ଭାରତ ପାକିସ୍ତାନ ସୀମାରେ ଫେରିବ ଶାନ୍ତି । ପ୍ରଚ୍ଛଦ ପଟର ନାୟକ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ।

156

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁଭଳି ତିକ୍ତତା ରହିଛି, ଉଭୟ ପକ୍ଷ ସୀମାରେ ଶାନ୍ତି ରକ୍ଷା କରିବା ପାଇଁ ରାଜି ହେବେ, ଏହା ଭାବିବାବେଳକୁ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ ସତ । କିନ୍ତୁ କେମିତି ଏହା ସମ୍ଭବ ହେଲା? ଏହା ପଛରେ କାହାର ରହିଛି ହାତ? ଏହାକୁ ନେଇ ଖୋଜିବାବେଳେ ସାମ୍ନାକୁ ଆସିଛି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ପ୍ରମୁଖ ଭୂମିକା ।

ଭାରତ ଓ ପାକିସ୍ତାନ ସୀମାରେ ଯେଉଁ ଶାନ୍ତି ଫେରିବାକୁ ଯାଉଛି, ତାହା ଗୋଟିଏ ଦିନରେ ସମ୍ଭବ ହୋଇ ନାହିଁ । ଏହା ପଛରେ ରହିଛି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ନିରନ୍ତର ଉଦ୍ୟମ । ଭାରତ-ପାକିସ୍ତାନ ସୀମାରେ ଶାନ୍ତି ଫେରିବ । ଏଥିପାଇଁ ଦୁଇ ଦେଶର ସେନା ଅଧିକାରୀ ସହମତି ହୋଇଛନ୍ତି । ଏନେଇ ମିଳିତ ବିବୃତି ବି ଜାରି କରିଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ପଛରେ ରହିଛି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ହାତ । ସୂଚନା ଅନୁସାରେ ପ୍ରାୟ ମାସକ ତଳେ ଅଜିତ୍ ଡୋଭାଲ ତାଙ୍କ ପ୍ରତିପକ୍ଷ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ସୀମାରେ ଶାନ୍ତି ପ୍ରତିଷ୍ଠା ଓ ଲୋକଙ୍କୁ ସଚେତନ କରିବା ନେଇ ବ୍ୟାକ୍ ଚ୍ୟାନେଲରେ କଥାବାର୍ତ୍ତା ହୋଇଥିଲେ ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଏନଏସଏ ଅଜିତ୍ ଡୋଭାଲ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନର ଏନଏସଏ ମୁଇଦ୍ ୟୁସୁଫ୍ ସମେତ ଅନ୍ୟ ଅଧିକାରୀମାନଙ୍କୁ ସିଧାସଳଖ କଥାବାର୍ତ୍ତା କରିଥିଲେ ।

ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଜାରି କରାଯାଇଥିବା ମିଳିତ ବିବୃତି ଏହି କଥାବାର୍ତ୍ତାର ପ୍ରଥମ ଫଳାଫଳ । ଦୁଇ ଦେଶର ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ କିଛି ଦିନ ଲାଗିବ । ଡୋଭାଲ ପାକିସ୍ତାନ ସହ ଶାନ୍ତି ପାଇଁ ଆଲୋଚନା କରୁଥିବା ନେଇ ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଜଣାଥିଲା । ସେହିପରି ସୁରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ଗତ ଗୋଟିଏ ମାସ ଭିତରେ ଦୁଇ ଦେଶ ସମ୍ପର୍କକୁ ନେଇ ପାଞ୍ଚଟି ଘଟଣା ଘଟିଛି ।

– ଚଳିତ ମାସ ଆରମ୍ଭରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ବୟାନ । ସେ କହିଥିଲେ, ସମସ୍ତ ଦିଗରେ ଶାନ୍ତି ପାଇଁ ହାତ ବଢ଼ାଇବାର ସମୟ ଆସିଛି ।
– ଫେବ୍ରୁଆରୀ ୫ରେ କାଶ୍ମୀରକୁ ନେଇ ନରମ ବୟାନ ରଖିଥିଲା ପାକିସ୍ତାନ ।
– ସୀମାରେ ଅସ୍ତ୍ରବିରତି ଉଲଂଘନ ବନ୍ଦ କରିବାକୁ ମତ ଦେଇଥିଲେ ବରିଷ୍ଠ ଅଧିକାରୀ
– ସାର୍କ ରାଷ୍ଟ୍ରର ମିଟିଂରେ ପୂର୍ବଭଳି କାଶ୍ମୀର ପ୍ରସଙ୍ଗକୁ ବଡ କରିନଥିଲା ପାକିସ୍ତାନ
– ଶେଷରେ ଶ୍ରୀଲଙ୍କା ଗସ୍ତ ପାଇଁ ଇମ୍ରାନ ଖାନଙ୍କ ବିମାନକୁ ଭାରତ ଆକାଶରେ ଯିବାକୁ ଅନୁମତି ଦେଇଥିଲା ଭାରତ ।

ଅକ୍ଟୋବର ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦିଆରବ ଗସ୍ତ କରିବାବେଳେ ତାଙ୍କ ବିମାନକୁ ପାକିସ୍ତାନ ଆକାଶରେ ଯିବାକୁ ଅନୁମତି ଦେଇନଥିଲା ଇସଲାମାବାଦ । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନକୁ ମଧ୍ୟ ପାକିସ୍ତାନ ଆକାଶରେ ଯିବା ପାଇଁ ମଧ୍ୟ ଅନୁମତି ଦେଇନଥିଲା । କିନ୍ତୁ ଭାରତ ଇମ୍ରାନଙ୍କ ପାଇଁ ଭାରତୀୟ ଆକାଶରେ ଉଡିବାକୁ ଅନୁମତି ଦେବା ପରେ ନିଜର ନୀତିରେ ପରିବର୍ତନ ଆଣିବାକୁ ବାଧ୍ୟ ହୋଇଛି ପାକିସ୍ତାନ ।