କନକ ବ୍ୟୁରୋ : ଚୌଦ୍ଵାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ଏବଂ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ମଧ୍ୟରେ ବିବାଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡିଲାଣି । ଚୌଦ୍ୱାର ଜେଲର ଗୁମର ଭାଇରାଲ ହେବା ପରେ ଆକ୍ସନ ମୋଡ୍‌କୁ ଆସିଛି ଜେଲ୍ ବିଭାଗ । ଉଭୟ ଅଧିକାରୀଙ୍କୁ କରାଯାଇଛି କାରଣ ଦର୍ଶାଅ ନୋଟିସ୍ । ଜେଲ୍‌ରୁ କଏଦୀ ଫେରାର ଘଟଣାକୁ ନେଇ ବିବାଦ ଉପୁଜିବା ପରେ ପରସ୍ପର ଉପରେ ଲଦିଥିଲେ ଦୋଷ । ନିଜକୁ ନର୍ଦ୍ଦୋଷ ଦର୍ଶାଇବାକୁ ଯାଇ ଚୌଦ୍ୱାର ଥାନାରେ ଉଭୟ ଦେଇଥିଲେ ଏତଲା । ଏହା ପରେ ସୁଜିତ ରାଉଲଙ୍କ କମ୍ପ୍ୟୁଟରରୁ ୩୭୫ ପୃଷ୍ଠାର ଜେଲ୍‌ ଦସ୍ତାବିଜ୍ ଭାଇରାଲ ହେବାକୁ ନେଇ ସୃଷ୍ଟି ହୋଇଛି ହଟଚମଟ ।

Advertisment

ଅଧିକ ପଢ଼ନ୍ତୁ : ଚୌଦ୍ୱାର ଜେଲ କଳି: ପୂର୍ବତନ ଜେଲର ଓ ଅଧିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ଭାଇରାଲ ହୋଇଥିବା ଜେଲ୍‌ କାଗଜପତ୍ରରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଆଭ୍ୟନ୍ତରୀଣ ଗୁଇନ୍ଦା ତଥ୍ୟ, ଜେଲରେ ରହୁଥିବା କଏଦୀଙ୍କ ତଥ୍ୟ ଏବେ ପଦାରେ ପଡ଼ିଛି । ଯାହ ଜେଲ୍‌ର ସୁରକ୍ଷାକୁ ବିପଦ ମୁହଁକୁ ଠେଲି ଦେଇଛି । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଏଯାଏଁ ପାଟି ଖୋଲୁନାହାନ୍ତି ଜେଲ୍‌ ଡିଜି । ଜେଲ୍‌ ସୁରକ୍ଷା ବିପଦରେ ପଡ଼ିଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେଇ ଜେଲ୍‌ ମୁଖିଆ ଜୁଟାଇ ପାରୁନାହାନ୍ତି କି ସାହସ ? କାହା ଚାପରେ ଏଯାଏଁ ଚୁପ୍ ବସିଛନ୍ତି ?

୨୦୨୫ ଅକ୍ଟୋବର ୩ରେ ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଚୌଦ୍ୱାର ସର୍କଲ ଜେଲ୍‌ରୁ ଫେରାର ହୋଇଯାଇଥିଲେ । ଏହା ପରେ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିଛି ।