କନକ ବ୍ୟୁରୋ :ଅଙ୍ଗନବାଡି ଗୁଡିକରେ ଭିତିଭୂମି ଅଭାବ। ଏପଟେ ନିଜସ୍ୱ ଘର ନଥିବାରୁ ଅଙ୍ଗନବାଡିର ଛୋଟ ଛୋଟ ଶିଶୁମାନେ ବାରଦୁଆର ଘୁରି ବୁଲୁଥବା ବେଳେ ଅଙ୍ଗନବାଡିର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି । ଭିତିଭୂମି ବିକାଶ ବିନା ସରକାର କେବଳ କାଗଜ କଲମରେ ଅପଗ୍ରେଡ୍ କରୁଥିବା ଚର୍ଚ୍ଚା ହେଉଛି ।
ଅଧିକ ପଢ଼ନ୍ତୁ : ରାୟଗଡ଼ାରେ ଅଙ୍ଗନବାଡ଼ିକୁ ଟିଭି ଉପହାସ, କେନ୍ଦ୍ରରେ ନାହିଁ ବିଦ୍ୟୁତ୍ ସଂଯୋଗ, ସରକାର ଯୋଗାଇଛନ୍ତି ବଡ଼ ବଡ଼ ଟିଭି
ଜଣଙ୍କ ଘରେ ଚାଲିଛି ଅଙ୍ଗନୱାଡି। କାନ୍ଥରେ ଲେଖାହୋଇଛି ବିବାହ ଚିତା, ଭିତରେ ବସୁଛନ୍ତି କୁନିକୁନି ପିଲା। ଏଭଳି ଚିତ୍ର ଦେଖିିବାକୁ ମିଳିଛି ରାୟଗଡ଼ା ପୌରପରିଷଦ ଅଧିନସ୍ଥ ୧୧ ନମ୍ବର ଓାର୍ଡର ଏକ ଅଙ୍ଗନବାଡ଼ିର । କେନ୍ଦ୍ରର ନିଜସ୍ୱ ଘର ନଥିବାରୁ ଦୀର୍ଘ ୧୦ ବର୍ଷ ହେଲାଣି ସହାୟିକାଙ୍କ ଘରେ ଚାଲିଛି ପାଠପଢ଼ା। ଯେଉଁଠି ବସୁଛନ୍ତି, ସେଇଠି ରୋଷେଇ, ଆଉ ବାରଣ୍ଡାରେ ଖିଆପିଆ କରନ୍ତି ପିଲାମାନେ । ଏବେ ଆସନ୍ତୁ ଆଉ ଗୋଟିଏ କେନ୍ଦ୍ର ବାବଦରେ ଜାଣିବା । ରାୟଗଡା ସଦର ଠାରୁ ୨ କିଲୋମିଟର ଦୂର ବାଇସିଙ୍ଗ ପଞ୍ଚାୟତ ଦୁମାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର । ଏଠି ସ୍ଥିତି ଆହୁରି ସାଂଘାତିକ । ନିଜସ୍ୱ ଘର ନଥିବାରୁ ସ୍ଥାନୀୟ ବିଦ୍ୟାଳୟର ଭଙ୍ଗା ଘରେ... ବିପଦ ସଙ୍କୁଳ ଅବସ୍ଥାରେ... ବସୁଛନ୍ତି କୁନିକୁନି ଶିଶୁ। କାନ୍ଥ ଫାଟି ଆଁ କରିଛି, ଖାଲଖମା ଭର୍ତ୍ତି ଚଟାଣ । ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ନଶୁଣିବାରୁ ଅଙ୍ଗନବାଡି ଦିଦି ନିଜସ୍ୱ ଖର୍ଚ୍ଚରେ ମରାମତି କରି ଦୟନିୟ ଅବସ୍ଥାରେ କେନ୍ଦ୍ର ଚଳାଉଥିବା କହିଛନ୍ତି ।
କେବଳ ଏଇ ଦୁଇଟି ଅଙ୍ଗନବାଡି ନୁହେଁ ରାୟଗଡ଼ା ଜିଲ୍ଲାରେ ଅନେକ କେନ୍ଦ୍ର ଜାରାଜୀର୍ଣ୍ଣ ଅବସ୍ତାରେ। କିଛି ସ୍ଥାନୀୟ ଲୋକଙ୍କ ବାରଣ୍ଡାରେ ଚାଲିଛି। ପିଲାମାନେ ଖରା ବର୍ଷାରେ ପାଠ ପଢ଼ିବାକୁ ଦହଗଞ୍ଜ ହେଉଛନ୍ତି। ଜିଲ୍ଲାରେ ମୋଟ ୨ହଜାର ୬୩ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ସେଥିମଧ୍ୟରୁ ୫୭୫ଟି କେନ୍ଦ୍ର ସ୍କୁଲ ବାରଣ୍ଡା, ଭଡ଼ାଘର, କମ୍ୟୁନିଟି ସେଣ୍ଟରରେ ଚାଲୁଛି । ବାରମ୍ବାର ଜଣାଇବା ସତ୍ତ୍ୱେ ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ରାୟଗଡ଼ାରେ ଜିଲ୍ଲାରେ ୧୪୮୮ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ କୋଠା ରହିଛି । ଅନ୍ୟଗୁଡ଼ିକର ନିଜ ଘର ନଥିବାରୁ ୬୧ଟି ସ୍କୁଲ ବାରଣ୍ଡାରେ, ୨୮୭ଟି ଭଡ଼ା ଘରେ, ଏବଂ ୨୨୭ଟି କମ୍ୟୁନିଟି ସେଣ୍ଟରରେ ଚାଲିଛି । ଠିକ୍ ସେହିପରି ୩୪୨ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ନାହିଁ । ଏପରି ସ୍ଥଳେ ସରକାରଙ୍କ ସକ୍ଷମ କେନ୍ଦ୍ର ଘୋଷଣା ଉପରେ ପ୍ରଶ୍ନବାଚି ଲଗାଇଛି । ସରକାର ଓ ଜିଲ୍ଲା ପ୍ରଶାସନ ଯାଥାଶିଘ୍ର ଏଥିପ୍ରତି ଗୁରୁତ୍ୱ ଦେଇ କୋମଳମତି ଶିଶୁଙ୍କୁ ସୁରକ୍ଷା ପାଇଁ ଅଙ୍ଗନବାଡି କେନ୍ଦ୍ରକୁ ନିଜସ୍ୱ ଘର ଯୋଗାଇଦେବା ଜରୁରୀ।
Follow Us