କନକ ବ୍ୟୁରୋ:  ସ୍ବଚ୍ଛ ଭାରତ ମିସନ ଚାଲିଛି । ସହରରେ ରାସ୍ତାଘାଟ ଯେଉଁଠି ବି ଅଳିଆ ପଡୁଛି ପ୍ରଶାସନ ପକ୍ଷରୁ ଅଳିଆ ଉଠାଇବାକୁ ଗାଡିର ବ୍ୟବସ୍ଥା ହୋଇଛି । କିନ୍ତୁ ଓଡ଼ିଶାରେ ଏମିତି ଏକ ଅଂଚଳ ଅଛି ଯେଉଁଠି ବଜାର ଉପରେ ଅସ୍ଥାୟୀ ଡମ୍ପିଂୟାର୍ଡ କରିଛି ଏନଏସି । ଫଳରେ ବଜାରରେ ଏକ ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଚାଲିଛି କାରବାର ।  ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି ଏନଏସି କତୃପକ୍ଷ ।  

Advertisment

ବଜାର ପାଖରେ ଅସ୍ଥାୟୀ ଡମ୍ପିଂୟାର୍ଡ । ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ବେପାର । ଯେଉଁଠି ଦେଖିବେ ଅଳିଆ,  ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ଅଂଚଳ । ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗଞ୍ଜାମ ଖଲ୍ଲିକୋଟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବଜାରକୁ ଲାଗି ଅସ୍ଥାୟୀ ଡମ୍ପିଂୟାର୍ଡ କରିଛି ଖଲିକୋର୍ଟ ଏନଏସି । ବଜାରକୁ ଲାଗି ଡମ୍ପୟାର୍ଡ ସହ ବ୍ୟବହାର ହେଉନଥିବା ଦୋକାନ ଘର ବି ଅଳିଆ ପଡୁଛି ।  ଏହି ଡମ୍ପିଂୟାର୍ଡରୁ ସୃଷ୍ଟି ହେଉଥିବା ମଶା ମାଛି ଖାଦ୍ୟ ଉପରେ ବସୁଛନ୍ତି, ଯାହାକୁ ଖାଇ ଲୋକେ ରୋଗରେ ପଡୁଛନ୍ତି। ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ଏନଏସି କତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ: ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା

ବଡ଼ କଥା ହେଉଛି ଅଳିଆ ପକାଇବାକୁ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର  ରହିଥିଲେ ମଧ୍ୟ ବଜାର ନିକଟରେ ଅଳିଆ ପକାଇଛି ଏନଏସି। ଘରକୁ ଘର ବୁଲି ଅଳିଆ ଗାଡି ଅଳିଆ ଆଣି ଏଠାରେ ପକାଉଛି । କିପରି ବଜାରକୁ ଲାଗି ଡମ୍ପୟାର୍ଡ ନିର୍ମାଣ କରାଯାଇଛି ? ତାକୁ ନେଇ ପ୍ରଶ୍ନ ଉଠିଛି।  କିନ୍ତୁ ଖଲ୍ଲିକୋଟ ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ କହିଛନ୍ତି ସେଠାରେ ଲୋକମାନେ ଅଳିଆ ପକାଇ ଦେଉଛନ୍ତି । ତେଣୁ ସେଠାରେ ଅଳିଆ ହେଉଛି । ସହରକୁ ସଫା ରଖିବାକୁ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଏହାର ତଦାରଖ ହେଉନଥିବାରୁ କାମ ଠିକ୍ ଭାବେ ହେଉନି। କର୍ମଚାରୀଙ୍କ ଅବହେଳା ପାଇଁ ସ୍ଥାନୀୟ ଲୋକ ହନ୍ତସନ୍ତ ହେଉଛନ୍ତି। କେବେ ବଜାରରୁ ଅଳିଆ ହଟୁଛି ତାହା ଉପରେ ନିର୍ଭର କରୁଛି ସ୍ବଚ୍ଛତା ପ୍ରତି ସରକାର କେତେ ସଚେତନ ଅଛନ୍ତି ।