କନକ ବ୍ୟୁରୋ: ଆଇଏଏସ୍‌ ଚାକିରି ଛାଡ଼ିଲେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍‌ । ସ୍ବାମୀ ଭିକେ ପାଣ୍ଡିଆନ ଯେଉଁ ରାସ୍ତାରେ ଯାଇଥିଲେ ସ୍ତ୍ରୀ ସୁଜାତା ବି ସେହି ରାସ୍ତାରେ ଯାଉଥିବା ଚର୍ଚ୍ଚା ହେଉଛି । ହେଲେ ହଠାତ୍‌ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ପୂରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।  କୁହାଯାଉଛି କି ଚାକିରି ଛାଡ଼ିବାର କାରଣ ହେଉଛି ଛୁଟି । ବିଜେଡି ହାରିବା ପରେ ସୁଜାତା ୬ ମାସ ଛୁଟିରେ ଯାଇଥିଲେ । ପରେ ପରେ ପୁଣି ଥରେ ୬ ମାସ ଛୁଟି ପାଇଁ ଆବେଦନ କରିଥିଲେ ମୋହନ ସରକାରକୁ । ହେଲେ ସରକାର ଛୁଟି ଆବେଦନକୁ ଗ୍ରହଣ ନକରିବା ପରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଅବଶ୍ୟ ସେ ବେଶି ଦିନ ଚାକିରି କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା…ଆଉ ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । 

Advertisment

ପାଣ୍ଡିଆନଙ୍କ ରାସ୍ତାରେ ଯାଉଛନ୍ତି କି ସୁଜାତା
ସିଏ ବି ଅଧାରୁ ଚାକିରି ଛାଡ଼ିଥିଲେ
ସୁଜାତା ବି ଚାକିରି ଛାଡ଼ିଲେ ?
ଏବେ ଦୁହେଁ କରିବେ କ’ଣ ?
କାହିଁକି ଚାକିରି ଛାଡ଼ିଲେ ସୁଜାତା ?
ସୁଜାତାଙ୍କ ସ୍ବେଚ୍ଛାକୃତ ଅବସର
କେନ୍ଦ୍ର ଦେଲା ମଂଜୁରୀ  !

ସ୍ବେଚ୍ଛାକୃତ ଚାକିରି ଛାଡ଼ିବା ନେଇ ନିଷ୍ପତ୍ତି ନେବା ପରେ ଏନେଇ ଆବେଦନ କରିଥିଲେ ସୁଜାତା । ଯାହାକୁ କେନ୍ଦ୍ର ସରକାର ମଂଜୁରୀ ଦେଇଥିବା ସୂଚନା ମିଳିଛି । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡ଼ିଛି । ୨୦୦୦ ବ୍ୟାଚର ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ । ସୁଜାତା କାର୍ତ୍ତିକେୟନ୍ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ଆଇଏଏସ୍ ଅଧିକାରୀ । ବିଜେଡି ସରକାରରେ ମିଶନ ଶକ୍ତିର ସଚିବ ଥିଲେ । ହେଲେ ସ୍ବାମୀଙ୍କ ପାଇଁ ସେ ବିବାଦୀୟ ଥିଲେ । ବିରୋଧୀଙ୍କ ଅଭିଯୋଗ ଥିଲା କି, ସରକାରୀ ଅଧିକାରୀ କମ୍‌ ବରଂ ଦଳୀୟ ଅଧିକାରୀ ଭାବରେ ସୁଜାତା କାମ କରୁଥିଲେ । ଖାଲି ଏତିକି ନୁହେଁ, ନିର୍ବାଚନରେ ସେ କୁଆଡ଼େ ପ୍ରାର୍ଥୀ ହେବେ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି କିଛି ସମୟ ଲାଗି ଓଡ଼ିଶାରେ ଭାରି ଚର୍ଚ୍ଚା ହେଉଥିଲା । କିନ୍ତୁ ନିର୍ବାଚନ ଅଧିକାରୀଙ୍କ ପାଖରେ ବିରୋଧୀ ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ମିଶନ ଶକ୍ତିରୁ ଅର୍ଥ ବିଭାଗକୁ ତାଙ୍କର ବଦଳି ହୋଇଥିଲା । ଏହାରି ଭିତରେ ସରକାର ବଦଳିଗଲା ଏବଂ ଛୁଟି ସରିଗଲା । 

ବେଶ୍‌ ଚର୍ଚ୍ଚିତ ଥିଲେ ସୁଜାତା
ଚାକିରି ଛାଡ଼ିବା ପରେ କରିବେ କି ରାଜନୀତି  ?

ଓଡ଼ିଶାର ବେଶ୍‌ ଚର୍ଚ୍ଚିତ ଆଇଏଏସ୍‌ ହେଉଛନ୍ତି ସୁଜାତା । ତେଣୁ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ କଥା । ହେଲେ ଏବେ ସେ କଣ କରିବେ ସେନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । 

କାହିଁକି ଚର୍ଚ୍ଚାରେ ଥିଲେ ସୁଜାତା ?

ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍‌ । ଓଡ଼ିଶା କେନ୍ଦ୍ରାପଡ଼ାର ଝିଅ ସେ । ପ୍ରାରମ୍ଭିକ ଜୀବନ ଝାଡ଼ଖଣ୍ଡର ଜାମସେଦପୁରରେ କଟିଥିଲା । ଯେଉଁଠାରେ ତାଙ୍କ ବାପା ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ ଆଇଏଏସ୍ କ୍ୟାରିୟର ଆରମ୍ଭ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବ ଭାବେ କାର୍ଯ୍ୟ କରିଥିଲେ, ଯାହା ମହିଳାଙ୍କୁ ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୦୧ରେ ଆରମ୍ଭ ହୋଇଥିଲା ଏହି ଯୋଜନା । ୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟିରେ ଥିଲେ । ନଭେମ୍ବର ୨୬, ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ବିଜେପି ସରକାର ଅନୁମତି ଦେଇ ନଥିଲେ । ଆଉ ଶେଷରେ ସେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏମିତି ବି ହୋଇପାରେ ସେ ରାଜନୈତିକି ଦଳରେ ଯୋଗ ଦେଇପାରନ୍ତି । ଅବଶ୍ୟ ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ କେବଳ ଯାହା ଚର୍ଚ୍ଚା ହେଉଛି ।