କନକ ବ୍ୟୁରୋ : ଓଡ଼ିଶାର କୋଟିଆ ଉପରେ ପଡୋଶୀ ଆନ୍ଧ୍ରର ଲୋଲୁପ ନଜର । କୋଟିଆରେ ଓଡ଼ିଶାର ପ୍ରତିଟି ଗତିବିଧି ଉପରେ ନଜର ରଖିଛି ଆନ୍ଧ୍ର। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ କୋଟିଆ ଗସ୍ତ ପରେ ଆନ୍ଧ୍ର ଆରମ୍ଭ କରିଛି ଅପରେସନ କୋଟିଆ। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ସମର୍ଥକ କୋଟିଆରେ ପହଞ୍ଚି ବୈଠକ କରି ବିବାଦୀୟ ଗାଁକୁ ନିଜର ବୋଲି ଦାବି କରିବା ସହ ଓଡ଼ିଶାକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ଅନ୍ୟପଟେ ଓଡ଼ିଶାରେ ଏହାକୁ ନେଇ ତେଜିଛି ରାଜନୀତି। 

Advertisment

କୋଟିଆ ଉପରସେମ୍ବିକୁ ଯାଇ ବିଦ୍ୟୁତ୍ ସବଷ୍ଟେସନ ନିର୍ମାଣ ପାଇଁ ପୁନାଦି ପକାଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। କନକଙ୍କ ଏହି ଗସ୍ତ ପରେ ଆନ୍ଧ୍ରର ମୁଣ୍ଡବିନ୍ଧା ବଢିଛି। କୋଟିଆରେ ଓଡ଼ିଶା ସରକାରଙ୍କ ବିକାଶ ଆନ୍ଧ୍ର ପାଇଁ ଅସହ୍ୟ ହୋଇଛି। କୋଟିଆକୁ କବଜା କରିବାକୁ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଜନସେବା ଦଳ ୧୨ଟି ଗାଁର ମୁଖିଆ ଓ ଲୋକଙ୍କୁ ନେଇ ଉପରସେମ୍ବିରେ ବୈଠକ କରି ବିବାଦୀୟ ଗାଁକୁ ନିଜର ବୋଲି ଦାବି କରିଛି। ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ମଧ୍ୟ ଆନ୍ଧ୍ରଙ୍କୁ ସୁହାଉଛି। ସିଧାସଳଖ କହୁଛନ୍ତି, ବାରମ୍ବାର ଓଡ଼ିଶାର ମନ୍ତ୍ରୀ ଆସୁଛନ୍ତି ହେଲେ ବିକାଶ କାମ ହେଉନି। 

ଅଧିକ ପଢ଼ନ୍ତୁ :   ତୁଟୁନି ଆନ୍ଧ୍ରପ୍ରଦେଶର କୋଟିଆ ମୋହ, ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଗସ୍ତ ବିରୋଧରେ ଉପରସେମ୍ୱି ଗାଁରେ ଆନ୍ଧ୍ର ସମର୍ଥକଙ୍କ ବୈଠକ

କୋଟିଆରେ ଜନସେନା ଦଳର ମେଳି ଭିତରେ ଆଇନମନ୍ତ୍ରୀ ପୃଥ୍ବୀରାଜ କହିଛନ୍ତି କୋଟିଆବାସୀ ଆମ ସାଥୀରେ ଅଛନ୍ତି। କେହି ଡରେଇ ଧମକାଇ ଆମ ଲୋକଙ୍କୁ ନେଇପାରିବେନି। କୋଟିଆର ସମ୍ପୂର୍ଣ୍ଣ ଅଞ୍ଚଳ ଓଡ଼ିଶା ସହ ରହିବ।  କାଉଣ୍ଟର କରି ବିଜେଡି କହିଛି, କୋଟିଆ ସମସ୍ୟା କ’ଣ ଓଡ଼ିଆ ଅସ୍ମିତା ଭିତରେ ଆସୁନି? ଟ୍ରିପଲ ଇଞ୍ଜିନ ଥାଇ ବି କାହିଁକି ନ୍ୟାୟ ପାଉନାହାନ୍ତି କୋଟିଆବାସୀ। କଂଗ୍ରେସ କହିଛି, ଆନ୍ଧ୍ରରୁ ଲାଭ ପାଉଥିବା କୋଟିଆବାସୀ ବିଜେପି ସରକାରକୁ ବିଶ୍ବାସକୁ ନେଇପାରୁନାହାନ୍ତି।

 ବାରମ୍ବାର ଆନ୍ଧ୍ର ସରକାରଙ୍କ ଇଙ୍ଗିତରେ ଆନ୍ଧ୍ର ଅଧିକାରୀ ଜୋରଜବରଦସ୍ତି ପଶି କୋଟିଆକୁ ନିଜର ବୋଲି ଦାବି କଲେଣି। ଓଡ଼ିଶାର ଯୋଜନା ଅପେକ୍ଷା ଆନ୍ଧ୍ର ଯୋଜନାକୁ ଅଧିକ ଆପଣାଉଛନ୍ତି କୋଟିଆବାସୀ। ଏଭଳିସ୍ଥଳେ ଏବେଠୁ ଆଲୋଚନା ଟେବୁଲକୁ ନ ଆସିଲେ ନେଡିଗୁଡ କହୁଣୀକୁ ବୋହିବା ଭଳି ଓଡ଼ିଶା ହାତରୁ କୋଟିଆ ଖସିବାର ସମ୍ଭାବନା ବଢିଯିବ।