କନକ ବ୍ୟୁରୋ: ପୁରୀ ଜିଲ୍ଲା ର କଣାସ ରୁ ଗଡିସାଗୋଦା ଦୟା ନଦୀ ବନ୍ଧ ରେ ୩ଶହ ମିଟର ରାସ୍ତା ଧୀରେ ଧୀରେ ତଳକୁ ତଳକୁ ଦବିବାରେ ଲାଗିଛି । ବିଭାଗୀୟ ଅଧିକାରୀ ବାରମ୍ବାର କାର୍ଯ୍ୟ କରିଲେ ସୁଦ୍ଧା ସୁଧୁରିବା ର ନା ଧରୁନି ଉକ୍ତ ସ୍ଥାନ । ପୂର୍ବରୁ ଗୋଟିଏ ବର୍ଷ ମଧ୍ୟ ରେ କେବଳ ସେହି ଗୋଟିଏ ସ୍ଥାନ ୩ଥର ତଳକୁ ଦବୁଥିବା ବେଳେ ଏବେ ପୁନର୍ବାର ସେହି ସ୍ଥାନ ଏହି କିଛି ଦିନ ହେବ ରାସ୍ତା ଭାଙ୍ଗି ୧୦ ପୁଟ ତଳକୁ ଧୀରେ ଧୀରେ ଦବିବାରେ ଲାଗିଛି ।  କଣାସ ବ୍ଲକ ଜଙ୍କିଆ ଗଡ଼ସାହି ବଜାର ଠାରୁ ଗଡିସାଗୋଦା ପର୍ଯ୍ୟନ୍ତ ଯାଇଛି ୭ କିଲୋମିଟର ନଦୀ ବନ୍ଧ ରାସ୍ତା ।

Advertisment

ଏହି ରାସ୍ତାର ବସନ୍ତପୁରୁ ନିକଟରେ ପ୍ରାୟ ୩ ଶହ ମିଟର କଂକ୍ରିଟ ଫାଟି ୧୦ ଫୁଟ ତଳକୁ ଦବିଯାଇଛି । ଫଳରେ କଣାସର ୫ ରୁ ଅଧିକ ପଞ୍ଚାୟତର ହଜାର ହଜାର ଗାଁ ଲୋକଙ୍କ ଯାତାୟାତ ଠପ୍‌ ହୋଇଯାଇଛି। ଠିକ୍ ଏହି ସ୍ଥାନରେ ୮ ମାସ ପୂର୍ବରୁ ରାସ୍ତାର ୨ ପାର୍ଶ୍ବ ଭାଙ୍ଗିଯାଇଥିଲା । ଏବେ ପୁଣି ଏମିତି ଅବସ୍ଥା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ରାସ୍ତାର ଉଭୟ ପାଖରେ ଗାର୍ଡୱାଲ୍‌ ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି । 

ଜଳସମ୍ପଦ ବିଭାଗର ଏହି ନଦୀ ବନ୍ଧ ବାରମ୍ବାର ଭାଙ୍ଗୁଥିବାରୁ ନଦୀ ପାଖରେ ପଥର ପ୍ୟାକିଂ ସହ ନୂତନ କଂକ୍ରିଟ ରାସ୍ତା କରାଯାଇଥିଲା । କିଛି ମାସ ପରେ ପୁଣି କଂକ୍ରିଟ ଫାଟିବାରୁ ଡଷ୍ଟ ଦେଇ ପୁନଃନିର୍ମାଣ କରାଗଲା । ହେଲେ ପୁଣି ସେହି ସ୍ଥାନରେ କଂକ୍ରିଟ ଫାଟିଛି । ବାରମ୍ବାର ମରାମତି ପରେ ବି କାହିଁକି ଭାଙ୍ଗୁଛି ନଦୀ ବନ୍ଧ ରାସ୍ତା? କିଛି ଭୌଗୋଳିକ କାରଣ ରହିଛି ନା’ ନିମ୍ନମାନର କାମ ହେଉଛି? ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।