AMA Bus Photograph: (Kanak News)
କନକ ବ୍ୟୁରୋ : ରାଜଧାନୀରେ ପୁଣି ଆମ ବସ୍ ଦୁର୍ଘଟଣା । ବାଇକ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୁମୂଳକାଣ୍ଡ ଘଟାଇଛନ୍ତି ଉତ୍ତ୍ୟକ୍ତ ଲୋକେ । ରାସ୍ତାରେ ଯାଉଥିବା ଅନ୍ୟ ଆମ ବସ୍ ଉପରକୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ । ସ୍ଥିତି ଏପରି ହୋଇଥିଲା ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା ।
ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ଅଭିମୁଖେ ଯାଉଥିଲା ୮୨ ନମ୍ବର ରୁଟ୍ର ଆମ ବସ୍ । ବ୍ୟସ୍ତ ବହୁଳ ଜନପଥ ରାସ୍ତାରେ ହଠାତ୍ ଏକ ବାଇକ୍କୁ ଦେଇଥିଲା ଧକ୍କା । ବସ୍ ତଳେ ଚାପି ହୋଇଗଲା ବାଇକ୍ । ଚାଳକ ତ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି, ଦୁର୍ଘଟଣାରେ ବାଇକ୍ କିନ୍ତୁ କ୍ଷତିଗ୍ରସ୍ତ ହୋଇଛି । ପରେ ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍ ଜବତ କରିବା ସହ ଆହତ ବାଇକ୍ ଚାଳକଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।
ଅଧିକ ପଢ଼ନ୍ତୁ : ବଜାର ପାଖରେ ଖଲିକୋର୍ଟ ଏନଏସିର ଅସ୍ଥାୟୀ ଡମ୍ପିଂୟାର୍ଡ, ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ବେପାର
ଦୁର୍ଘଟଣା ଘଟାଇଥିବା ବସ୍କୁ ପୁଲିସ ଜବତ କରିବା ପରେ ଘଟଣାସ୍ଥଳରେ ପ୍ରକାଶ ପାଇଥିଲା ଉତ୍ତେଜନା । ଏ ରୁଟରେ ଯାଉଥିବା ସିଛି ଆମ ବସ୍କୁ ଆକ୍ରମଣ କରିଥିଲେ ସ୍ଥାନୀୟ ବାସିନ୍ଦା । ଟେକା ପଥର ମାଡ଼ରେ କିଛି ଯାତ୍ରୀ ମଧ୍ୟ ଆହତ ହୋଇଥିଲେ । ଏ ସମୟରେ ଉପୁଜିଥିଲା ଅସମ୍ଭାଳ ଟ୍ରାଫିକ୍ ଜାମ୍ ସ୍ଥିତି । ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଭୁବନେଶ୍ୱର ଡିସିପି । ସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା ।
ବସ୍ ଭଙ୍ଗାରୁଜା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି । କିଭଳି ସ୍ଥିତିରେ ଦୁର୍ଘଟଣା ଘଟିଲା, କିଭଳି ସ୍ଥିତିରେ ଆମ ବସ୍ ଉପରକୁ ହେଲା ଆକ୍ରମଣ, ଜନପଥରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୁଲିସ । ପ୍ରଶ୍ନ ଉଠୁଛି କାହିଁକି ବାରମ୍ବାର ଦୁର୍ଘଟଣା ଘଟାଉଛି ‘ଆମ ବସ୍’ ? ଆଉ କେତେ ଜୀବନ ଗଲେ ଚେତିବେ କର୍ତ୍ତୃପକ୍ଷ ?
Follow Us