କନକ ବ୍ୟୁରୋ: ଦିନକୁ ଦିନ ପଲାମାନେ ଆଧ୍ୟାତ୍ମିକତା ଠାରୁ ଦୂରେଇ ଯାଇ ଆଧୁନିକତାକୁ ଆପଣାଇ ନେଉଛନ୍ତି । ମୋବାଇଲରେ ଘଣ୍ଟା ଘଣ୍ଟା ସମୟ କାଟୁଛନ୍ତି । ଧର୍ମ, ସଂସ୍କୃତିଠୁ ମୁହଁ ଫେରାଇନେବା ଆରମ୍ଭ କଲେଣି ଏବେକାର କୁନି ପିଲା । ଏଣୁ ପିଲାଙ୍କୁ ଧର୍ମ ମାର୍ଗରେ ନେବାକୁ ତଥା ପୁରାଣ ପାଠ ପ୍ରତି ଆକର୍ଷିତ କରିବାକୁ ଆଗେଇ ଆସିଛି ବସ୍ତାର ଏକ ବିଦ୍ୟାଳୟ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ସୃଷ୍ଟି କରିବା, ଈଶ୍ୱର ବିଶ୍ୱାସୀ ଏବଂ ସଂସ୍କାରଧର୍ମୀ ହେବା ପାଇଁ ପ୍ରତ୍ୟେକ ଦିନ ପ୍ରାର୍ଥନା ସଭାରେ ବେଦପାଠ, ହନୁମାନ ଚାଳିଶା, ଜାତୀୟ ସଂଗୀତ, ଗୀତା ପାଠ କରନ୍ତି ଏହି ବିଦ୍ୟାପୀଠର ଛାତ୍ର ଛାତ୍ରୀ ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ତିଗିରିଆ ସ୍ଥିତ ଫୁଲମଣି ବିଦ୍ୟାପୀଠରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଗୁରୁକୁଳ ପଦ୍ଧତିରେ ଶିକ୍ଷା । ଏଠି ବଡ଼ ମଣିଷ ନୁହେଁ ଭଲ ମଣିଷ ପାଇଁ ଦିଆଯାଏ ଶିକ୍ଷା । ଫଳରେ ଛାତ୍ରଛାତ୍ରୀ ସଂସ୍କାରଧର୍ମୀ ହୋଇ ପାରିବେ । ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଭୂୟାଁ ଚଳିତ ନଭେମ୍ବର ମାସ ୧ ତାରିଖ ଠାରୁ ପ୍ରଧାନଶିକ୍ଷକ ଭାର ନେଇଛନ୍ତି । ସେ ପିଲାମାନଙ୍କୁ ସଂସ୍କାରଧର୍ମୀ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି । ପ୍ରତ୍ୟେକ ଦିନ ପାଠ ପଢା ଆରମ୍ଭରୁ ବିଦ୍ୟାଳୟରେ ଜଗତର ନାଥ ଜଗନ୍ନାଥଙ୍କୁ ପୂଜା ପରେ ପ୍ରାର୍ଥନା ସଭାରେ ସମସ୍ତ ପିଲାଙ୍କୁ ହନୁମାନ ଚାଳିଶା ପାଠ, ଜାତୀୟ ସଂଗୀତ, ବେଦପାଠ, ଭାଗବତ ଗୀତରୁ ଗୋଟିଏ ଶ୍ଳୋକ ପାଠ କରନ୍ତି । ଏହା ପରେ ଚନ୍ଦନ ତିଳକ ଲଗାଇ ଶ୍ରେଣୀ ଗୃହକୁ ପ୍ରବେଶ କରନ୍ତି। ପ୍ରତି ଶନିବାର ବିଦ୍ୟାପୀଠରେ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ଦିଆଯାଉଛି । ଫଳରେ ଛାତ୍ରଛାତ୍ରୀ ମାନେ ପୁସ୍ତକଗତ ଶିକ୍ଷା ସହିତ ଶାରୀରିକ ଶିକ୍ଷା ମଧ୍ୟ ପାଇ ପାରୁଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
ଅଧିକ ପଢ଼ନ୍ତୁ--ଟ୍ୟାପ୍ ଅଛି ହେଲେ ପାଣି ନାହିଁ ; ଗାଁ ଲୋକଙ୍କୁ ମିଳୁନି ପିଇବା ପାଣି
ଅନ୍ୟପଟେ ପିଲାମାନଙ୍କ ଭିତରେ ସଂସ୍କାର ଆଣିବା, ଗୁରୁ ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ଏବଂ ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବ ଜାଗ୍ରତ କରିବା ଲକ୍ଷ୍ୟ ନେଇ ପୁସ୍ତକଗତ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷା ଦେବା ଆରମ୍ଭ କରିଛୁ ବୋଲି ସ୍କୁଲର ପ୍ରଧାନ ଶିକ୍ଷକ କୁହନ୍ତି । ତେବେ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକଙ୍କୁ ଛାଡିଦେଲେ ନାହାନ୍ତି ଜଣେ ହେଲେ ଶିକ୍ଷକ । ଫୁଲମଣି ବିଦ୍ୟାପୀଠରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୯୦ ରୁ ଅଧିକ ପିଲା ପାଠ ପଢନ୍ତି । ବିଦ୍ୟାପୀଠଟି ବ୍ଲକଗ୍ରାଣ୍ଡ ସ୍କୁଲ ହୋଇଥିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ଭୂୟାଁ ସମସ୍ତ କାର୍ଯ୍ୟ ସହିତ ୩ ଟି କ୍ଲାସର ପିଲାଙ୍କୁ ପାଠ ପଢାଉଛନ୍ତି । ଯାହା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅଧିକ ପଢ଼ନ୍ତୁ--ଜାତୀୟ ରାଜପଥରେ ୨୪ ଘଣ୍ଟା ଜଳୁଛି ଷ୍ଟ୍ରିଟ୍ ଲାଇଟ୍ ; କେହି ଦେଉନାହାନ୍ତି ଗୁରୁତ୍ବ
ଅଭିଭାବକ ଏବଂ ପ୍ରଧାନଶିକ୍ଷକଙ୍କ ବହୁ ନିବେଦନ ପରେ ଅବସର ନେଇସାରିଥିବା ୩ ଜଣ ଅତିଥି ଶିକ୍ଷକ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତେବେ ଦୁନିଆରେ ସମସ୍ତେ ଅର୍ଥ ରୋଜଗାର ପଛରେ ଧାଇଁଛନ୍ତି। ଆଧୁନିକତା ପଛରେ ପଡ଼ି ସଂସ୍କାରକୁ ଭୁଲି ଯାଉଛନ୍ତି । ମାତ୍ର ଏହି ବିଦ୍ୟାପୀଠ ଛାତ୍ରଛାତ୍ରୀଙ୍କୁ ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ପାଇଁ ଶିକ୍ଷା ଦେଉଛି, ଯାହା ସମାଜ ପାଇଁ ଏକ ବିରାଟ ବାର୍ତ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/24/school-2025-11-24-17-11-10.jpg)