Sanjay rout Photograph: (kanak news)
କନକ ବ୍ୟୁରୋ : ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ମାମଲା ରହସ୍ୟମୟ ହେବାରେ ଲାଗିଛି । ଅନେକ ନେତା ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଉଛନ୍ତି । ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ବିଜେପି ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣି ଦୁର୍ଘଟଣାକୁ ଅପରେସନ ଲୋଟସର ଏକ ଅଂଶ ବୋଲି କହିଛନ୍ତି । ଏହା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ସଞ୍ଜୟ ଦାବି କରିଛନ୍ତି, ଦେଶର ବର୍ତ୍ତମାନ ପରିସ୍ଥିତି ଏପରି ଯେ ଯିଏ ବିଜେପି ବିରୋଧରେ ଛିଡ଼ା ହେବ ସେ ଜେଲ୍ ଯିବେ ନଚେତ୍ ଜୀବନ ହରାଇବେ । ଅଜିତଙ୍କ ବିମାନ ଦୁର୍ଘଟଣାର ସତ୍ୟତା ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରାଯିବା ଉଚିତ । ଏହାର ନିରପେକ୍ଷ ତଦନ୍ତ କରାଯିବା ଜରୁରୀ ବୋଲି ସେ କହିଛନ୍ତି ।
ପ୍ରଫୁଲ ପଟେଲଙ୍କୁ ସଞ୍ଜୟଙ୍କ ଟାର୍ଗେଟ
ଯଦି ଅଜିତ ବିଜେପି ଛାଡି ଶରଦ ପାୱାରଙ୍କ ପାଖକୁ ଫେରିଥାନ୍ତେ, ତେବେ ଏହା ବିଜେପିର ଅପରେସନ ଲୋଟସ୍ ପାଇଁ ଏକ ବଡ଼ ଧକ୍କା ହୋଇଥାନ୍ତା । କ୍ଷମତା ପାଇଁ ବିଜେପି କେତେବେଳେ କ''ଣ ଯେ କରିବ ତାହା ଉପରେ ଆଉ କୌଣସି ଭରସା ନାହିଁ । ସଞ୍ଜୟଏନସିପି (ଏପି) ସାଂସଦ ପ୍ରଫୁଲ୍ଲ ପଟେଲଙ୍କୁ ଟାର୍ଗେଟ କରି କହିଛନ୍ତି, ପଟେଲ ଦଳର ଶୀଘ୍ର ସଭାପତି ହେବା ପାଇଁ ଚାହୁଁଛନ୍ତି ।
ଅଧିକ ପଢ଼ନ୍ତୁ---ଇରାନ ଡ୍ରୋନ୍କୁ ମାରି ଖସାଇଲା ଆମେରିକାର ଲଢ଼ୁଆ ବିମାନ ; ଅଳ୍ପକେ ବର୍ତ୍ତିଲା ଆରବ ସାଗରରେ ମୁତୟନ ଆମେରିକା ଯୁଦ୍ଧଜାହାଜ
ଠୋସ୍ ପ୍ରମାଣ ଦିଅ
ବିଜେପି ମିଡିଆ ସେଲ୍ ରାଜ୍ୟ ମୁଖ୍ୟ ନବନାଥ ବାନ୍ ଏ ସମ୍ପର୍କରେ ଠୋସ୍ ପ୍ରମାଣ ଉପସ୍ଥାପନ କରିବାକୁ ସଞ୍ଜୟ ରାଉତଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ୍ କରିଛନ୍ତି । ବାନ୍ କହିଛନ୍ତି, ସଞ୍ଜୟ ସାଂସଦ ଭାବରେ କାର୍ଯ୍ୟ କରିବା ସମୟରେ ମିଥ୍ୟା ଅଭିଯୋଗ କରିବାରେ ଅଭ୍ୟସ୍ତ ହୋଇଯାଇଛନ୍ତି । ସେ ନିଜର ପଦବୀ ଓ ରାଜନୀତି ଛାଡି ନିଜ ବ୍ୟବସାୟକୁ ଚାଲୁ ରଖିବା ପାଇଁ ଓଟିଟି ପ୍ଲାଟଫର୍ମ ପାଇଁ ନିର୍ଦ୍ଦେଶନା ତଥା ସ୍କ୍ରିପ୍ଟ ଲେଖିବା ଉଚିତ। ଅଜିତ ଦାଦା କେବେ ଏନ୍ସିପିକୁ ଫେରିବାକୁ ପ୍ରସ୍ତୁତ ନଥିଲେ । ସେ ଅନ୍ୟମାନଙ୍କୁ ଏନ୍ଡିଏ ମେଣ୍ଟକୁ ଆଣିବାକୁ ଚେଷ୍ଟା କରୁଥିଲେ ।
କମ୍ ଦୃଶ୍ୟମାନତା ଦାବି ମିଛ
ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି (ସପା) ନେତା ଅନିଲ ଦେଶମୁଖ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ବିମାନ ଦୁର୍ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ପ୍ରଶାସନ ଦୁର୍ଘଟଣା ପାଇଁ କମ୍ ଦୃଶ୍ୟମାନତାକୁ ଦାୟୀ କରୁଛନ୍ତି । କିନ୍ତୁ ଏହି ଦାବି ମିଛ । ଘଟଣାସ୍ଥଳର ଭିଡିଓ ଏହାକୁ ମିଥ୍ୟା ପ୍ରମାଣିତ କରୁଛି। ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ସିଆଇଡି ତଦନ୍ତ ଉପରେ ଆପତ୍ତି ପ୍ରକାଶ କରି ସମଗ୍ର ମାମଲାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ସେହିପରି ମନ୍ତ୍ରୀ ଛଗନ ଭୁଜବଳ ବିମାନ ଦୁର୍ଘଟଣା ନେଇ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି ।
Follow Us