କନକ ବ୍ୟୁରୋ: ବିଜେପିରେ ଗୋଷ୍ଠୀ ରାଜନୀତି ଯୋଗୁଁ ଦେଢ଼ ବର୍ଷ ହେଲା ହୋଇପାରୁନଥିବା କୋର କମିଟି ବୈଠକ ହୋଇଛି । ଆଉ ବୈଠକ ପରେ ଜୋର ଧରିଛି ଶାସନର ନବକଳେବର ଚର୍ଚ୍ଚା । କୁହାଯାଉଛି ବିଧାନସଭା ପରେ ସମ୍ପ୍ରସାରଣ ହେବ ମନ୍ତ୍ରୀ ମଣ୍ଡଳ, ନେତାଙ୍କୁ ମିଳିବ ନିଗମ ବୋର୍ଡ । ଆଗକୁ ସାଂଗଠନିକସ୍ତରରେ ମଧ୍ୟ ଅଦଳବଦଳ ହେବ ବୋଲି ଆଲୋଚନା ହେଉଛି ।
ତାଲିକା ପ୍ରସ୍ତୁତ କଲା ବିଜେପି କୋର୍ କମିଟି
ବିଜେପିରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଓ ବୈଠକର ହୋଇଥିବା ନିଷ୍ପତ୍ତିକୁ ନେଇ ଜୋର ଧରିଛି ଚର୍ଚ୍ଚା । ଦୀର୍ଘ ୨ ବର୍ଷ ପରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ, ସଭାପତି, ପ୍ରଭାରୀ, ସହପ୍ରଭାରୀ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ବୈଠକରେ ଆଗାମି ରଣନୀତି ପ୍ରସ୍ତୁତ ହୋଇଛି । କୁହାଯାଉଛି, ବିଧାନସଭା ବଜେଟ୍ ଅଧିବେଶନ ପରେ ବଦଳିଯିବ ମୋହନ ସରକାରର ରୂପରେଖ । ଏକାଧିକ ବିଭାଗର ଦାୟିତ୍ବ ତୁଲାଉଥିବା ମନ୍ତ୍ରୀଙ୍କ
କାର୍ଯ୍ୟବୋଝ ହାଲୁକା ପାଇଁ ସମ୍ପ୍ରସାରଣ ହୋଇପାରେ ମନ୍ତ୍ରିମଣ୍ଡଳ । ଭଲ ପ୍ରଦର୍ଶନ କରୁନଥିବା ମନ୍ତ୍ରୀଙ୍କ ଠାରୁ ବିଭାଗକୁ କାଢ଼ି ନେଇ ଅନ୍ୟଙ୍କୁ ଦେଇପାରନ୍ତି ମୋହନ । କୋରକମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ତାଲିକା ପ୍ରସ୍ତୁତି ହୋଇଥିବା ଚର୍ଚ୍ଚା ହେଉଛି । ସେହିପରି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା, ବୋର୍ଡ-ନିଗମ ବଣ୍ଟନ ନେଇ ଆଲୋଚନା ହୋଇଛି ।
ଏହା ବି ପଢ଼ନ୍ତୁ: ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍, ଛତିଶଗଡ଼ ସହ ଥିବା ଜଳ ବିବାଦର ହେବ କି ସମାଧାନ?
ବିଜେପି ରାଜ୍ୟ ସଂଗଠନରେ ସବୁ କିଛି ଠିକଠାକ୍ ଚାଲିନଥିବା ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଆସୁଛି । କ୍ଷମତାରେ ଥାଇ ମଧ୍ୟ ଗୋଷ୍ଠୀ ରାଜନୀତି ବିଜେପି ଉପରେ ଭାରି ପଡ଼ୁଥିବା ରାଜନୈତିକ ମହଲରେ ଆଲୋଚନାର ବିଷୟ ବି ସାଜୁଛି । ଯାହାକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ଦଳୀୟ ଏକତା ଉପରେ ଜୋର ଦେବାକୁ ରାଜ୍ୟ ନେତୃତ୍ୱକୁ ତାଗିଦ କରିଛନ୍ତି । ପୂର୍ବରୁ ବୋର୍ଡ, ନିଗମ ନାଁ ରାଜ୍ୟ ବିଜେପି ଚୂଡାନ୍ତ କଲେ ମଧ୍ୟ ଅନ୍ତଃକନ୍ଦଳ ଯୋଗୁଁ ବରିଷ୍ଠ ନେତାଙ୍କ କେଁ ରହୁଥିଲା । ତେଣୁ କେନ୍ଦ୍ରର ନିର୍ଦ୍ଦେଶ କ୍ରମେ କୋର କମିଟି ବୈଠକ କରାଯାଇଥିବା କୁହାଯାଉଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବା ଦଳ ପାଇଁ ବଡ ଆହ୍ବାନ ।
Follow Us