୮୫ ବର୍ଷ ବୟସରେ ବି ପରିବାର ଚଳାଇବାକୁ କରୁଛନ୍ତି ସଂଘର୍ଷ, ମୁଣ୍ଡରେ ରହିଛି ଦିବ୍ୟାଙ୍ଗ ପୁଅର ବୋଝ

Advertisment
gdfgfd

କନକ ବ୍ୟୁରୋ : ବେସାହାରା କଣାସ ନୂଆ ଗାଁର ୮୫ ବର୍ଷୀୟ ଚନ୍ଦ୍ରମଣି ମଉସା। ଯୁବାବସ୍ଥା ଠାରୁ ପରିଣତି ବୟସ ସମଗ୍ର ଜୀବନକୁ ଜନମାନସ ସେବାରେ ଉତ୍ସର୍ଗ କରିଦେଇଛନ୍ତି । ଜଙ୍ଗଲରୁ ଚେରମୂଳି ଆଣି ନିଜ ହାତରେ କୁଟି ପ୍ରସ୍ତୁତ କରନ୍ତି ୪ଶହ ପ୍ରକାରର ଔଷଧ । ସେଥିରେ ଘର ଭଡ଼ା ସହ ପରିବାରର ବୋଝ ମୁଣ୍ଡାଇଛନ୍ତି ଚନ୍ଦ୍ରମଣି ମାଉସା। କଣାସ ବ୍ଲକ ନୂଆ ଗାଁର ଚନ୍ଦ୍ରମଣି ମଉସା। ବୟସ ୮୫ ଛୁଇଁଲାଣି । ଚମ ଧୁଡ଼ୁଧୁଡ଼ୁ ହୋଇଗଲାଣି। ଶରୀରର ଅଙ୍ଗପ୍ରତ୍ୟେଙ୍ଗ କଥା ମାନୁନି, ହାତ ଥରି ଯାଉଛି। କିନ୍ତୁ ମନୋବଳ ଭାଙ୍ଗନି। ପ୍ରତିଦିନ ଜଙ୍ଗଲକୁ ଯାଇ ଚେରମୂଳି ଆଣି ତାକୁ ହେମଦସ୍ତାରେ କୁଟି ପ୍ରସ୍ତୁତ କରନ୍ତି ଔଷଧ। ପରେ ତାକୁ ବ୍ୟାଗରେ ଭର୍ତ୍ତି କରି ବାଡ଼ିଟିଏ ଧରି ବାହାରିପଡ଼ନ୍ତି ବିକ୍ରି ପାଇଁ। ଗାଁ ଗାଁ ବୁଲି ଔଷଧ ବିକିଲେ ପରିବାର ଚଳେ। ଗଣ୍ଠି ବାତ, ଚର୍ମ ରୋଗ, ରକ୍ତଚାପ, ଜ୍ୱର ଭଳି ୮୦ଟି ରୋଗ ପାଇଁ ୪୦୦ ପ୍ରକାର ଔଷଧ ମଉସାଙ୍କ ପାଖେ ମିଳେ। ସତ୍ୟବାଦୀ, ନିମାପଡ଼ା, ବ୍ରହ୍ମଗିରିରୁ ବି ରୋଗୀ ଆସନ୍ତି ବଇଦ ମଉସାଙ୍କ ପାଖକୁ। 

ଅଧିକ ପଢ଼ନ୍ତୁ :  ପୁରୀ କଣାସରେ ୧୦ ଫୁଟ ଦବିଗଲା ନଦୀ ବନ୍ଧ, ବାରମ୍ବାର ମରାମତି ପରେ ବି ସୁଧୁରୁନି ସ୍ଥିତି

 ନୟାଗଡ଼, ବଲାଙ୍ଗୀର, ଭଳି ଅନେକ ସ୍ଥାନରୁ ଚେରମୂଳି ଆଣି ଔଷଧ ପ୍ରସ୍ତୁତ କରିଥାନ୍ତି ମଉସା। କିନ୍ତୁ ପରିବାରର ଦୁଃଖ ନକହିଲେ ଭଲ। ନିଜର ଘର ଖଣ୍ଡିଏ ନାହିଁ। ୭୦ ବର୍ଷ ହେଲା ଭଡ଼ା ଘରେ ଜୀବନ ବିତୁଛି। ଗୋଟିଏ ବୋଲି ପୁଅ, ସେ ବି ଦିବ୍ୟାଙ୍ଗ। ଚେରମୂଳିରୁ ଯେତିକି କିଛି ରୋଜଗାର ହେଉଛି, ଆଉ ସରକାରୀ ଭତ୍ତା ଟଙ୍କାରେ ବହୁ କଷ୍ଟରେ ପରିବାର ଚଳୁଛି। ଯୁବ ଅବସ୍ଥାରେ ଦୂରଦୁରାନ୍ତର ବୁଲି ବିକ୍ରି କରୁଥିବା ବେଳେ ବର୍ତ୍ତମାନ କେବଳ ଆଖପାଖ ଗାଁ ଉପରେ ନିର୍ଭର ମଉସା।  ବର୍ଷ ବର୍ଷ ଧରି ଲୋକମାନଙ୍କର ସେବା କରିଆସୁଥିବା ଚନ୍ଦ୍ରମଣି ମାଉସଙ୍କ ଦୁଃଖ ଶୁଣିବାକୁ ସତେ ଯେମିତି କେହି ନାହାନ୍ତି। କ’ଣ ହେବ ପରିବାରର ଭବିଷ୍ୟତ ନିଜେ ଚନ୍ଦ୍ରମଣି ମଉସା ବି ଜାଣିନାହାନ୍ତି। କିଛି ସରକାରୀ ସହାୟତା ମିଳିଲେ ଅଭାବୀ ପରିବାର ଉପକୃତ ହୋଇପାରନ୍ତା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe