alisa hilly Photograph: (Kanak News)
କନକ ବ୍ୟୁରୋ: ଅଷ୍ଟ୍ରେଲିଆର ମହାନ ମହିଳା କ୍ରିକେଟର୍ ତଥା ଅଧିନାୟିକା ଆଲିସା ହିଲିଙ୍କୁ ଆଉ ଦେଖିବାକୁ ମିଳିବନି ଆକ୍ସନ୍ରେ । ଦୀର୍ଘ ୧୫ ବର୍ଷର କ୍ରିକେଟ୍ ଯାତ୍ରାରେ ଖୁବ ଶୀଘ୍ର ସେ ଶେଷ ରେଖା ଟାଣିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର୍ ଭାବେ ଜଣାଯାଉଥିବା ଆଲିସା ଆଗାମୀ ଭାରତ ବିପକ୍ଷ ବିବିଧ ଫର୍ମାଟ୍ ଶୃଙ୍ଖଳା ପରେ ଅବସର ନେଇଯିବେ । ନିଜ ଖେଳ ଜୀବନରେ ୩୫ ବର୍ଷୀୟା ୱିକେଟକିପର୍ ବ୍ୟାଟର୍ ଆଲିସା ୮ ଥର ବିଶ୍ବକପ୍ ଜିତିବାର ସୌଭାଗ୍ୟ ପାଇଥିଲେ । ଯେଉଁଥିରେ ୨ ଥର ଆଇସିସି ଦିନିକିଆ ବିଶ୍ବକପ୍ ଏବଂ ୬ ଥର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ ସାମିଲ ରହିଛି ।
‘ଆସନ୍ତା ଭାରତ ବିପକ୍ଷ ଘରୋଇ ଶୃଙ୍ଖଳା ମୋ କ୍ରିକେଟ୍ ଜୀବନର ଶେଷ ଯାତ୍ରା ହେବ । ଏଥିପାଇଁ ମିଶ୍ରିତ ଅନୁଭବ ରହିଛି । ଅଷ୍ଟ୍ରେଲିଆ ପାଇଁ ଖେଳିବାକୁ ଏବେ ବି ମୁଁ ପାଗଳପ୍ରାୟ । କିନ୍ତୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ସ୍ତରରେ ଅବନତି ଘଟିଛି । ସେହି ଦୃଷ୍ଟିରୁ ଅବସର ନେବା ପାଇଁ ଏହା ପ୍ରକୃଷ୍ଟ ସମୟ’ ବୋଲି ଭାବପ୍ରବଣ ଆଲିସା ପ୍ରକାଶ କରିଛନ୍ତି । ୨୦୨୩ ମସିହାରେ ମେଗ୍ ଲାନିଙ୍ଗ୍ ଅବସର ନେବା ପରଠାରୁ ଆଲିସା ହିଲି ଦଳର ନେତୃତ୍ବ ନେଉଥିଲେ । ଗତବର୍ଷ ଭାରତରେ କିନ୍ତୁ ଦିନିକିଆ ବିଶ୍ବକପ୍ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭାରତ ବିଦାୟ ରାସ୍ତା ଦେଖାଇଥିଲା । ଜେମିମା ରଡ୍ରିଗ୍ବେଜ୍ଙ୍କ ଶତକୀୟ ପାଳି (୧୨୭*) ବଳରେ ଭାରତ ଏହି ପର୍ଯ୍ୟାୟ ଅତିକ୍ରମ କରିବା ପରେ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ବିଜେତା ହୋଇଥିଲା । ‘‘ମୁଁ ଏବେ ଦଳୀୟ ସାଥିଙ୍କ ସଂଗତ, ଅଷ୍ଟ୍ରେଲିଆ ଜାତୀୟ ସଂଗୀତ ଓ ଅଷ୍ଟ୍ରେଲିଆ ପାଇଁ ଓପନିଂ କରିବାର ମୁହୂର୍ତ୍ତ ସବୁ ମିସ୍ କରିବି’ ବୋଲି କହିଛନ୍ତି ଆଲିସା ।
ଆହୁରି ପଢ଼ନ୍ତୁ... ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର ; ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା
୨୦୧୦ ମସିହାରେ ଭାରତ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍କୁ ଆସିଥିଲେ ହିଲି । ଦିନିକିଆରେ ୭ ଶତକ ସହିତ ୩,୫୬୩ ରନ୍ ଏବଂ ଟ୍ବେଣ୍ଟି-୨୦ରେ ଏକମାତ୍ର ଶତକ ସହିତ ୩,୦୫୪ ରନ୍ ସଂଗ୍ରହ କରିଛନ୍ତି । ୱିକେଟ୍ପଛପଟେ ୨୭୫ ଡିସ୍ମିସାଲ୍ ବି କରିଛନ୍ତି । ପଡ଼ିଆ ଭିତରେ ଓ ବାହାରେ ଆଲିସାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଛି କ୍ରିକେଟ୍ ଅଷ୍ଟ୍ରେଲିଆ । ସୂଚନାଯୋଗ୍ୟ, ଆଲିସା ହିଲି ହେଉଛନ୍ତି ଅଷ୍ଟ୍ରେଲିଆ ପେସ୍ ବୋଲର୍ ମିଚେଲ୍ ଷ୍ଟାର୍କଙ୍କ ପତ୍ନୀ । ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ସହିତ ଗୋଟିଏ ଟେଷ୍ଟ୍ ଖେଳାଯିବାକୁ ଥିବାବେଳେ ଏହା ଆଲିସାଙ୍କ ଶେଷ କ୍ରିକେଟ୍ ପଡ଼ିଆ ଯାତ୍ରା ହେବ। ଏହି ଶୃଙ୍ଖଳା ଅଷ୍ଟ୍ରେଲିଆରେ ଖେଳାଯିବ।
Follow Us