କନକ ବ୍ୟୁରୋ : ଯୁବ ଶକ୍ତି ହେଉଛି ଭାରତର ଅନନ୍ୟ ପରିଚୟ । ଦୁନିଆରେ ଭାରତକୁ ସବୁଠାରୁ ଯୁବ ଦେଶ ଭାବରେ ଗଣାଯାଏ । ଏପରି କହି ଆର୍ମି ଚିଫ୍ ଉପେନ୍ଦ୍ର ଦ୍ୱିବେଦୀ ଭାରତର ଯୁବପିଢ଼ି, ବିଶେଷକରି Gen Z କୁ ଦେଶର ସବୁଠାରୁ ବଡ଼ ଶକ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ ନୂତନ ପିଢ଼ି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦକ୍ଷ, ସାମାଜିକ ଭାବରେ ସଚେତନ ଏବଂ ଦୁନିଆ ସହିତ ଜଡ଼ିତ। ଏହି ପିଢ଼ି ଭାରତକୁ ଭବିଷ୍ୟତରେ ନୂତନ ଉଚ୍ଚତାକୁ ନେଇଯିବ ଏବଂ ବିକଶିତ ରାଷ୍ଟ୍ରର ସ୍ୱପ୍ନ ପୂରଣ କରିବ।

Advertisment

ଉପେନ୍ଦ୍ର ଦ୍ୱିବେଦୀ କହିଲେ ନୂଆ ପିଢ଼ିରେ ଅଛି ବହୁତ ଭଲ ଗୁଣ

ମଧ୍ୟପ୍ରଦେଶର ରିୱାରେ ଟିଆରଏସ କଲେଜରେ ଏକ କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଆଜି Gen Z ସବୁଆଡେ ଅଛନ୍ତି । ଭାରତରେ ଏମାନଙ୍କ ଜନସଂଖ୍ୟା ଦୁନିଆରେ ସବୁଠାରୁ ଅଧିକ । ଏପରିକି ଭାରତୀୟ ସେନା ମଧ୍ୟ ସଂଖ୍ୟା ଦୃଷ୍ଟିରୁ ଏମାନଙ୍କଠାରୁ ପଛରେ ଅଛି । ଏହି ପିଢ଼ି ଡିଜିଟାଲ ଭାବରେ ବହୁତ ଆଗରେ , ବୈଷୟିକ ଦୃଷ୍ଟିରୁ ଉନ୍ନତ ଏବଂ ସାମାଜିକ ଭାବରେ ସଚେତନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୁନିଆରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ Gen Z ସବୁବେଳେ ଅପ୍‌ଡେଟ୍‌ ରୁହନ୍ତି । ସେ କହିଛନ୍ତି ଯେ ଯଦି ଏହି ଶକ୍ତିକୁ ଅନୁଶାସନ, ସମର୍ପଣ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ଦିଗରେ ଆଗେଇ ନିଆଯାଏ, ତେବେ ଦେଶର ଅନେକ ପିଢ଼ି ଆଗକୁ ବଢ଼ିପାରିବ । ଏହାସହ ଭାରତକୁ ବିକଶିତ ରାଷ୍ଟ୍ର ହେବାରୁ କେହି ରୋକିପାରିବେ ନାହିଁ ।

ଅଧିକ ପଢ଼ନ୍ତୁ--ଟାରିଫ୍ ଲଢ଼େଇ ଭିତରେ ସୁଧୁରୁଛି ସମ୍ପର୍କ: ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ନୂଆ ଅଧ୍ୟାୟ

ସେ ଆହୁରି ମଧ୍ୟ କହିଛନ୍ତି , ଫେକ୍ ନ୍ୟୁଜ୍ ଯୁଗରେ ସଠିକ୍‌ ସୂଚନା ଆସିବା ଏକ ବଡ଼ ଯୁଦ୍ଧରେ ପରିଣତ ହୋଇଛି । ସେ ଅପରେସନ ସିନ୍ଦୂରର ଉଦାହରଣ ଦେଇ କହିଥିଲେ ଯେ କିପରି କରାଚି ଉପରେ ଆକ୍ରମଣର ଗୁଜବ ହଇଚଇ ସୃଷ୍ଟି କରିଥିଲା । ଏହିପରି ଖବର ଆମକୁ ମଧ୍ୟ ଭ୍ରମିତ କରିଛି । ଆଜିକାଲି ସୁରକ୍ଷାର ଏହି ଜଟିଳତା ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତକୁ ଏବେ ଭୂମି, ଆକାଶ, ସମୁଦ୍ର ଏବଂ ମହାକାଶ ଚାରିଟି ଯାକ ସ୍ଥାନରେ ସୁରକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।

'Gen Z କୁ ଅନୁଶାସନ, ସମର୍ପଣ ସହିତ ଆଗକୁ ବଢ଼ାଇବାର ଆବଶ୍ୟକତା'

ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଆଜିର ସୁରକ୍ଷା ଚ୍ୟାଲେଞ୍ଜ କେବଳ ସୀମା ବା ଆତଙ୍କବାଦ ମଧ୍ୟରେ ସୀମିତ ନୁହେଁ, ବରଂ ଏଥିରେ ସାଇବର ୱାର, ମହାକାଶ ଯୁଦ୍ଧ, ରାସାୟନିକ ଓ ଜୈବିକ ବିପଦ ଏବଂ ସୂଚନା ଯୁଦ୍ଧ ଭଳି ନୂଆ ଦିଗ ଯୋଡ଼ି ହୋଇଛି । ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ପାଇଁ ଆମକୁ ଏକ ଏପରି ପିଢ଼ି ଦରକାର, ଯିଏ ତୀକ୍ଷ୍ଣ, ସଚେତନ, ବୈଷୟିକ ଦୃଷ୍ଟିରୁ ସକ୍ଷମ ହେବ ଏବଂ Gen Z ସେହିପରି ଅଟେ । ସେ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବାର ସ୍ୱପ୍ନ ସେତେବେଳେ ହିଁ ପୂରଣ ହେବ, ଯେତେବେଳେ Gen Z କୁ ଅନୁଶାସନ, ସମର୍ପଣ ଏବଂ ରାଷ୍ଟ୍ରଭକ୍ତି ସହିତ ଆଗକୁ ବଢ଼ାଯିବ ।