କନକ ବ୍ୟୁରୋ: ଫର୍ମୁଲା‌ ୱାନ୍‌ ଏକାଡେମୀ ସମର୍ଥିତ କାର୍‌ ରେସିଂର ଭାରତୀୟ ବିସ୍ମୟ ବାଳିକା ଆତିକା ମିର୍‌ ଇତିହାସ ରଚିଛନ୍ତି । ୟୁରୋପୀୟ କୋଫ୍‌ତା କାର୍ଟିଂ ସିରିଜ୍‌ରେ ନିଜ ଅସାଧାରଣ ପ୍ରତିଭାର ବଳିଷ୍ଠ ପରିଚୟ ଦେଇ ଏହି ଜମ୍ମୁ କାଶ୍ମୀର ଲଳନା ପୋଡିୟମ୍‌ ଫିନିସ୍‌ ପାଇଛନ୍ତି । ଏଭଳି ସଫଳତା ପାଇବାରେ ପ୍ରଥମ ଭାରତୀୟ ହେବାର ବିରଳ କୀର୍ତ୍ତିମାନ ମଧ୍ୟ କରିଛନ୍ତି ସେ । ୧୧ ବର୍ଷୀୟା ଆତିକା ଏହି ପ୍ରତିଯୋଗିତା ଉଦ୍‌ଘାଟନୀ ରାଉଣ୍ଡ୍‌ ରେସ୍‌ର ତୃତୀୟ ସ୍ଥାନ ଅଧିକାର କରିଥିଲେ ।

Advertisment

ଏହା ବି ପଢ଼ନ୍ତୁ: ବିସିସିଆଇ ଉତ୍କର୍ଷ କେନ୍ଦ୍ରରେ ତାଲିମ ଦେବେ ଜାହିର, ଭଜି

ରେସ୍‌ ସାରା ବିଭିନ୍ନ ଅପ୍ରତ୍ୟାଶିତ ଆହ୍ବାନର ସମ୍ମୁଖୀନ ହେବା ଏବଂ ପେନାଲ୍‌ଟି ସମୟ ଯୋଡ଼ି ହେବା ସତ୍ତ୍ବେ ଅତିକା ନିଜ କାର୍‌ ଚାଳନାର ପ୍ରଭାବଶାଳୀ ଗତି ଏବଂ ଅତୁଳନୀୟ ଶୈଳୀରେ ସମସ୍ତଙ୍କ ମନ ଜିତି ନେଇଥିଲେ । ତାଙ୍କର ଏହି ସଫଳତା ମଧ୍ୟ ମୋଟର ଚାଳନା କ୍ରୀଡ଼ା ମାନଚିତ୍ରରେ ଭାରତର ସ୍ଥିତିକୁ ଆହୁରି ଦୃଢ଼ କରିଛି । ପିଲାଟି ବେଳୁ ମୋଟର ଚାଳନା କ୍ରୀଡ଼ାରେ ଅହେତୁକ ରୁଚି ଏବଂ ଦକ୍ଷତାର ପରିଚୟ ଦେଇଥିଲେ ସେ । ତାଙ୍କର ପ୍ରତିଭାକୁ ଚିହ୍ନଟ କରି ଏହାର ବିକାଶ ଦାୟିତ୍ବ ନେଇଥିଲା ଫର୍ମୁଲାୱାନ୍ ଏକାଡେମୀ ।

ଏହି ବୃତ୍ତି ପାଇବାରେ ମଧ୍ୟ ସେ ହୋଇଥିଲେ ପ୍ରଥମ ଭାରତୀୟ । ସୂଚନାଯୋଗ୍ୟ ଯେ ଆତିକା ଜମ୍ମୁ କାଶ୍ମୀରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୩ବର୍ଷ ବୟସରେ ପିତାଙ୍କ ସହ ଦୁବାଇ ଚାଲିଯାଇ ସେଠାରେ ବିଭିନ୍ନ ପ୍ରକାର କାର୍‌ ରେସିଂର କଳା ଶିଖିବା ଆରମ୍ଭ କରିଥିଲେ । ଆତିକାଙ୍କ ପିତା ଆସିଫ ନଜିର ମିର୍‌ ହେଉଛନ୍ତି ଜାତୀୟ କାର୍ଟିଂ (ଏକପ୍ରକାର କାର୍‌ ରେସ୍‌)ର ଜଣେ ପୂର୍ବତନ ବିଜେତା ।