିକ୍ଷିତଙ୍କ ଖୋଳପା ପିନ୍ଧି ଏବେ ଆତଙ୍କ ରଚିବା ଷ୍ଟାଇଲ ସାରା ଦେଶ ପାଇଁ ଚିନ୍ତାର ବଡ଼ କାରଣ ପାଲଟିଛି । ନିଜର କିଛି ସ୍ବାର୍ଥ ପାଇଁ ଏମାନେ ଯେଉଁ ଘୃଣ୍ୟ ଷଡ଼ଯନ୍ତ୍ର ରଚୁଛନ୍ତି, ସେଥିରେ ବଳିପଡ଼ୁଛନ୍ତି ଅନେକ ନିରୀହ ମଣିଷ । ଉଜୁଡ଼ିଯାଉଛି କେତେ କେତେ ପରିବାର । ଜୀବନ ଦେଉଥିବା ଡାକ୍ତରଙ୍କ ଖୋଳପାରେ ରହି କେହି ଯେ ଏମିତି ଜୀବନ ନେଇଯିବ କାହାକୁ ବା ଜଣା!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe