India-Pakistan Photograph: (Google)
କନକ ବ୍ୟୁରୋ: ୨୦୨୫ ମସିହାରେ ଭାରତ ଓ ପାକିସ୍ତାନ ସଂଘର୍ଷର ସମ୍ମୁଖୀନ ହୋଇଥିଲେ । ଅନ୍ତର୍ଜାତୀୟ ଥିଙ୍କ ଟ୍ୟାଙ୍କ ଏସ୍ଆଇପିଆର୍ଆଇ ଚେତାବନୀ ଦେଇଛି ଯେ, ଉତ୍ତେଜନା ସମୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ସୃଷ୍ଟି ହୋଇଥିବା ଭୁଲ୍ ସୂଚନା ପରିସ୍ଥିତିକୁ ଆହୁରି ଖରାପ କରିଥିଲା। ରିପୋର୍ଟ ଅନୁଯାୟୀ, ଏହି ସଂଘର୍ଷ ଏକ ଦୀର୍ଘକାଳୀନ ସଂଘର୍ଷରେ ପରିଣତ ହୋଇପାରିଥାନ୍ତା। ଏପରିକି ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ସିଧାସଳଖ ପରମାଣୁ ମୁକାବିଲାର ବିପଦ ସୃଷ୍ଟି କରିଥାନ୍ତା।
ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଭୁଲ୍ ସୂଚନା
ସ୍ୱିଡେନସ୍ଥିତ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଏସ୍ଆଇପିଆର୍ଆଇ) ଏହାର ୱେବସାଇଟରେ ଏହି ଗବେଷଣା ଭିତ୍ତିକ ତଥ୍ୟ ପ୍ରକାଶ କରିଛି। ମଲ୍ଟି-ଡୋମେନ୍ ନ୍ୟୁକ୍ଲିୟର ଏସକେଲେସନ୍ ରିସ୍କକୁ ଆଡରେସ୍ କରିବା ଶୀର୍ଷକ ଏହି ରିପୋର୍ଟରେ ସାମ୍ପ୍ରତିକ ଭାରତ-ପାକିସ୍ତାନ ବିବାଦ, ଇରାନ ସହିତ ଜଡିତ ଇସ୍ରାଏଲର କାର୍ଯ୍ୟକଳାପ ଓ ରୁଷ-ୟୁକ୍ରେନ ଯୁଦ୍ଧର ବିଶ୍ଳେଷଣ କରାଯାଇଛି। ୨୦୨୫ ଭାରତ-ପାକିସ୍ତାନ ସଙ୍କଟକୁ ଉଲ୍ଲେଖ କରି ରିପୋର୍ଟରେ କୁହାଯାଇଛି ଯେ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଭୁଲ୍ ସୂଚନା ପରିସ୍ଥିତିର ବୁଝାମଣାକୁ ବିକୃତ କରିଦେଇଥିଲା।
ଏଆଇ ବିପଦପୂର୍ଣ୍ଣ
ଥିଙ୍କଟ୍ୟାଙ୍କ ପକ୍ଷରୁ ଏହା ମଧ୍ୟ ଚେତାବନୀ ଦିଆଯାଇଛି, ଭବିଷ୍ୟତରେ ଏପରି ଏଆଇ-ଆଧାରିତ ଭୁଲ୍ ସୂଚନା ଅଭିଯାନ ଆହୁରି ବିପଜ୍ଜନକ ହୋଇପାରେ। କାରଣ ଏହା ଭୂମିଗତ ବାସ୍ତବତାକୁ ଲୁଚାଇ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶଗୁଡ଼ିକର ରଣନୈତିକ ନିଷ୍ପତ୍ତିକୁ ପ୍ରଭାବିତ କରିପାରେ।
ଅଧିକ ପଢନ୍ତୁ: ବିଶ୍ଵରେ ବଢ଼ିଲା କୋଟିପତିଙ୍କ ସଂଖ୍ୟା, ତାଲିକାରେ ଭାରତର ଦୁଇ
ବିଭ୍ରାନ୍ତକାରୀ ବିଷୟବସ୍ତୁର ପ୍ରସାରଣ
ଅପରେସନ୍ ସିନ୍ଦୂର ସମୟରେ ବିଭ୍ରାନ୍ତକାରୀ ବିଷୟବସ୍ତୁର ପ୍ରସାରଣ ଯାଞ୍ଚ୍ କରିଥିବା ଏସ୍ଆଇପିଆର୍ଆଇ ସୂଚନା ପରିବେଶକୁ ଏକ ଉତ୍ତେଜନାପୂର୍ଣ୍ଣ ଦୃଶ୍ୟ ଭାବରେ ବର୍ଣ୍ଣନା କରିଛି। ରିପୋର୍ଟ ଅନୁଯାୟୀ, ଉଭୟ ପକ୍ଷର ସାମରିକ ସଫଳତା ଓ କ୍ଷେତ୍ରୀୟ ଲାଭର ମିଥ୍ୟା ଦାବି ପ୍ରସାରିତ ହୋଇଥିଲା। ଏପରିକି ମୁଖ୍ୟଧାରାର ଗଣମାଧ୍ୟମରେ ମଧ୍ୟ ଏଆଇ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଭିଡିଓ ଓ ଚିତ୍ର ବ୍ୟବହାର କରିଥିଲେ।
କୌଣସି ପ୍ରକାରର ପରମାଣୁ ବିପଦ ନାହିଁ
ଭାରତର ସାମରିକ ନେତୃତ୍ୱ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ସେହି ସଙ୍କଟ ସମୟରେ କୌଣସି ପରମାଣୁ ବିପଦ ନଥିଲା। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଜାନୁଆରି ୧୩ ରେ କହିଥିଲେ, ପାକିସ୍ତାନର ସାମରିକ ଅଭିଯାନ ନିର୍ଦ୍ଦେଶକ(ଡିଜିଏମ୍ଓ) ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ ଟେଲିଫୋନ୍ ଆଲୋଚନା ସମୟରେ କୌଣସି ପରମାଣୁ ବିପଦ ସମ୍ପର୍କରେ କଥା ଉଠାଇ ନଥିଲେ। ଡିଜିଏମ୍ଓ-ସ୍ତରୀୟ ଆଲୋଚନାରେ ପରମାଣୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇନଥିଲା। ଯେଉଁ ସମସ୍ତ ପରମାଣୁ ବୟାନବାଜି ହୋଇଥିଲା ତାହା ପାକିସ୍ତାନୀ ରାଜନେତାଙ୍କଠାରୁ ଆସିଥିଲା।
Follow Us