କନକ ବ୍ୟୁରୋ : ଦେଢ଼ଦିନର ଓପାସ ପରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଲାଗିଲା ଭୋଗ। ନୀତି ସ୍ବାଭାବିକ ହୋଇଥିଲେ ମଧ୍ୟ ଏବେବି ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ଲାଗି ରହିଛି ବିବାଦ। ବିଭ୍ରାଟ ପାଇଁ ପ୍ରଶାସନ ସମେତ ଦେବୋତ୍ତର କମିସନଙ୍କୁ ଦାୟୀ କରିଛନ୍ତି ଦୁଇ ନିଯୋଗ।
ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ଚାଲିଲା ଛକାପଞ୍ଝା। ବଳି ପଡ଼ିଗଲେ ପ୍ରଭୁ ଲିଙ୍ଗରାଜ। ମକର ସଂକ୍ରାନ୍ତିରେ କାଷ୍ଠା ଉପବାସ ରହିଲେ ଦେବ ଦେବ ମହାଦେବ। ଦିନକ ପରେ ନୀତି ସ୍ବାଭାବିକ ହୋଇଛି। କିନ୍ତୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପାଇଁ ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିସନକୁ ଦାୟୀ କରିଛନ୍ତି ବଡ଼ୁ ଓ ବ୍ରାହ୍ମଣ ନିଯୋଗ। ମଙ୍ଗଳବାର କ୍ଷୀର ଆଉଟା ନୀତିକୁ ନେଇ ଦୁଇ ନିଯୋଗ ଭିତରେ ଆରମ୍ଭ ହୋଇଥିଲା ବିବାଦ। ଆଉ ମକର ସଂକ୍ରାନ୍ତିରେ ଓପାସ ରହିଲେ ପ୍ରଭୁ ଲିଙ୍ଗରାଜ। କ୍ଷୀର ଆଉଟା ନୀତି ସମୟରେ ବିଭ୍ରାଟ ଉପୁଜିପାରେ ବୋଲି ଦୋବୋତ୍ତର ବିଭାଗ, ଆଇନ ବିଭାଗ ଓ ମନ୍ଦିର ପ୍ରଶାସନକୁ ବଡୁ ନିଯୋଗ ଅବଗତ କରାଇଥିଲା। ଜଣାଇବା ସତ୍ତ୍ଵେ ପ୍ରଶାସନ କାହିଁକି ଚୁପ୍ ରହିଲା ବୋଲି ପ୍ରଶ୍ନ କରିଛନ୍ତି ବଡୁ ନିଯୋଗ ସମ୍ପାଦକ।
ଅଧିକ ପଢ଼ନ୍ତୁ: ମକର ସଂକ୍ରାନ୍ତିରେ ଖାଡ଼ା ଉପବାସ ପ୍ରଭୁ ଲିଙ୍ଗରାଜ: ନୀତି ବନ୍ଦ, ଅପୂଜା ରହିଲେ ମହାପ୍ରଭୁ
ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ହେଲା କିନ୍ତୁ ପ୍ରଶାସନ ଚୁପ୍। ସ୍ଥାନୀୟ ବିଧାୟକ କହିଲେ ନୀତି ବିଭ୍ରାଟ କରିଥିବା ବ୍ୟକ୍ତି ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। କିନ୍ତୁ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ବିଭ୍ରାଟର ସମାଧାନ ପାଇଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିଲାନି। ସେବାୟତଙ୍କ ଅହଙ୍କାର ବଢ଼ିଯାଇଥିବାରୁ ଏଭଳି ବିଭ୍ରାଟ ହେଉଥିବା କହିଛନ୍ତି ବୁଦ୍ଧିଜୀବୀ।
ଅଧିକ ପଢ଼ନ୍ତୁ: ମାଟି ତଳେ ଲୁଚି ରହିଛି ଐତିହ୍ୟ, ଖୋଜିବା ପାଇଁ ଲିଙ୍ଗରାଜ ମନ୍ଦିର ପାଖ ଶୁକଶାରୀରେ ପୁଣି ହେଲା ଖନନ
ତେବେ ପ୍ରଶ୍ନ ଉଠୁଛି, ଲିଙ୍ଗରାଜ ମନ୍ଦିରରେ ବିଭ୍ରାଟ ହେବ ବୋଲି ପ୍ରଶାସନ ଜାଣିଥିଲେ ମଧ୍ୟ କାହିଁକି ଚୁପ୍ ବସିଥିଲା? ବିଭ୍ରାଟ ପାଇଁ କାହା ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ? ପ୍ରକୃତରେ କାର୍ଯ୍ୟାନୁଷ୍ଠାନ ହେବ ନା ସମୟ ଗଡ଼ିବା ସହ ଏ ପ୍ରସଙ୍ଗ ବି ଭୁଲିଯିବେ ସରକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/15/lingaraj-2026-01-15-18-52-37.jpg)