କନକ ବ୍ୟୁରୋ: ମଣ୍ଡି ଓ ଚାଷୀ ପ୍ରସଙ୍ଗରେ ଶାସକ ଦଳକୁ ନାକେଦମ କଲେଣି ବିରୋଧୀ । ୪ ଦିନ ହେବ ଧୋଇଯାଉଛି ଗୃହକାର୍ଯ୍ୟ । ସର୍ବଦଳୀୟ ବୈଠକ ପରେ ବି କାହିଁକି ଗୃହ କାର୍ଯ୍ୟ ସ୍ବାଭାବିକ ହେଉନି । ସେନେଇ ଶାସକ ଦଳ ସନ୍ଦେହ ସହ ପ୍ରଶ୍ନ କରି କହିଛି, ୨୪ ଆନ୍ଦୋଳନ ପାଇଁ ବିଜେଡି ଏଭଳି ଚାଲ୍ ଖେଳୁଛି ।
ଚାଷୀ ପ୍ରସଙ୍ଗରେ ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ମଣ୍ଡି ଓ ଚାଷୀ ସମସ୍ୟାକୁ ନେଇ ଉଠୁଛି ପଡୁଛି ବିଧାନସଭା । ବାଚସ୍ପତି ବୁଝାଇବା ସହ ସର୍ବଦଳୀୟ ବୈଠକ ପରେ ମଧ୍ୟ ସ୍ବାଭାବିକ ହେଉନି ଗୃହକାର୍ଯ୍ୟ । ହେଲେ ଏସବୁ ଭିତରେ ବିଜେପି ଆଣିଛି ବଡ ଅଭିଯୋଗ । ୨୪ର ସମାବେଶ ପାଇଁ ବିରୋଧୀ ବିଜେଡି କରୁଛି ପ୍ରତିବାଦର ନାଟକ । ସୂଚନା ଅନୁସାରେ, ଆସନ୍ତା ୨୪ରେ ଚାଷୀ ପ୍ରସଙ୍ଗକୁ ନେଇ ଲୋୟର ପିଏମଜିରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଏଥିପାଇଁ ଦଳ ଭିତରେ ପ୍ରସ୍ତୁତି ଚାଲିଛି । ତେଣୁ ଯେନେତେନେ ପ୍ରକାର ଚାଷୀ ପ୍ରସଙ୍ଗରୁ ନଜର ହଟାଇବାକୁ ଚାହୁଁନି ବିଜେଡି ।
ଏହା ବି ପଢ଼ନ୍ତୁ: ଆଜି ବି ଆରମ୍ଭ ହେଉ ହେଉ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି, ମାତ୍ର ୭ ମିନିଟ୍ ଚାଲିଲା ଗୃହ
ବିଧାନସଭା ଚାଲିବା ପାଇଁ ଦୈନିକ ଲକ୍ଷ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷରୁ ପାଣି ଭଳି ଖର୍ଚ୍ଚ ହେଉଛି । ହେଲେ ଲୋକଙ୍କ ସମସ୍ୟା ଓ ସୁବିଧା ପାଇଁ ଏଯାଏଁ ଘଣ୍ଟାଏ ମଧ୍ୟ ଆଲୋଚନା ହୋଇନି । ଚାଷୀ ପ୍ରସଙ୍ଗରେ ବିଜେଡି ଭଳି କଂଗ୍ରେସ ମଧ୍ୟ ଶାସକ ଦଳକୁ ଘେରୁଛି । କଟନିଛଟନି ବନ୍ଦ, ସବୁ ଚାଷୀଙ୍କଠାରୁ ଧାନ ଉଠାଣ, ଚାଷୀଙ୍କୁ ଟୋକନ ଦେବାକୁ ଦାବି କରିଛି ଦଳ । ପାଦେ ଆଗକୁ ଯାଇ ବିଜେଡି କହିଛି, ମଣ୍ଡି ଅବ୍ୟବସ୍ଥା ପାଇଁ ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ । ଶାସକ ଦଳ ଜବାବ ରଖି କହିଛି, ରାଜ୍ୟବାସୀ ବିରୋଧୀ ଦଳର ଆଚରଣ ଦେଖୁଛନ୍ତି, କ୍ଷମା ଦେବେନି । ଶାସକ-ବିରୋଧୀଙ୍କ ତୁ ତୁ ମେଁ ମେଁ ଭିତରେ ସାଧାରଣ ଲୋକଙ୍କ ପ୍ରସଙ୍ଗ କେବେ ଉଠିବ ଏବଂ ଗୃହ କେବେ ସ୍ବାଭାବିକ ହେବ ତା ଉପରେ ନଜର ।
Follow Us