କନକ ବ୍ୟୁରୋ: କୁନିକୁନି ପିଲାମାନଙ୍କର ପାଠ ପ୍ରତି ଆଗ୍ରହ ବଢ଼ାଇବା ପାଇଁ ନିଆରା ପ୍ରୟାସ । ନାଚ, ଗୀତ, ଗପ ଏବଂ ଖେଳ ପରି ଅଭିନବ ଉପାୟରେ ପାଠ ପଢ଼ାଉଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ କୁଡ଼ିଆ ଅଙ୍ଗନବାଡ଼ି କର୍ମୀ ରେଣୁବାଳା ପାତ୍ର। ଯାହାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଅଭିଭାବକ ।
ବସ୍ତା ବ୍ଲକ କୁଡ଼ିଆ ଅଙ୍ଗନବାଡି କର୍ମୀ ରେଣୁବାଳା ପାତ୍ର । କୁନିକୁନି ପିଲାଙ୍କୁ ନିଆରା ଅନ୍ଦାଜର ପାଠ ପଢ଼ାଇ ଏବେ ସେ ଚର୍ଚ୍ଚାରେ । କାନ୍ଥରେ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ଚିତ୍ର ଅଙ୍କିଛନ୍ତି । ପିଲାଙ୍କୁ ଶିକ୍ଷାମନସ୍କ କରିବା ପାଇଁ ବଜାରରୁ କିଣିଛନ୍ତି କଣ୍ଢେଇ, ପ୍ଲାଷ୍ଟିକ ଜୀବଜନ୍ତୁ, ଫୁଲ, ଫଳ ଓ ସାଙ୍କେତିକ ଚିତ୍ର । ନାଚ, ଗୀତ, ଗପ ଓ ଖେଳ ମାଧ୍ୟମରେ ପାଠ ପଢ଼ାଉଛନ୍ତି । ପିଲା ବି ଦିଦିଙ୍କ ପାଖରେ ପଢ଼ିବା ପାଇଁ ସମୟ ପୂର୍ବରୁ ପହଞ୍ଚିଯାଉଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରରେ ।
ରେଣୁବାଳା ଅଙ୍ଗନବାଡ଼ିକୁ ମନ୍ଦିର ଭାବେ ଦେଖନ୍ତି । କେନ୍ଦ୍ରର ମୁଖ୍ୟ ଦ୍ଵାରରେ ପ୍ରତ୍ୟେକ ଦିନ ଘଟ ସ୍ଥାପନ କରି ପଢ଼ା ଆରମ୍ଭ କରନ୍ତି । ରେଣୁବାଳାଙ୍କ ଏପରି ପାଠପଢ଼ା ଶୈଳୀ ପାଇଁ ପିଲାମାନେ ବି ସହଜରେ ପାଠ ମନେ ରଖିପାରୁଛନ୍ତି । ଏଭଳି ପ୍ରୟାସ ପାଇଁ ତାଙ୍କୁ ସମସ୍ତେ ଡ୍ୟାନ୍ସିଂ ଅଙ୍ଗନବାଡ଼ି ଦିଦି ବୋଲି ଡାକିଥାନ୍ତି । ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ କେବଳ ଭୋଜନ ଉପରେ ଗୁରୁତ୍ୱ ନଦେଇ ଯଦି ଏହିଭଳି ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଏ ତେବେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆସିପାରନ୍ତା ।