କନକ ବ୍ୟୁରୋ : ନାମ ଫଳକରେ ସୀମିତ ଶିଳ୍ପାଞ୍ଚଳ। ଏଠି ନା ଅଛି ଶିଳ୍ପ ନା ଶ୍ରମିକଙ୍କୁ ମିଳୁଛି ପାଉଣା। ଦିନେ ହଜାର ହଜାର ଶ୍ରମିକଙ୍କୁ ଦାନାପାଣି ଯୋଗାଉଥିବା ଶିଳ୍ପାଞ୍ଚଳରେ ଏବେ ଅନେକ କ୍ଷୁଦ୍ରଶିଳ୍ପକୁ ରୁଗଣ। ସରକାରୀ ପ୍ରୋତ୍ସାହନ ଅଭାବରୁ ଶିଳ୍ପାଞ୍ଚଳ ତା’ର ଅସ୍ତିତ୍ବ ହରାଇବାକୁ ବସିଲାଣି। ଆଉ ଏଠାକାର ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟ ମୁହାଁ। ବ୍ରହ୍ମପୁରରୁ କନକ ନ୍ୟୁଜ୍ର ବିଶେଷ ରିପୋର୍ଟ। ବ୍ରହ୍ମପୁର ଶିଳ୍ପାଞ୍ଚଳ ଏବେ ରୁଗଣ ଅବସ୍ଥାରେ। ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟବସାୟୀ ଶିଳ୍ପ ନାଁରେ ଚଞ୍ଚକତା କରି ସେଠାରେ ବାସଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରି ଭଡ଼ାରେ ଲଗାଇଥିବା ଅଭିଯୋଗ ହେଉଛି। ଶିଳ୍ପାଞ୍ଚଳର ଏଭଳି ପରିସ୍ଥିତି ଲାଗି କାମ ଧନ୍ଦା ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟ ମୁହାଁ ଏଠାକାର ଲୋକେ। ଡବଲ ଇଞ୍ଜିନ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ।
ଅଧିକ ପଢ଼ନ୍ତୁ: ଦୀର୍ଘ ଦିନର ସମସ୍ୟା ଉପରେ ପଡ଼ିବ ପୂର୍ଣ୍ଣଚ୍ଛେଦ, ଆସନ୍ତା ୬ ତାରିଖରୁ କାର୍ଯ୍ୟକ୍ଷମ ହେବ ବ୍ରହ୍ମପୁର ଉପକଣ୍ଠର ୨ ବସଷ୍ଟାଣ୍ଡ
୨୦୨୨ ମସିହାର ତଥ୍ୟ ଅନୁସାରେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ଇଡ୍କୋ ଅଧୀନରେ ରହିଛି ୫୯୬ଟି ଶିଳ୍ପ। ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ଏଠାରେ କାମ କରି ଜୀବିକା ନିର୍ବାହ କରୁଥିଲେ। ଏବେ ଅଧିକାଂଶ ଶିଳ୍ପ ରୁଗ୍ଣ ଅବସ୍ଥାରେ ପଡ଼ି ରହିଛି। ସରକାରୀ ସୂଚନା ଅନୁସାରେ ୨୦୨୨ ସୁଦ୍ଧା ଆଙ୍କୁଲି ଶିଳ୍ପାଞ୍ଚଳରେ ଥିବା ମୋଟ ଶିଳ୍ପ ୟୁନିଟ୍ ସଂଖ୍ୟା ୮୫। ସେଥିରୁ କେବଳ କାଗଜପତ୍ରରେ ଚାଲିଛି ୫୧ଟି ଶିଳ୍ପ। ତେବେ ବନ୍ଦ ହୋଇ ପଡ଼ିଥିବା ଶିଳ୍ପ ପଛରେ ସରକାରୀ ପ୍ରୋତ୍ସାହନ ସାଙ୍ଗକୁ କଞ୍ଚାମାଲର ଅଭାବ ପ୍ରମୁଖ କାରଣ। ସେପଟେ ଅସାଧୁ ବ୍ୟବସାୟୀଙ୍କ ଉପରେ ଶୀଘ୍ର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ପ୍ରତିନିଧି କହିଛନ୍ତି। ଅନ୍ୟପକ୍ଷେ ଅଭିଯୋଗର ତର୍ଜମା କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଇଡ୍କୋ ସିଏମ୍ଡି। ଶିଳ୍ପାଞ୍ଚଳକୁ ଦଲାଲଙ୍କ କବଳରୁ ମୁକ୍ତ କରି ପୁନଃ କାର୍ୟ୍ୟକ୍ଷମ କରିପାରିଲେ କିଛି ମାତ୍ରାରେ ବେକାରୀ ସମସ୍ୟା ଦୂର ହୋଇପାରିବ ବୋଲି ଆଶା ରଖିଛନ୍ତି ସହରବାସୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/a2-2026-03-05-18-51-02.jpg)