କନକ ବ୍ୟୁରୋ: ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ସେହି ଯୋଜନା ବାସ୍ତବରେ ସେମାନଙ୍କ ପାଖରେ ପହଞ୍ଚୁଛି ନା ନାହିଁ ତାହା ସେହି ସ୍ଥାନକୁ ଗଲେ ଜଳ ଜଳ ହୋଇ ଦେଖାଯାଉଛି ।
ନାହିଁ ମାଛ ଅବତରଣ କେନ୍ଦ୍ର
କ୍ଷତି ସହୁଛି ମତ୍ସ୍ୟଜୀବୀ
ନିଦାବିଷ୍ଣୁ ସାଜିଛି ସାମୁଦ୍ରିକ ମତ୍ସ୍ୟ ବିଭାଗ!
ଅସ୍ତରଙ୍ଗର ୨୫ ଶହ ମତ୍ସ୍ୟଜୀବୀ ପରିବାରର ଜୀବନ ଜୀବିକା ହେଉଛି ଦେବୀ ନଦୀ ଆଉ ସମୁଦ୍ର। ଏଥିରୁ ମାଛ ମାରି ବିକି ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ। ଆଜି ଯାଏଁ ଏମାନଙ୍କ ସୁବିଧା କଥା ଭାବିନାହାନ୍ତି ସରକାର। ଅସ୍ତରଙ୍ଗରେ ମାଛ ବିତରଣ କେନ୍ଦ୍ରଟିଏ ନାହିଁ। ମାଛ ସଂରକ୍ଷଣ କରି ରଖିବାକୁ ଅସୁବିଧା ଭୋଗୁଛି ମତ୍ସ୍ୟଜୀବୀ। ପଚିସଢ଼ି ଯିବା ଭୟରେ କମ ଦାମରେ ବିକ୍ରି କରି ବ୍ୟାପକ ମାତ୍ରାରେ କ୍ଷତି ସହୁଛି। ଯାହାଫଳରେ ୧୫ ହଜାର ମତ୍ସ୍ୟଜୀବୀଙ୍କ କୌଳିକ ବୃତ୍ତି ଏବେ ସଙ୍କଟରେ!
ଦୀର୍ଘଦିନର ଦାବି ପରେ ନୂଆଗଡ଼ଠାରେ ୧୯୩ କୋଟି ଟଙ୍କା ବ୍ୟୟରେ ବହୁମୁଖୀ ମାଛ ଅବତରଣ କେନ୍ଦ୍ର, ନଗର ପଞ୍ଚାୟତର କାଳିଆକଣଠାରେ ୮୦ କୋଟି ଟଙ୍କା ବ୍ୟୟରେ ମାଛ ଅବତରଣ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା ଥିଲା। ନୂଆଗଡ଼ ଠାରେ କାର୍ଯ୍ୟକାରି ହେବା ପୂର୍ବରୁ ସ୍ଥାଣୁ ହୋଇଗଲା। କାଳିଆକଣ ଠାରେ ଆଉ ଏକ ମାଛ ଅବତରଣ ଜେଟି ନିର୍ମାଣ ପାଇଁ ଜମି ଅଧିଗ୍ରହଣରେ ଅଟକିଛି ପ୍ରକଳ୍ପ। ମତ୍ସ୍ୟ ବିଭାଗର ଆନ୍ତରିକତା ଅଭାବରୁ ଅର୍ଥ ମଞ୍ଜୁର ପରେ ବି କାମ ଆଗକୁ ବଢ଼ିପାରୁନଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ : ବାଲ୍ୟବିବାହକୁ ନେଇ ସାଂଘାତିକ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ ; ରାଜ୍ୟର ୧୨ ଜିଲ୍ଲାରେ ବାଲ୍ୟ ବିବାହ ହାର ଅଧିକ
ଏବେ ଦୈନିକ ୧୦ ଟନ୍ରୁ ଅଧିକ ମାଛ ବାହାରକୁ ରପ୍ତାନି ହେଉଛି। ଏତେ ମାଛକୁ ସୁରକ୍ଷିତ କରି ରଖିବାକୁ ଆବଶ୍ୟକ ବରଫ ଫ୍ୟାକ୍ଟ୍ରି ନାହିଁ। ୮ଶହ ଯନ୍ତ୍ରଚାଳିତ ଡଙ୍ଗାକୁ ସୁରକ୍ଷିତ ରଖିବାକୁ କଂକ୍ରିଟ ଜେଟି ନାହିଁ। ରିହାତି ଦାମରେ ଡିଜେଲ ଦେବାକୁ ପମ୍ପ ବି ନାହିଁ। ଏତେ ସମସ୍ୟା ଭିତରେ କେମିତି ମତ୍ସ୍ୟଜୀବୀଙ୍କ କଲ୍ୟାଣ କଥା କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ତାହା ସହଜରେ ଅନୁମେୟ।
Follow Us