କନକ ବ୍ୟୁରୋ : ଦେଶ ସ୍ୱାଧୀନତାର ୭୯ ବର୍ଷ ହେଲାଣି । ହେଲେ ଏବେ ବି ଅନେକ ଗାଁ ଅଛି ଯେଉଁଠି ଲୋକେ ଦିନଟିଏ ବିତାଇବା ପାଇଁ ଯୁଝି ହେଉଛନ୍ତି । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ବିଜୁଳି ଆଲୁଅ କ’ଣ ଜାଣିନାହାନ୍ତି । ସଂଧ୍ୟା ହେଲେ ଗାଁରେ ତାଟି କବାଟ ପଡ଼ୁଛି । ଏପରି ଏକ ଉପାନ୍ତ ଗାଁରେ ରାତିରେ ପହଁଚି ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିଛି କନକ ନ୍ୟୁଜ୍ ।
ମହମବତୀର କ୍ଷୀଣ ଆଲୁଅ । ସେଥିରେ ଚାଲିଛି ଭବିଷ୍ୟତ ଗଢ଼ା । କୁନି କୁନି ପିଲାଙ୍କୁ ଦେଖିଲେ ଲାଗୁଛି ସତେ ଯେମିତି ଅନ୍ଧାରରେ ଚାପି ହୋଇଯାଇଛି ଏମାନଙ୍କ ସ୍ୱପ୍ନର ସୁନେଲି ଭବିଷ୍ୟତ । ଘରେ ଖାଇବା ଠାରୁ ଆରମ୍ଭ କରି ରୋଷେଇ ସବୁ କିଛି ଅନ୍ଧାରରେ ହୁଏ । ଶୀତୁଆ ରାତିରେ କାଠ ଖଣ୍ଡେ ଜାଳି ଶୀତ ସହ ଅନ୍ଧକାରକୁ ଦୂର କରିବା ପାଇଁ ଚେଷ୍ଟା କରେ ଏକ ଉପାନ୍ତ ମଣିଷ । ଦିନେ କି ଦୁଇ ଦିନ ନୁହେଁ, ଏ ସଂଘର୍ଷ ହେଉଛି ବର୍ଷବର୍ଷର ।
ଅଧିକ ପଢ଼ନ୍ତୁ : ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳବର୍ତ୍ତି ଗାଁ; ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ଉପକୂଳକୁ ମାଡ଼ି ଆସିଛି ସମୁଦ୍ର
ଗଞ୍ଜାମ ଜିଲ୍ଲା ଧରାକୋଟ ଓ ସୋରଡ଼ା ସୀମାରେ ଥିବା ସିଦ୍ଧପୁର ପଞ୍ଚାୟତର ଦନ୍ତାରି ନାଳ । ଗାଁରେ ବାସ କରନ୍ତି ୧୮ଟି ପରିବାର । ବିଜୁଳି ଆଲୁଅ ନଥିବାରୁ ସଂଧ୍ୟାରୁ ହିଁ ରୋଷେଇ କାର୍ଯ୍ୟ ସାରି ଘରେ କବାଟ କିଳି ରୁହନ୍ତି । ଅନେକ ସମୟରେ ହିଂସ୍ର ଜନ୍ତୁଙ୍କ ଭୟ ମଧ୍ୟ ରହିଥାଏ । ବିଡ଼ମ୍ବନା ଯେ, ଗାଁକୁ ସରକାରଙ୍କ ତରଫରୁ କିରୋସିନି ଟୋପାଏ ବି ମିଳୁନି । ସେଥିପାଇଁ ଏମାନଙ୍କ ଭରସା ତେଲ ଦୀପ ନହେଲେ ମହମବତୀ ।
କେବଳ ବିଜୁଳି କାହିଁକି ପାନୀୟ ଜଳ ଓ ରାସ୍ତା ବି ଗାଁର ପ୍ରମୁଖ ସମସ୍ୟା । ଗାଁକୁ ଯିବାକୁ ହେଲେ ଦୁଇ ପଟ ଲଟା ମାଡ଼ିଥିବା ରାସ୍ତା ଭରସା। ଗାଁ ଲୋକ ଅନେକ ଥର ଅଭିଯୋଗ କରିବା ପରେ ବି କୌଣସି ସୁବିଧା ମିଳିପାରୁନି । ସରକାର ପରେ ସରକାର ବଦଳୁଛି, ହେଲେ ଗାଁର ସ୍ଥିତିରେ ପରିବର୍ତ୍ତନ ଆସିପାରୁନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/02/andhari-village-2025-12-02-18-13-07.jpg)