କନକ ବ୍ୟୁରୋ : ଧୀରେ ଧୀରେ ବିଶ୍ୱର ଦ୍ୱିତୀୟ ବା ତୃତୀୟ ବଡ଼ ଅର୍ଥନୀତି ହେବାକୁ ଯାଉଛି ଭାରତ । ସବୁ କ୍ଷେତ୍ରରେ ନିଜ ଛାପ ଛାଡ଼ି ଏକ ନୂଆ ପରିଚୟ ସୃଷ୍ଟି କରୁଛି ଭାରତ । ଏହାସତ୍ତ୍ୱେ ଏକ ଚମକାଇଲା ଭଳି ତଥ୍ୟ ଦେଇଛି ବିଦେଶ ମନ୍ତ୍ରାଳୟ । ବିଦେଶ ମନ୍ତ୍ରାଳୟର ତଥ୍ୟ ମୁତାବକ ପ୍ରତିବର୍ଷ ପାଖାପାଖି ୨ ଲକ୍ଷ ଲୋକେ ଭାରତୀୟ ଦେଶର ନାଗରିକତା ଛାଡ଼ିବା ସହ ବିଦେଶରେ ଅବସ୍ଥାନ କରୁଛନ୍ତି । ଏହାକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସଂସଦରେ ତଥ୍ୟ ଉପସ୍ଥାପନ କରାଯାଇଛି । ୨୦୧୧ରୁ ୨୦୨୪ ମଧ୍ୟରେ ପ୍ରାୟ ୨୧ ଲକ୍ଷ ଭାରତୀୟ ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିଲେ । ୨୦୨୧ରେ ଏହି ସଂଖ୍ୟା ସବୁଠାରୁ ଅଧିକ ଥିଲା । କିନ୍ତୁ ବିଗତ ୫ ବର୍ଷ ଉପରେ ନଜର ପକାଇଲେ ପ୍ରାୟ ୯ ଲକ୍ଷ ବ୍ୟକ୍ତିଗତ କାରଣରୁ ଲୋକେ ଭାରତ ଛାଡ଼ିଥିବା ତଥ୍ୟ ମିଳିଛି ।
ଭାରତର ନାଗରିକତା କାହାକୁ, କେମିତି ମିଳେ ? କାହିଁକି ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲାନି ନାଗରିକତା ?
ଭାରତୀୟମାନେ ନାଗରିକତା ଛାଡ଼ିବା ହାର କ୍ରମାଗତ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୦୨୪ରେ କ୍ରମାଗତ ତୃତୀୟ ବର୍ଷ ନାଗରିକତ୍ୱ ଛାଡ଼ିଥିବା ଭାରତୀୟଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ରହିଛି । ୨୦୨୪ରେ ମୋଟ ୨ ଲକ୍ଷ ୧୦ ହଜାର ଲକ୍ଷ ଲୋକ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି, ଯାହା ୨୦୨୩ ତୁଳନାରେ ମାତ୍ର ୪.୬ ପ୍ରତିଶତ କମ । ୨୦୨୩ରେ ଏହି ସଂଖ୍ୟା ୨ ଲକ୍ଷ ୨୦ ହଜାର ଥିଲା । ୨୦୧୧ ଏବଂ ୨୦୨୪ ମଧ୍ୟରେ, ୨୦୨୨ ମସିହାରେ ନାଗରିକତ୍ୱ ଛାଡ଼ିଥିବା ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ରହିଥିଲା, ୨୦୨୨ରେ ୨ ଲକ୍ଷ ୩୦ ହଜାର ଲୋକ ନାଗରିକତା ଛାଡ଼ିଥିଲେ । ୨୦୨୧ରେ ଏହି ସଂଖ୍ୟା ୧ ଲକ୍ଷ ୬୩ ହଜାର ଥିଲା । ଯାହା ୨୦୨୦ ତୁଳନାରେ ୯୨ ପ୍ରତିଶତ ଅଧିକ ଥିଲା । ଏହାପରେ ଲଗାତାର ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କାହିଁକି ଲୋକେ ଭାରତୀୟ ନାଗରିକତା ଛାଡ଼ୁଛନ୍ତି କଣ ହୋଇପାରେ ଏହାର କାରଣ ?
ଭାରତ ଛାଡ଼ିଥିବା ଲୋକଙ୍କ ମଧ୍ୟର ସର୍ବାଧିକ ୭୮ ହଜାର ୨୮୪ ଲୋକେ ଆମେରିକା ନାଗରିକତ୍ୱ ପାଇଁ ଭାରତୀୟ ନାଗରିକତା ଛାଡ଼ିଛନ୍ତି । ଏହାପରେ ୨୩ ହଜାର ୫୩୩ ଜଣ ଅଷ୍ଟ୍ରେଲିଆ ଏବଂ ୨୧ ହଜାର ୫୯୭ ଜଣ କାନାଡାର ନାଗରିକତ୍ୱ ଗ୍ରହଣ କରିଛନ୍ତି । ବିଦେଶ ମନ୍ତ୍ରାଳୟ ଅନୁସାରେ, ନାଗରିକତ୍ୱ ତ୍ୟାଗ କରିବାର ମୁଖ୍ୟ କାରଣ ବ୍ୟକ୍ତିଗତ ରହିଛି । ଲୋକମାନେ ପ୍ରାୟତଃ ଚାକିରି, ଶିକ୍ଷା କିମ୍ବା ପାରିବାରିକ କାରଣରୁ ବିଦେଶରେ ବସବାସ କରିବା ପାଇଁ ଚାଲିଯାଆନ୍ତି । ବର୍ତ୍ତମାନ ୩ କୋଟି ୫୪ ଲକ୍ଷ ପ୍ରବାସୀ ଭାରତୀୟ ଅଛନ୍ତି, ଯେଉଁଥିରେ ଯେଉଁମାନେ ଭାରତରେ ବାସ କରନ୍ତି ନାହିଁ ବା ଏନଆଇଆଇ ଏବଂ ଭାରତୀୟ ବଂଶୋଦ୍ଭବ ଉଭୟ ସାମିଲ ଅଛନ୍ତି । ତେବେ ସୁରକ୍ଷା ଚିନ୍ତା କାରଣରୁ ଗତ ୩ ବର୍ଷରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ୫ ହଜାର ୯୪୫ ଜଣଙ୍କୁ ଉଦ୍ଧାର ବି କରିଛନ୍ତି ଭାରତ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/indian-citizen-2025-12-14-16-46-15.jpg)